ପଞ୍ଜାବ ପରାସ୍ତ, ଆରସିବିର ତୃତୀୟ ବିଜୟ | News Room Odisha

ପଞ୍ଜାବ ପରାସ୍ତ, ଆରସିବିର ତୃତୀୟ ବିଜୟ

ମୋହାଲି: ଫାଫ୍ ଡୁ’ପ୍ଲେସିସଙ୍କ ବିସ୍ଫୋରକ ଇନିଂସ୍ ଓ ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ସହାୟତାରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଗୁରୁବାର ଏଠାରେ ଆଇପିଏଲର ଏକ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୨୪ ରନରେ ହରାଇଛି । ଚଳିତ ସିଜନରେ ଆରସିବିର ଏହା ତୃତୀୟ ବିଜୟ ହୋଇଥିବା ବେଳେ ଦଳ ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନକୁ ଉଠିଛି ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ୪ ୱିକେଟ୍ ହରାଇ ୧୭୪ ରନ୍ କରିଥିଲା । ଆଘାତ କାରଣରୁ ‘ଇମ୍ପାକ୍ଟ ପ୍ଲେୟାର’ ଭାବେ ଖେଳୁଥିବା ଡୁ’ପ୍ଲେସିସ ୫୬ ବଲରେ ୫ଟି ଚୌକା ଓ ସମାନ ସଂଖ୍ୟକ ଛକା ସହ ୮୪ ରନ୍ କରିଥିଲେ । ଡୁ’ପ୍ଲେସିସଙ୍କ ବଦଳରେ ଆଜିର ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇଥିବା ବିରାଟ କୋହଲି ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ । କୋହଲି ୪୭ଟି ବଲରେ ୫ଟି ଚୌକା ଓ ଗୋଟିଏ ଛକା ସହ ୫୯ ରନ୍ କରିଥିଲେ । ଡୁ’ପ୍ଲେସିସ୍ ଓ କୋହଲି ପ୍ରଥମ ୱିକେଟରେ ୧୩୭ ରନ୍ ଭାଗିଦାରୀ ସହ ଦଳକୁ ଏକ ମଜବୁତ ପ୍ଲାଟଫର୍ମ ଦେଇଥିଲେ । କିନ୍ତୁ ଉଭୟ ଆଉଟ୍ ହୋଇଯିବା ପରେ ଆରସିବି ଡେଥ୍ ଓଭରରେ ରନ୍ ଗତି ବଢାଇ ପାରିନଥିଲା ।
ଆରସିବି ପ୍ରଦତ୍ତ ୧୭୫ ରନର ଲକ୍ଷ୍ୟ ଜବାବରେ ଆହତ ଧାୱନଙ୍କ ବିନା ଖେଳୁଥିବା ପଞ୍ଜାବ ୧୮.୨ ଓଭରରେ ମାତ୍ର ୧୫୦ ରନ୍ କରିବାକୁ ସକ୍ଷମ ହୋଇଥିଲା । ପ୍ରଭସିମ୍ରନ ସିଂ ଓ ଜିତେଶ ଶର୍ମାଙ୍କୁ ଛାଡ଼ି ଦେଲେ ଦଳର ଅନ୍ୟ ସବୁ ବ୍ୟାଟର ନିରାଶ କରିଥିଲେ । ପ୍ରଭସିମ୍ରନ ୩୦ଟି ବଲରେ ୩ଟି ଚୌକା ଓ ୪ଟି ଛକା ସହ ସର୍ବାଧିକ ୪୬ ରନ୍ କରିଥିବା ବେଳେ ଜିତେଶ ୨୭ଟି ବଲରୁ ୨ଟି ଚୌକା ଓ ୩ଟି ଛକା ସହ ୪୧ ରନ୍ କରିଥିଲେ । ଆରସିବି ପକ୍ଷରୁ ପେସର ମହମ୍ମଦ ସିରାଜ ଚମତ୍କାର ପ୍ରଦର୍ଶନ ସହ ୨୧ ରନ୍ ବିନିମୟରେ ୪ଟି ୱିକେଟ୍ ନେଇଥିଲେ । ସ୍ପିନର ୱାନିନ୍ଦୁ ହସରଙ୍ଗା ୨ଟି ୱିକେଟ୍ ପାଇଥିଲେ । ସିରାଜ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

ଚଳିତ ଟୁର୍ଣ୍ଣାମେଣ୍ଟରେ ପଞ୍ଜାବ କିଙ୍ଗ୍ସର ଏହା ତୃତୀୟ ପରାଜୟ । ଦଳ ଏଯାବତ ୬ଟି ମ୍ୟାଚରୁ ୩ଟି ବିଜୟ ଓ ୩ଟି ପରାଜୟ ସହ ସପ୍ତମ ସ୍ଥାନକୁ ଖସିଛି ।

