ଦିଲ୍ଲୀ କ୍ୟାପିଟାଲ୍ସର କ୍ରମାଗତ ପଞ୍ଚମ ପରାଜୟ, ଆରସିବି ୨୩ ରନରେ ଜିତିଲା | News Room Odisha

ଦିଲ୍ଲୀ କ୍ୟାପିଟାଲ୍ସର କ୍ରମାଗତ ପଞ୍ଚମ ପରାଜୟ, ଆରସିବି ୨୩ ରନରେ ଜିତିଲା

ବାଙ୍ଗାଲୋର: ବିରାଟ କୋହଲିଙ୍କ ଅର୍ଦ୍ଧଶତକ ଓ ବିଜୟକୁମାର ବୈଶାଖ (୨୦/୩)ଙ୍କ ଚମତ୍କାର ଡେବ୍ୟୁ ସହାୟତାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଶନିବାର ଏଠାରେ ଆଇପିଏଲର ଏକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି।

ଦିଲ୍ଲୀ କ୍ୟାପିଟାଲ୍ସର ଏହା କ୍ରମାଗତ ପଞ୍ଚମ ପରାଜୟ । ବିଜୟ ଖାତା ଖୋଲିପାରିନଥିବା ଦିଲ୍ଲୀ ପଏଣ୍ଟ ଟେବୁଲର ସବା ଶେଷ ସ୍ଥାନରେ ରହିଛି ।

କୁଲଦୀପ ଯାଦବଙ୍କ ନେତୃତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସର ସ୍ପିନରମାନେ ମଝି ଓଭର ଗୁଡ଼ିକରେ ମାପଚୁପ ବୋଲିଂ କରି ଆରସିବିର ରନ୍ ଗତି ଉପରେ ଅଙ୍କୁଶ ଲଗାଇଥିଲେ । ଫଳରେ ଏକଦା ବଡ଼ ସ୍କୋର ଆଡକୁ ମୁହାଁଉଥିବା ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ମାତ୍ର ୧୭୪ ରନ୍ କରିବାକୁ ସକ୍ଷମ ହୋଇଥିଲା।

ଟୁର୍ଣ୍ଣାମେଣ୍ଟରେ କୋହଲି (୫୦ ରନ୍, ୩୪ ବଲ୍, ୬ ଚୌକା, ୧ ଛକା)ଙ୍କ ତୃତୀୟ ଅର୍ଦ୍ଧଶତକୀୟ ପାଳି ସହାୟତାରେ ଆରସିବି ଭଲ ସ୍ଥିତିରେ ଥିଲା | ଗ୍ଲେନ୍ ମ୍ୟାକ୍ସୱେଲ ମଧ୍ୟ ତିନୋଟି ଗଗନଶ୍ଚୁମ୍ବୀ ଛକା ସହିତ ୧୪ଟି ବଲରେ ଦ୍ରୁତ ୨୪ ରନର ଯୋଗଦାନ କରିଥିଲେ ।

ଏହି ଟାର୍ଗେଟର ପିଛାକରି ଦିଲ୍ଲୀ କ୍ୟାପିଟାଲ୍ସ ୨ ରନରେ ତିନିଟି ୱିକେଟ୍ ହରାଇଥିଲା । ମନୀଷ ପାଣ୍ଡେ (୫୦ ରନ୍)ଙ୍କ ଲଢୁଆ ଅର୍ଦ୍ଧଶତକ ସତ୍ତ୍ୱେ ଦଳ କେବଳ ୨୦ ଓଭରରେ ୯ ଓ୍ବିକେଟ୍ ହରାଇ ୧୫୧ ରନ୍ କରିବାକୁ ସକ୍ଷମ ହୋଇଥିଲା |

ଦିଲ୍ଲୀ କ୍ୟାପିଟାଲ୍ସର ଆରମ୍ଭ ଖରାପ ହୋଇଥିଲା । ଦଳ ପ୍ରଥମ ତିନି ଓଭରରେ ୩ ୱିକେଟ୍ ହରାଇଥିଲା। ପ୍ରଥମ ତିନି ଓଭରରେ ଦଳ ମାତ୍ର ତିନିଟି ଚୌକା ମାରିଥିଲା।

ପୃଥ୍ବୀ ଶ’ ପ୍ରଥମ ଓଭରରେ ଆଉଟ୍ ହୋଇଥିଲେ । ମିଚେଲ ମାର୍ଶ ଖାତା ଖୋଲିନପାରି ଦ୍ୱିତୀୟ ଓଭରରେ ପାର୍ନେଲଙ୍କ ବଲରେ କୋହଲିଙ୍କୁ କ୍ୟାଚ୍ ଦେଇଥିଲେ । ତୃତୀୟ ଓଭରରେ ୟଶ ଧୁଲ (୦୧) ମହମ୍ମଦ ସିରାଜଙ୍କ ବଲରେ ଆଉଟ୍ ହେବା ବେଳକୁ ଦଳର ସ୍କୋର ୨/୩ ଥିଲା।

ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ଅଧିନାୟକ ଡେଭିଡ ୱାର୍ନର ଏବଂ ପାଣ୍ଡେ (୩୮ ବଲ୍, ୫ ଚୌକା, ୧ ଛକା)ଙ୍କ କାନ୍ଧରେ ଦିଲ୍ଲୀକୁ ଟ୍ରାକକୁ ଆଣିବା ଦାୟିତ୍ବ ଥିଲା ।

ଦିଲ୍ଲୀର ତିନି ସ୍ପିନର କୁଲଦୀପ (୪-୧-୨୩-୨), ଅକ୍ଷର ପଟେଲ (୩-୦-୨୫-୧) ଏବଂ ଲଲିତ ଯାଦବ (୪-୦-୨୯-୧) ମଧ୍ୟଭାଗରେ ପ୍ରଶଂସନୀୟ ଭାବେ ଆରସିବି ରନ୍ ଗତିକୁ ନିୟନ୍ତ୍ରଣ କରିଥିଲେ । କିନ୍ତୁ ବ୍ୟାଟ୍ସମ୍ୟାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ମଧ୍ୟ ଏହି ମ୍ୟାଚରେ ମଧ୍ୟ ଜାରି ରହିଥିଲା।

ପାଣ୍ଡେ ଏବଂ ୱାର୍ଣ୍ଣରଙ୍କ ବ୍ୟତୀତ ଏନ୍ରିଚ୍ ନର୍କିଆ ତୃତୀୟ ସର୍ବୋଚ୍ଚ ସ୍କୋରର ଭାବେ ଅପରାଜିତ ୨୩ ରନ୍ କରିଥିଲେ । ଅକ୍ଷର ପଟେଲ ୨୧ ରନ୍ ଏବଂ ଅମାନ ହାକିମ ଖାନ ୧୮ ରନ୍ କରିଥିଲେ।

ଆରସିବି ପକ୍ଷରୁ ଡେବ୍ୟୁ କରିଥିବା ବିଜୟକୁମାର ବୈଶାଖ (୪ ଓଭରରେ ୩/୨୦) ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ଆଇପିଏଲରେ ନିଜ ପ୍ରଥମ ୱିକେଟ୍ ରୂପରେ ୱାର୍ଣ୍ଣରଙ୍କୁ ଆଉଟ୍ କରିଥିଲେ । ପାୱାରପ୍ଲେରେ ଦିଲ୍ଲୀ ୪ ଓ୍ବିକେଟ୍ ହରାଇ ୩୨ ରନ୍ କରିଥିଲା । ଚାପରେ ଦିଲ୍ଲୀ ପୁଣି ଅଭିଷେକ ପୋରେଲ ଏବଂ ଅକ୍ଷର ପଟେଲଙ୍କ ୱିକେଟ୍ ହରାଇଲା।

ଦୁଇଟି ଚୌକା ଓ ଗୋଟିଏ ଛକା ମାରିବା ପରେ ପାଣ୍ଡେ ଚତୁର୍ଦ୍ଦଶ ଓଭରରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । ତେବେ ୱାନିନ୍ଦୁ ହାସରାଙ୍ଗାଙ୍କ ପରବର୍ତ୍ତୀ ବଲରେ ଏଲବିଡବ୍ଲୁ ଆଉଟ୍ ହୋଇଥିଲେ । ଏହାପରେ ଆରସିବି କେବଳ ଔପଚାରିକତା ପୂରଣ କରିବାକୁ ବାକି ରହିଥିଲା । କିନ୍ତୁ ଆରମ୍ଭରେ ଚମତ୍କାର ପ୍ରଦର୍ଶନ ପରେ ମଧ୍ୟ ଏହାର ବୋଲରମାନେ ଶେଷ ପାଞ୍ଚ ଓଭରରେ ୪୩ ରନ୍ ଦେଇଥିଲେ।

ଏହାପୂର୍ବରୁ ବ୍ୟାଟିଂ କରିବାକୁ ଆମନ୍ତ୍ରିତ ହେବା ପରେ କୋହଲି-ଡୁପ୍ଲେସିସ୍ ଯୋଡି ବିନା କୌଣସି ଅସୁବିଧାରେ ରନ୍ ସଂଗ୍ରହ କରି ଚାଲିଥିଲେ । ଉଭୟ ଚାରି ଓଭରରେ ୩୩ ରନ୍ ଯୋଡିଥିଲେ।

ଦକ୍ଷିଣ ଆଫ୍ରିକାର ଡୁ ପ୍ଲେସିସ୍ ଦୁଇଟି ଚୌକା ମାରିଥିବା ବେଳେ ଏନ୍ରିକ୍ ନର୍କିଆଙ୍କୁ କୋହଲି ଫାଇନ୍ ଲେଗରେ ଏକ ଚୌକା ମାରିଥିଲେ ।

ତାଙ୍କ ବିବାହ ପରେ ଦଳରେ ଯୋଗ ଦେଇଥିବା ମିଚେଲ ମାର୍ଶ (୨ ଓଭରରେ ୨/୧୮) ମଧ୍ୟ ଆରସିବି ଅଧିନାୟକ ଫାଫ ଡୁପ୍ଲେସିସ୍ (୨୨) ଏବଂ ପରେ ମହିପାଲ ଲୋମ୍ରର (୨୬)ଙ୍କ ୱିକେଟ୍ ନେଇଥିଲେ।

କୋହଲି ଭଲ ଟଚରେ ଥିବାରୁ ୧୦ ଓଭର ପରେ ଆରସିବି ୮୯ ରନ୍ କରିସାରିଥିଲା । ଲାଗୁଥିଲା ଦଳ ୨୦୦ ରନ୍ ଟପିବ ।

ତେବେ କୁଲଦୀପ କ୍ରମାଗତ ବଲରେ ମ୍ୟାକ୍ସୱେଲ ଏବଂ ଦୀନେଶ କାର୍ତ୍ତିକଙ୍କ ୱିକେଟ୍ ନେବା ପରେ ଆରସିବି ଦଳ ବ୍ୟାକଫୁଟକୁ ଆସିଯାଇଥିଲା । ଦଳର ସ୍କୋର୍ ହଠାତ ୧୩୨/୬ ହୋଇଯାଇଥିଲା ।

ଦିଲ୍ଲୀ କ୍ୟାପିଟାଲ୍ସ ଦଳ ୧୫ତମ ଓଭରରେ ହ୍ୟାଟ୍ରିକ୍ ଓ୍ବିକେଟ୍ ନେଇ ଆରସିବି ଦଳର ରନ୍ ହାର ଉପରେ ଅଙ୍କୁଶ ଲଗାଇବାରେ ସଫଳ ହୋଇଥିଲା ।

ହର୍ଷଲ ପଟେଲଙ୍କ ଅଦ୍ଭୁତ ଢଙ୍ଗରେ ଆଉଟ୍ ହୋଇଥିଲେ । ଅକ୍ଷରଙ୍କ ବୋଲିଂରେ ଦିଲ୍ଲୀ ୱିକେଟ୍ କିପର ଅଭିଷେକ ପୋରେଲ ଏଲବିଡବ୍ଲୁ ପାଇଁ ଅପିଲ କରିଥିଲେ । କିନ୍ତୁ ଡିଆରଏସ୍ ରିଭ୍ୟୁରେ ହର୍ଷଲ କଟ୍ ବିହାଇଣ୍ଡ ଆଉଟ୍ ଘୋଷିତ ହୋଇଥିଲେ ।

କୋହଲିଙ୍କ ଇନିଂସକୁ ଫୁଲ୍ ଟସ୍ ବଲରେ ଶେଷ କରିଥିଲେ
ଲଲିତ ଯାଦବ । ଏହାପରେ କ୍ରିଜକୁ ଆସିବା କ୍ଷଣି ମ୍ୟାକ୍ସୱେଲ ସେହି ଓଭରରେ ଦୁଇଟି ବିଶାଳ ଛକା ମାରିଥିଲେ।

ମ୍ୟାକ୍ସୱେଲ ଶାନ୍ତ ପଡ଼ିବା ମୁଡରେ ନଥିଲେ । ସେ ବ୍ୟାଟିଂ କଲାବେଳେ ଆରସିବି ରନ୍ ହାର ହଠାତ ଓଭର ପିଛା 10 ରନ୍ ପାଖାପାଖି ହୋଇଯାଇଥିଲା । ତେବେ କୁଲଦୀପଙ୍କ ବଲରେ ୱାର୍ଣ୍ଣର ଏକ ଚମତ୍କାର କ୍ୟାଚ୍ ନେଇ ମ୍ୟାକ୍ସୱେଲଙ୍କ ଇନିଂସ୍ ଶେଷ କରିଥିଲେ ।

ପରବର୍ତ୍ତୀ ବଲରେ କାର୍ତ୍ତିକ ଶୂନରେ ଆଉଟ୍ ହୋଇଥିଲେ ଏବଂ ପରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରାଧାନ୍ୟ ବିସ୍ତାର କରିଥିଲା।
ଶାହାବାଜ ଅହମ୍ମଦ ୨୦ ରନ୍ କରି ଅପରାଜିତ ରହିଥିଲେ ଏବଂ ଅନୁଜ ରାୱତ ୧୫ ରନ କରିଥିଲେ।