ରେବନ୍ତ ରେଡ୍ଡୀ ହେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ | News Room Odisha

ରେବନ୍ତ ରେଡ୍ଡୀ ହେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ରେବନ୍ତ ରେଡ୍ଡୀ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ହେବା ପ୍ରାୟତଃ ନିଶ୍ଚିତ ହୋଇଯାଇଛି। ତେଲେଙ୍ଗାନା କଂଗ୍ରେସ ସଭାପତି ଥିବା ରେବନ୍ତ ରେଡ୍ଡୀଙ୍କ ନେତୃତ୍ୱରେ ଦଳ ବିଧାନସଭା ନିର୍ବାଚନ ଲଢ଼ି ଚମତ୍କାର ବିଜୟ ହାସଲ କରିଛି। ମୁଖ୍ୟମନ୍ତ୍ରୀ ପାଇଁ ରେବନ୍ତ ରେଡ୍ଡୀ ହେଉଛନ୍ତି କଂଗ୍ରେସ ହାଇ କମାଣ୍ଡର ପ୍ରଥମ ପସନ୍ଦ। ଆସନ୍ତାକାଲି କିମ୍ବା ଗୁରୁବାର ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି।

ତେଲେଙ୍ଗାନା କଂଗ୍ରେସର ଅନ୍ୟ ଦୁଇ ଭେଟେରାନ ନେତା ଉତ୍କଳ କୁମାର ରେଡ୍ଡୀ ଏବଂ ଭଟ୍ଟୀ ବିକ୍ରମାର୍କ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି ଉପସ୍ଥାପନ କରିଛନ୍ତି। ତେବେ ଉଭୟଙ୍କୁ ଉପମୁଖ୍ୟମନ୍ତ୍ରୀ କିମ୍ବା ଏକ ଭଲ ବିଭାଗ ଦେବାକୁ ହାଇକମାଣ୍ଡ ପ୍ରତିଶ୍ରୁତି ଦେଇଛନ୍ତି। ତେଲେଙ୍ଗାନାରେ ପାଳି ଭିତ୍ତିରେ ମୁଖ୍ୟମନ୍ତ୍ରୀ ଫର୍ମୁଲା ଆପଣାଇବାକୁ କଂଗ୍ରେସ ହାଇକମାଣ୍ଡ ମନା କରି ଦେଇଥିବା ଜଣାପଡିଛି ।

ତେଲେଙ୍ଗାନାରେ କଂଗ୍ରେସ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିଛି। କର୍ଣ୍ଣାଟକ ପରେ ତେଲେଙ୍ଗାନା ହେଉଛି ଦ୍ୱିତୀୟ ଦକ୍ଷିଣ ରାଜ୍ୟ ଯେଉଁଠି କଂଗ୍ରେସ ସରକାର ଗଠନ କରିବ। ତେଲେଙ୍ଗାନାରେ କଂଗ୍ରେସ ବିଜୟ ଶ୍ରେୟ ଦଳର ରାଜ୍ୟ ସଭାପତି ରେବନ୍ତଙ୍କୁ ଦିଆଯାଉଛି ।

ତେଲେଙ୍ଗାନା ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ରେଭନ୍ତ ରେଡ୍ଡୀ କଂଗ୍ରେସର ଚେହେରା ସାଜିଥିଲେ। ପ୍ରଚାର ଅଭିଯାନରେ ତାଙ୍କୁ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଦେଖିବାକୁ ମିଳିଥିଲା। ତେଲେଙ୍ଗାନାର କଂଗ୍ରେସର ତିନି ଲୋକସଭା ସାଂସଦଙ୍କ ମଧ୍ୟରେ ରେବନ୍ତ ରେଡ୍ଡୀ ଜଣେ।

ରେବନ୍ତ ରେଡ୍ଡୀ ୧୯୬୯ ମସିହାରେ ଅବିଭକ୍ତ ଆନ୍ଧ୍ରପ୍ରଦେଶର ମହବୁବନଗରରେ ଜନ୍ମଗ୍ରହଣ କରିଥିଲେ। ଏବିଭିପିରୁ ତାଙ୍କର ଛାତ୍ର ରାଜନୀତି ଆରମ୍ଭ କରିଥିଲେ ରେବନ୍ତ । ପରେ ସେ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି)ରେ ଯୋଗ ଦେଇଥିଲେ। ସେ ୨୦୦୯ରେ ଟିଡିପି ଟିକେଟରେ ଆନ୍ଧ୍ରର କୋଡାଙ୍ଗଲରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ରେବନ୍ତ ରେଡ୍ଡୀ ୨୦୧୪ର ତେଲେଙ୍ଗାନା ବିଧାନସଭାରେ ଟିଡିପିର ନେତା ଭାବେ ନିର୍ବାଚିତ ହୋଇଥିଲେ।

ରେବନ୍ତ ରେଡ୍ଡୀ ୨୦୧୭ରେ କଂଗ୍ରେସରେ ଯୋଗ ଦେଇଥିଲେ। ତେବେ ସେ ୨୦୧୮ ବିଧାନସଭା ନିର୍ବାଚନରେ ହାରି ଯାଇଥିଲେ। କିନ୍ତୁ କଂଗ୍ରେସ ତାଙ୍କ ଉପରେ ଭରସା ରଖି ୨୦୧୯ ଲୋକସଭା ନିର୍ବାଚନ ଲଢ଼ିବାକୁ ଟିକେଟ୍ ଦେଇଥିଲା। ସେ ମାଲକଜଗିରିରୁ ଲଢ଼ି ବିଜୟୀ ହୋଇଥିଲେ। ୨୦୨୧ରେ କଂଗ୍ରେସ ତାଙ୍କୁ ଏକ ବଡ଼ ତାଙ୍କୁ ରାଜ୍ୟ ସଭାପତି ଭାବେ ବଡ଼ ଦାୟିତ୍ଵ ଦେଇଥିଲା । ସେହି ନିଷ୍ପତ୍ତି କଂଗ୍ରେସ ପାଇଁ ଏବେ ଫଳପ୍ରଦ ହୋଇଛି ।