ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କ ପରଲୋକ | News Room Odisha

ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କ ପରଲୋକ

କଟକ: ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କ ରବିବାର ୮୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ବୀଣାପାଣି ମହାନ୍ତି ଜଣେ କବୟିତ୍ରୀ, ଗାଳ୍ପିକା ଭାବେ ପାଠକୀୟ ମହଲରେ ସୁପରିଚିତ ଥିଲେ । ତାଙ୍କର ବିଭିନ୍ନ ସାହିତ୍ୟ କୃତି ଅଗ୍ରଣୀ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଥିଲା ।

୧୯୩୬ ନଭେମ୍ବର ୧୧ ତାରିଖରେ ଜନ୍ମଗ୍ରହଣ କରିଥିବା ବୀଣାପାଣି ମହାନ୍ତି ବୃତ୍ତିରେ ଅଧ୍ୟାପିକା ଭାବେ କାର୍ଯ୍ୟକରି ସେଥିରୁ ଅବସର ନେଇଥିଲେ । ସେ ୨୦୨୦ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ଏହାଛଡ଼ା ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ । ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି ।