ଭାରତୀୟ ବଂଶୋଦ୍ଭବ ଋଷି ସୁନକ ହେବେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ | News Room Odisha

ଭାରତୀୟ ବଂଶୋଦ୍ଭବ ଋଷି ସୁନକ ହେବେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ

ଲଣ୍ଡନ: ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବେ। କଞ୍ଜର୍ଭେଟିଭ୍ ପାର୍ଟିର ଆଉ ଜଣେ ସାଂସଦ ତଥା ପ୍ରଧାନମନ୍ତ୍ରୀ ଆଶାୟୀ ପେନି ମର୍ଡାଣ୍ଟ ଆବଶ୍ୟକୀୟ ସମର୍ଥନ ନ ମିଳିବାରୁ ରେସରୁ ଓହରି ଯିବା ପରେ ୪୨ ବର୍ଷୀୟ ଋଷି ସୁନକ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ଏବେ ନିଶ୍ଚିତ ହୋଇଯାଇଛି । ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ଋଷି ସୁନାକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବେ। ସୁନାକ ୧୮୦ ରୁ ଅଧିକ ସାଂସଦଙ୍କ ସମର୍ଥନ ପାଇଥିବାବେଳେ ପେନି ମର୍ଡାଣ୍ଟ ତାଙ୍କ ଠାରୁ ବହୁ ପଛରେ ପଡ଼ିଯାଇଥିଲେ । ଫଳରେ ସେ ତାଙ୍କ ନାମ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ । ଋଷି ସୁନାକ ଅକ୍ଟୋବର ୨୮ରେ ଶପଥ ନେଇପାରନ୍ତି |

ଉଲ୍ଲେଖଯୋଗ୍ୟ ଯେ ଲିଜ ଟ୍ରସ୍ ମାତ୍ର ୪୫ ଦିନ କ୍ଷମତାରେ ରହିବା ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ପୁଣି ଥରେ କଞ୍ଜର୍ଭେଟିଭ୍ ପାର୍ଟି ନେତା ତଥା ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଥର ଲିଜ୍ ଟ୍ରସଙ୍କ ଠାରୁ ଅଳ୍ପକେ ହାରିଯାଇଥିବା ଋଷି ସୁନାକ ଏଥର ଆରମ୍ଭରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ମୁଖ୍ୟ ଦାବିଦାର ଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ରେସରୁ ଓହରିଯିବା ପରେ ମୁନିଙ୍କ ପଥ ପରିଷ୍କାର ହୋଇଯାଇଥିଲା ।

ଋଷି ସୁନକ ହେଉଛନ୍ତି ଇନ୍‌ଫୋସିସ୍ ସହପ୍ରତିଷ୍ଠାତା ଏନ୍.ଆର୍. ନାରାୟଣମୂର୍ତିଙ୍କ ୪୨ ବର୍ଷୀୟ ଜ୍ବାଇଁ ।

ବ୍ରିଟିଶ ରାଜନୀତି ପାଇଁ ଏହା ମଧ୍ୟ ଏକ ବଡ଼ ଦିନ, କାରଣ ଗତ ତିନି ମାସ ମଧ୍ୟରେ ଋଷି ସୁନାକ ହେଉଛନ୍ତି ତୃତୀୟ ବ୍ୟକ୍ତି ଯିଏ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି।

ପ୍ରଥମେ ଏକାଧିକ ସ୍କାଣ୍ଡାଲ ଅଭିଯୋଗ ପରେ ବୋରିସ୍ ଜନସନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ କଞ୍ଜେର୍ଭେଟିଭ୍ ପାର୍ଟିର ନୂଆ ନେତା ନିର୍ବାଚନରେ ​​ଋଷି ସୁନାକଙ୍କୁ ପରାସ୍ତ କରିବା ପରେ ଲିଜ୍ ଟ୍ରସ ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ । ତେବେ ସେ ମଧ୍ୟ ବେଶି ଦିନ କ୍ଷମତାରେ ରହି ପାରିନଥିଲେ । ଆର୍ଥିକ ସଙ୍କଟ ସୁଧାରିବାରେ ବିଫଳତା ଯୋଗୁଁ ତାଙ୍କୁ କ୍ଷମତାକୁ ଆସିବାର ମାତ୍ର ୪୫ ଦିନ ପରେ ଇସ୍ତଫା ଦେବାକୁ ପଡିଥିଲା |