ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ : ଆଜି ୬୯୭ଟି ଆସନରେ ସାନି ମତଦାନ | News Room Odisha

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ : ଆଜି ୬୯୭ଟି ଆସନରେ ସାନି ମତଦାନ

କୋଲକାତା: ପଶ୍ଚିମବଙ୍ଗର ୧୯ଟି ଜିଲ୍ଲାର ୬୯୭ଟି ବୁଥରେ ଆଜି ପୁନଃ ମତଦାନ ହେଉଛି । ରାଜ୍ୟରେ ଶନିବାର ପଞ୍ଚାୟତ ନିର୍ବାଚନ ବେଳେ ବ୍ୟାପକ ହିଂସା ଘଟିଥିଲା । ବାଲାଟ ବକ୍ସ ଟାମ୍ପରିଂ ପରେ ଏହି ଆସନ ଗୁଡିକ ଉପରେ ନିର୍ବାଚନ ଅବୈଧ ଘୋଷିତ ହୋଇଥିଲା । ଏହି ଆସନ ଗୁଡ଼ିକରେ ସୋମବାର ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ଚାଲିବ। ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ସହ ପ୍ରତ୍ୟେକ ବୁଥରେ କେନ୍ଦ୍ରୀୟ ବାହିନୀର ୪ ଜଣ କର୍ମଚାରୀ ମୁତୟନ ହୋଇଛନ୍ତି। ଯେଉଁ ଜିଲ୍ଲାଗୁଡିକରେ ସାନି ମତଦାନ ଘୋଷଣା କରାଯାଇଛି, ସେଥି ମଧ୍ୟରେ ମୁର୍ସିଦାବାଦରେ ସର୍ବାଧିକ ୧୭୪ଟି ବୁଥ୍ ରହିଥିବା ବେଳେ ମାଲଦାର ୧୧୦ଟି ବୁଥ୍ ରହିଛି। ଏହା ବ୍ୟତୀତ ନାଦିଆର ୮୯ଟି, କୁଚ୍ ବେହାରର ୫୩, ଉତ୍ତର ୨୪ ପ୍ରଗଣାର ୪୬, ଉତ୍ତର ଦିନାଜପୁରରେ ୪୨, ଦକ୍ଷିଣ ୨୪ ପ୍ରଗଣାର ୩୬, ପୂର୍ବ ମେଦିନୀପୁରରେ ୩୧ ଏବଂ ହୁଗଲିରେ ୨୯ଟି ମତଦାନ କେନ୍ଦ୍ର ପୁନଃ ମତଦାନ ହେଉଛି।

ପଶ୍ଚିମବଙ୍ଗ କଂଗ୍ରେସର ସଭାପତି ଆଧୀର ରଂଜନ ଚୌଧୁରୀ ଅଭିଯୋଗ କରିଛନ୍ତି ଯେ ରାଜ୍ୟରେ କେନ୍ଦ୍ରୀୟ ବାହିନୀ ମୁତୟନ ବିଳମ୍ବ କରିବାକୁ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ଏହା ଟିଏମସିକୁ ଭୋଟ୍ ଲୁଟ୍ କରିବାରେ ସହାୟକ ହେଲା | କଂଗ୍ରେସ ଅଭିଯୋଗ କରିଛି ଯେ ବିଜେପି ଓ ଟିଏମସି ମଧ୍ୟରେ ଏକ ଭିତିରି ଚୁକ୍ତି ହୋଇଛି। ପ୍ରତିବଦଳରେ ମମତା ବାନାର୍ଜୀ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏକଜୁଟ ହେଉଥିବା ବିରୋଧୀଙ୍କ ଖେଳ ବିଗାଡିବେ।

ଅନ୍ୟପକ୍ଷରେ ପଞ୍ଚାୟତ ନିର୍ବାଚନ ଦିନ ପଶ୍ଚିମବଙ୍ଗରେ ହିଂସା ନେଇ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଆଜି ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ରିପୋର୍ଟ ଦେବେ। ସୂଚନାଯୋଗ୍ୟ, ଶନିବାର ରାଜ୍ୟରେ ୭୪ ହଜାର ପଞ୍ଚାୟତ ପାଇଁ ଭୋଟ୍ ଗ୍ରହଣ ହୋଇଥିଲା। ନିର୍ବାଚନ ସମୟରେ ଅନେକ ସ୍ଥାନରେ ହିଂସା ଘଟିଥିଲା । ବୁଥ୍ ଜବରଦଖଲ ସହ ବାଲଟ ବକ୍ସ ଲୁଟ୍ ଓ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଥିଲା। ନିର୍ବାଚନୀ ହିଂସାରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିଲା ।