ରୋହିତ ଶର୍ମାଙ୍କ ଟି-୨୦ କୀର୍ତ୍ତିମାନ, ଧୋନିଙ୍କ ଏହି ରେକର୍ଡର ହେଲେ ସମକକ୍ଷ | News Room Odisha

ରୋହିତ ଶର୍ମାଙ୍କ ଟି-୨୦ କୀର୍ତ୍ତିମାନ, ଧୋନିଙ୍କ ଏହି ରେକର୍ଡର ହେଲେ ସମକକ୍ଷ

ଇନ୍ଦୋର: ଇନ୍ଦୋରର ହୋଲକର ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟି-୨୦ରେ ସହଜ ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ କବଜା କରିଛି । ଏହି ବିଜୟ ସହ ଅଧିନାୟକ ରୋହିତ ଶର୍ମାଙ୍କ ନାଁରେ ମଧ୍ୟ ଏକ ରେକର୍ଡ ଯୋଡି ହୋଇଯାଇଛି ।

ସର୍ବାଧିକ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଜିତିବାରେ ରୋହିତ ଶର୍ମା ପୂର୍ବତନ କ୍ୟାପଟେନ୍ ଏମଏସ ଧୋନିଙ୍କ ସମକକ୍ଷ ହୋଇଛନ୍ତି। ଅଧିନାୟକ ଭାବେ ରୋହିତ ବର୍ତ୍ତମାନ ପର୍ଯ୍ୟନ୍ତ ୫୩ଟି ଅନ୍ତର୍ଜାତୀୟ ଟି-୨୦ ଖେଳିଛନ୍ତି । ସେଥିମଧ୍ୟରୁ ସେ ୪୧ ମ୍ୟାଚ୍ ଜିତିଥିବା ବେଳେ ୧୨ଟି ହାରିଛନ୍ତି।

ଧୋନି ୭୨ ଟି-୨୦ ମ୍ୟାଚରେ ଭାରତର ନେତୃତ୍ଵ ନେଇଥିଲେ । ସେଥିମଧ୍ୟରୁ ସେ ୪୧ଟି ଜିତିଥିଲେ ଓ ୨୮ଟି ହାରିଥିଲେ। ବିରାଟ କୋହଲି ଏହି ତାଲିକାରେ ତିନି ନମ୍ବରରେ ଅଛନ୍ତି । କୋହଲି ୫୦ଟି ମ୍ୟାଚରେ ଅଧିନାୟକତ୍ବ କରିଥିବା ବେଳେ ୩୦ଟି ମ୍ୟାଚ୍ ଜିତିଥିଲେ ଓ ୧୬ଟି ମ୍ୟାଚରେ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା ।

ଆଫଗାନିସ୍ତାନ ବିପକ୍ଷ ଦ୍ବିତୀୟ ଟି-୨୦ରେ ବିଜୟ ସହ ରୋହିତ ଆଉ ଦୁଇଟି ମାଇଲଖୁଣ୍ଟ ମଧ୍ୟ ଛୁଇଁଥିଲେ । ସେ ଅଧିନାୟକ ଭାବେ ସର୍ବାଧିକ ୧୨ ଟି-୨୦ ସିରିଜ୍ ଜିତିବାର ରେକର୍ଡ କରିଛନ୍ତିି। ଏହାଛଡ଼ା ରୋହିତ ମଧ୍ୟ ବିଶ୍ୱର ପ୍ରଥମ ଖେଳାଳି ଭାବେ ୧୫୦ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିଛନ୍ତି | ତେବେ ଏହି ସିରିଜରେ ରୋହିତଙ୍କ ବ୍ୟାଟ୍ ଚାଲି ନାହିଁ । ସେ ପ୍ରଥମ ଦୁଇଟି ମ୍ୟାଚରେ ଖାତା ଖୋଲିନପାରି ପ୍ୟାଭିଲିୟନ ଫେରିଛନ୍ତି ।