ସଂସଦର ଏଷ୍ଟିମେଟ କମିଟିର ରିପୋର୍ଟ: ଦେଶରେ ବିଶେଷଜ୍ଞ ଡାକ୍ତରଙ୍କ ଘୋର ଅଭାବ, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପାଖରେ ନାହିଁ ତଥ୍ୟ | News Room Odisha

ସଂସଦର ଏଷ୍ଟିମେଟ କମିଟିର ରିପୋର୍ଟ: ଦେଶରେ ବିଶେଷଜ୍ଞ ଡାକ୍ତରଙ୍କ ଘୋର ଅଭାବ, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପାଖରେ ନାହିଁ ତଥ୍ୟ

ନୂୂଆଦିଲ୍ଲୀ – ଅଙ୍ଗ ପ୍ରତିରୋପଣ, ହୃଦ୍ କିମ୍ବା ମସ୍ତିଷ୍କ ଅସ୍ତ୍ରୋପଚାର ଏବଂ ଅନ୍ୟାନ୍ୟ ଗୁରୁତର ରୋଗର ଚିକିତ୍ସା ପାଇଁ ଲୋକଙ୍କୁ ସାଧାରଣତଃ ବଡ଼ ସହରକୁ ଯିବାକୁ ପଡିଥାଏ । କିନ୍ତୁ ବଡ଼ ବଡ଼ ହସ୍ପିଟାଲରେ ଏତେ ଭିଡ଼ ଯେ ରୋଗୀମାନଙ୍କ ଅସ୍ତ୍ରୋପଚାର ତାରିଖ ଗଡ଼ି ଚାଲିଥାଏ । ଏହାର କାରଣ ହେଉଛି ଦେଶରେ ବିଶେଷଜ୍ଞ ଡାକ୍ତରଙ୍କ ଘୋର ଅଭାବ । ଏକ ଆକଳନ ଅନୁଯାୟୀ କେବଳ ୬ଟି ପ୍ରମୁଖ ବିଭାଗରେ ୩ ଲକ୍ଷରୁ ଉର୍ଦ୍ଧ୍ବ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ରହିଛି। ଗ୍ରାମାଞ୍ଚଳରେ ପରିସ୍ଥିତି ଆହୁରି ଖରାପ ।
ସଂସଦର ଏଷ୍ଟିମେଟ କମିଟି ଦାଖଲ କରିଥିବା ରିପୋର୍ଟରେ ଏଭଳି ଚିନ୍ତାଜନକ ତଥ୍ୟ ଉଲ୍ଲେଖ ରହିଛି । ଏଥିରେ କୁହାଯାଇଛି ଯେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦେଶରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଉପରେ ଅଧ୍ୟୟନ କରିନାହିଁ। ଦେଶରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବକୁ ଦୂର କରିବା ପାଇଁ ବିଶେଷ କରି ଗ୍ରାମାଞ୍ଚଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି, ମହାରାଷ୍ଟ୍ର ମଡେଲ ଅଧ୍ୟୟନ କରିବାକୁ କୁହାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ମନ୍ତ୍ରଣାଳୟ ପକ୍ଷରୁ କୌଣସି ଉତ୍ତର ମିଳି ନାହିଁ।

ଦେଶର ପ୍ରମୁଖ ବିଶେଷଜ୍ଞମାନେ ଏଷ୍ଟିମେଟ କମିଟି ଆଗରେ ଡାକ୍ତରଙ୍କ ଅଭାବ ନେଇ ଚକିତ କଲାଭଳି ତଥ୍ୟ ରଖିଛନ୍ତି । କମିଟି ଆଗରେ କୁହାଯାଇଛି ଯେ ହୃଦରୋଗରେ ୮୮୮୦ ବିଶେଷଜ୍ଞ, ମେଡିସିନରେ ୨୩ ହଜାର, ନ୍ୟୁରୋଲୋଜିରେ ୫୨୦୦, ଶିଶୁ ରୋଗରେ ୨ ଲକ୍ଷ ୩୦ ହଜାର, ଏଣ୍ଡୋକ୍ରିନୋଲୋଜିରେ ୨୭ ହଜାର ୯୦୦ ଏବଂ ନେଫ୍ରୋଲୋଜିରେ ୪୦ ହଜାରରୁ ଅଧିକ ବିଶେଷଜ୍ଞଙ୍କ ଅଭାବ ରହିଛି।

Report of the Parliamentary Estimates Committee