କ୍ରିକେଟର ସବୁ ଫର୍ମାଟରୁ ରବିନ୍ ଉଥାପ୍ପାଙ୍କ ଅବସର | News Room Odisha

କ୍ରିକେଟର ସବୁ ଫର୍ମାଟରୁ ରବିନ୍ ଉଥାପ୍ପାଙ୍କ ଅବସର

ନୂଆଦିଲ୍ଲୀ: ଭାରତର ପୂର୍ବତନ ଓପନର୍ ରବିନ୍ ଉଥାପ୍ପା କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୩୬ ବର୍ଷୀୟ ରବିନ୍ ଟୁଇଟ୍ କରି ନିଜ ଅବସର ସମ୍ପର୍କରେ ଘୋଷଣା କରିଛନ୍ତି । ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଜଣାଶୁଣା ରବିନ୍ ଦିନିକିଆ ଓ ଟି-୨୦ ଫର୍ମାଟରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି । ୨୦୦୭ ରେ ରବିନ୍ ଉଥାପ୍ପା ଟି-୨୦ ବିଶ୍ୱକପ ବିଜେତା ଦଳର ସଦସ୍ୟ ଥିଲେ । ତିନିଥର ଆଇପିଏଲ୍ ଚାମ୍ପିଅନ୍ ତଥା ପୂର୍ବତନ ଅରେଞ୍ଜ କ୍ୟାପ୍ ବିଜେତା ଉଥାପ୍ପା ୨୦୦୬ରେ ଇଂଲଣ୍ଡ ବିପକ୍ଷରେ ନିଜର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ଶେଷଥର ସେ ୨୦୧୫ରେ ଭାରତ ପାଇଁ ଖେଳିଥିଲେ ।

ସେ ଟୁଇଟ୍ କରି ଲେଖିଛନ୍ତି, “ମୋ ଦେଶ ତଥା ମୋ ରାଜ୍ୟ କର୍ଣ୍ଣାଟକର ପ୍ରତିନିଧିତ୍ୱ କରିବା ମୋ ପାଇଁ ସବୁଠାରୁ ବଡ ସମ୍ମାନର ବିଷୟ । ତେବେ ସବୁ ଭଲ ଜିନିଷର ଶେଷ ଅଛି । କୃତଜ୍ଞତାର ସହିତ ମୁଁ ସମସ୍ତ ପ୍ରକାର ଭାରତୀୟ କ୍ରିକେଟ୍ ରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି । ଆପଣ ସମସ୍ତଙ୍କୁ ଧନ୍ୟବାଦ ।”

ଉଥାପ୍ପା କହିଛନ୍ତି, ମୁଁ ମୁମ୍ବାଇ ଇଣ୍ଡିଆନ୍ସ, ଆରସିବି, ପୁଣେ ଏବଂ ରାଜସ୍ଥାନକୁ ମଧ୍ୟ ଧନ୍ୟବାଦ ଦେବାକୁ ଚାହୁଁଛି। ଯେଉଁମାନେ ମୋତେ ଆଇପିଏଲରେ ଖେଳିବାକୁ ସୁଯୋଗ ଦେଇଥିଲେ | କୋଲକାତା ଏବଂ ଚେନ୍ନାଇର ଦଳ ମଧ୍ୟ ମୋ ପାଇଁ ବେଶ୍ ସ୍ୱତନ୍ତ୍ର |

ଉଥାପ୍ପା ନିଜ କ୍ୟାରିୟର ୫୦ ଓଭର ଫର୍ମାଟରୁ ଆରମ୍ଭ କରିଥିଲା । ସେ ଗୁଆହାଟୀରେ ଇଂଲଣ୍ଡ ବିପକ୍ଷରେ ନିଜର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ସେ ୪୬ ଟି ଦିନିକିଆ ଖେଳି ମୋଟ ୯୩୪ ରନ୍ ସ୍କୋର କରିଥିଲେ । ଏହି ଫର୍ମାଟରେ ୮୬ ହେଉଛି ତାଙ୍କର ସର୍ବାଧିକ ସ୍କୋର । ଭାରତ ଜିତିଥିବା ଟି-୨୦ ବିଶ୍ୱକପ୍‌ର ଉଦ୍‌ଘାଟନୀ ସଂସ୍କରଣରେ ଉଥାପ୍ପାଙ୍କ ଆକ୍ରମଣ ଶୈଳୀ ଦଳ ପାଇଁ ବେଶ୍ ସହାୟକ ହୋଇଥିଲା । ଏହାଛଡ଼ା ଉଥାପ୍ପା ୧୩ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିଲେ ଏବଂ ୧୧୮.୦୧ ର ଷ୍ଟ୍ରାଇକ୍ ହାରରେ ୨୪୯ ରନ୍ ସଂଗ୍ରହ କରିଥିଲେ।