ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେବନ୍ତ ରେଡି | News Room Odisha

ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେବନ୍ତ ରେଡି

ହାଇଦ୍ରାବାଦ: କଂଗ୍ରେସ ନେତା ଅନୁମୁଲା ରେବନ୍ତ ରେଡି ଆଜି ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ । ୫୬ ବର୍ଷୀୟ ରେବନ୍ତଙ୍କ ଶପଥ ଗ୍ରହଣ ଉତ୍ସବ ଅପରାହ୍ନ ୧.୦୪ ଟାରେ ଏଲବି ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏହି ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ସଂସଦୀୟ ଦଳ (ସିପିପି) ସଭାପତି ସୋନିଆ ଗାନ୍ଧିଙ୍କ ସମେତ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ଼ଗେ ଓ ଦଳର ବରିଷ୍ଠ ନେତାମାନେ ଯୋଗଦେବେ। ଶପଥ ଗ୍ରହଣ ଉତ୍ସବରେ ବିରୋଧୀ ଦଳର କିଛି ନେତା ମଧ୍ୟ ଯୋଗ ଦେଇପାରନ୍ତି।

ସୂଚନାନୁସାରେ, ରେବନ୍ତ ରେଡିଙ୍କ ସହ ଅନ୍ୟ ୬ ଜଣ ନେତା ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଆଶା କରାଯାଉଛି। ତେବେ କଂଗ୍ରେସ ଏ ସମ୍ପର୍କରେ କୌଣସି ଆନୁଷ୍ଠାନିକ ଘୋଷଣା କରିନାହିଁ। ପାର୍ଟି ସୂତ୍ରରୁ ପ୍ରକାଶ ଯେ ଗୁରୁବାର ଅତି କମରେ ୬ ମନ୍ତ୍ରୀ ଶପଥ ଗ୍ରହଣ କରିବେ। ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଥିବା ସମ୍ଭାବ୍ୟ ନେତାଙ୍କ ମଧ୍ୟରେ ଭଟ୍ଟ ବିକ୍ରମାର୍କା, ସୀତାକ୍କା, ଉତ୍ତମ କୁମାର, ପୋନମ୍ ପ୍ରଭାକର, ଶ୍ରୀଧର ବାବୁ ଏବଂ ଥମ୍ମାଲା ନାଗସ୍ୱରା ରାଓ ରହିଛନ୍ତି।

ଶପଥ ଗ୍ରହଣ ସମାରୋହରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମଧ୍ୟ ଯୋଗଦେବେ। ହାଇଦ୍ରାବାଦରେ କଂଗ୍ରେସ ବିଧାୟକ ଦଳର ବୈଠକ ପାଇଁ ଏଆଇସିସି ତରଫରୁ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ମଧ୍ୟରେ ଶିବକୁମାର ମଧ୍ୟ ଉପସ୍ଥିତ ଥିଲେ।

ରାଜ୍ୟ କଂଗ୍ରେସ ସଭାପତି ଥିବା ରେବନ୍ତ ରେଡିଙ୍କ ନେତୃତ୍ବରେ କଂଗ୍ରେସ ତେଲେଙ୍ଗାନା ନିର୍ବାଚନରେ ଚମତ୍କାର ବିଜୟ ହାସଲ କରି ଭାରତ ରାଷ୍ଟ୍ର ସମିତି (ବିଆରଏସ୍)ରୁ ଶାସନ କ୍ଷମତା ଛଡ଼ାଇ ଆଣିଥିଲା । ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ୧୧୯ ଆସନ ମଧ୍ୟରୁ ୬୪ ଜିତିଥିଲା।