ପାଟନା: ଆଜି ନୂଆ ସଂସଦ ଭବନର ଲୋକାର୍ପଣ ହୋଇଛି। ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ଉଦଘାଟନ ଦାବି କରି ୨୧ ବିରୋଧୀ ଦଳ ଉଦଘାଟନୀ ଉତ୍ସବରେ ସାମିଲ ହୋଇନାହାଁନ୍ତି। ଏମାନଙ୍କ ମଧ୍ୟରେ ବିହାରର ଆରଜେଡି ଏବଂ ଜେଡିୟୁ ମଧ୍ୟ ରହିଛନ୍ତି । ଲାଲୁ ଯାଦବଙ୍କ ଆରଜେଡି ନୂଆ ସଂସଦ ଭବନକୁ ନେଇ ବିବାଦୀୟ ଟ୍ବିଟ୍ କରିଛି।
ये क्या है? pic.twitter.com/9NF9iSqh4L
— Rashtriya Janata Dal (@RJDforIndia) May 28, 2023
ଆରଜେଡି ଟ୍ବିଟ୍ କରି ନୂଆ ସଂସଦ ଭବନକୁ ଏକ କଫିନ୍ ସହିତ ତୁଳନା କରିଛି | ଏହି ଟ୍ବିଟରେ ନୂଆ ସଂସଦ ଗୃହର ଫଟୋ ସହ ଏକ କଫିନର ଫଟୋ ସେୟାର କରି ଆରଜେଡି କହିଛି – ଏହା କ’ଣ? ଆରଜେଡିର ସହଯୋଗୀ ଦଳ ଜେଡିୟୁ ମଧ୍ୟ ନୂଆ ସଂସଦ ଭବନ ନେଇ ବିଜେପିକୁ ଟାର୍ଗେଟ କରି କହିଛି, ‘କଳଙ୍କିତ ଇତିହାସ ଲେଖାଯାଉଛି।’
ନୂଆ ସଂସଦ ଭବନ ନେଇ ଆରଜେଡି ଓ ଜେଡିୟୁର ବିବାଦୀୟ ଟ୍ବିଟକୁ ବିଜେପି ଲଜ୍ଜାହୀନତାର ପରାକାଷ୍ଠା ବୋଲି କହିବା ସହ ଆରଜେଡି ସାଂସଦଙ୍କ ଇସ୍ତଫା ଦାବି କରିଛି।
ନିଜ ଦଳର ବିବାଦୀୟ ଟ୍ବିଟ୍ ଉପରେ ସ୍ପଷ୍ଟୀକରଣ ଦେଇ ଆରଜେଡି ମୁଖପାତ୍ର ଶକ୍ତି ଯାଦବ କହିଛନ୍ତି, ଆମେ ଏହି ଏହି ପ୍ରତୀକ ସେୟାର କରିବାର ଉଦ୍ଦେଶ୍ୟ ହେଉଛି ରାଜନୀତି ଏବଂ ଗଣତନ୍ତ୍ରର କଫିନକରଣ କରାଯାଉଛି। ଏହା ବନ୍ଦ ହେବା ଚାହୁଁ । ଆମେ ଆରମ୍ଭରୁ କହିଛୁ ଯେ ଗଣତନ୍ତ୍ରର ମନ୍ଦିର ବିତର୍କର ସ୍ଥାନ । କିନ୍ତୁ ଦେଶରେ ବିତର୍କ ଓ ଆଲୋଚନାର ଅଭାବ ବଢ଼ି ଚାଲିଛି । ସ୍ବେଚ୍ଛାଚାରିତା ଲଦିବାକୁ ପ୍ରୟାସ କରାଯାଉଛି। ସମ୍ବିଧାନକୁ ପରିହାସ କରାଯାଉଛି। ଆମେ କୌଣସି ସୀମା ଅତିକ୍ରମ କରିନାହୁଁ | ଗଣତନ୍ତ୍ରର ମନ୍ଦିରର କଫିନକରଣ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ। ଆଜି ଯଦି ପ୍ରଧାନମନ୍ତ୍ରୀଙ୍କ ସହ ରାଷ୍ଟ୍ରପତି ମଧ୍ୟ ଉପସ୍ଥିତ ଥାନ୍ତେ ତେବେ ବହୁତ ଭଲ ହୁଅନ୍ତା।