ପଞ୍ଜାବର ଆରମ୍ଭ ଭଲ ହୋଇନଥିଲା । ପାୱାରପ୍ଲେ’ରେ ପଞ୍ଜାବର ଟପ୍ ଅର୍ଡରକୁ ଘାଇଲା କରିଥିଲେ ସିରାଜ୍ । ସେ ପ୍ରଥମେ ଓପନର ଅଥର୍ବ ତାଇଡେ (୪)ଙ୍କୁ ଆଉଟ୍ କରିଥିଲେ ଓ ଲିଆମ ଲିଭିଂଷ୍ଟୋନ (୨)ଙ୍କ ବଡ଼ ୱିକେଟ୍ ମଧ୍ୟ ନେଇଥିଲେ । ସିରାଜ୍ ପୁଣି ହରପ୍ରୀତ ସିଂ (୧୩)ଙ୍କୁ ରନ୍ ଆଉଟ୍ କରିଥିଲେ । ପଞ୍ଜାବ ପାୱାରପ୍ଲେ’ରେ ମାତ୍ର ୪୩ ରନ୍ କରି ୪ଟି ୱିକେଟ୍ ହରାଇ ସଂଘର୍ଷ କରିଥିଲା । ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଥିଲା । ଓପନର ପ୍ରଭସିମ୍ରନ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ମଧ୍ୟକ୍ରମରେ ଜିତେଶ ଶର୍ମା ଏକ ଧୂଆଁଧାର ପାଳି ଖେଳିଥିଲେ ମଧ୍ୟ ତାଙ୍କ ଉଦ୍ୟମ ଯଥେଷ୍ଟ ହୋଇନଥିଲା । ଚଳିତ ଆଇପିଏଲର ସବୁଠୁ ମହଙ୍ଗା ଖେଳାଳି ତଥା କାମଚଳା ଅଧିନାୟକ ସାମ୍ କରନ୍ (୧୦) ରନ୍ ଆଉଟ୍ ହୋଇଯାଇଥିଲେ ।
ପୂର୍ବରୁ ପଞ୍ଜାବ ଟସ୍ ଜିତି ଆରସିବିକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ଡୁ’ପ୍ଲେସିସ୍ ଓ କୋହଲି ପୁଣି ଆରସିବିକୁ ଏକ ଧମାକାଦାର ଷ୍ଟାର୍ଟ ଦେଇଥିଲେ । ବିଶେଷକରି ଡୁ’ପ୍ଲେସିସ୍ ତାଙ୍କ ଜବରଦସ୍ତ ଫର୍ମ ଜାରି ରଖି ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ଦ୍ୱିତୀୟ ତଥା ମୋଟ ତୃତୀୟ ଅର୍ଦ୍ଧଶତକ ହାସଲ କରିଥିଲେ । ବିରାଟ କୋହଲି ମଧ୍ୟ ଚଳିତ ସିଜନରେ ଚତୁର୍ଥ ଅର୍ଦ୍ଧଶତକ ପୂରଣ କରିଥିଲେ । ତେବେ ଏହି ଷ୍ଟାର ବ୍ୟାଟର ପାୱାରପ୍ଲେ’ ପରେ ସାମାନ୍ୟ ଧିମେଇ ଯାଇଥିଲେ । ଉଭୟଙ୍କ ଶତକୀୟ ଭାଗିଦାରୀ ଯୋଗୁଁ ଆରସିବି ଏକ ବିଶାଳ ସ୍କୋର କରିବା ଦିଗରେ ଅଗ୍ରସର ହୋଇଥିଲା । ଡୁ’ପ୍ଲେସିସ୍-କୋହଲି ୧୬ ଓଭର ଯାଏଁ କ୍ରିଜରେ ରହିଥିଲେ । କୋହଲିଙ୍କୁ ଆଉଟ୍ କରି ହରପ୍ରୀତ ବ୍ରାର୍ ଶେଷରେ ଏହି ଯୋଡ଼ି ଭାଙ୍ଗିଥିଲେ । ପରବର୍ତ୍ତୀ ବଲରେ ଗ୍ଲେନ ମ୍ୟାକ୍ସୱେଲ (୦)ଙ୍କୁ ଆଉଟ୍ କରିଥିଲେ ବ୍ରାର୍ । ଏକ ବିସ୍ଫୋରକ ଇନିଂସ୍ ପରେ ପରବର୍ତ୍ତୀ ଓଭରରେ ପ୍ୟାଭିଲିୟନ୍ ଫେରିଥିଲେ ଡୁ’ପ୍ଲେସିିସ୍ । ଶେଷ ୪ ଓଭରରେ ପଞ୍ଜାବ ବୋଲର ପ୍ରତ୍ୟାବର୍ତ୍ତନ କରିଥିଲେ ।