ରୋହିତ ଶର୍ମା ନୂଆ ଟେଷ୍ଟ ଅଧିନାୟକ, ଶ୍ରୀଲଙ୍କା ବିପକ୍ଷ ସିରିଜରୁ ବାଦ୍ ପଡ଼ିଲେ ରାହାଣେ, ପୂଜାରା | News Room Odisha

ରୋହିତ ଶର୍ମା ନୂଆ ଟେଷ୍ଟ ଅଧିନାୟକ, ଶ୍ରୀଲଙ୍କା ବିପକ୍ଷ ସିରିଜରୁ ବାଦ୍ ପଡ଼ିଲେ ରାହାଣେ, ପୂଜାରା

ନୂଆଦିଲ୍ଲୀ: ରୋହିତ ଶର୍ମା ଭାରତର ନୂଆ ଟେଷ୍ଟ ଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି। ଭାରତୀୟ ଚୟନ କମିଟିର ଅଧ୍ୟକ୍ଷ ଚେତନ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀ କରି ଏହା ଘୋଷଣା କରିଛନ୍ତି। ଏବେ ସମସ୍ତ ତିନୋଟି ଫର୍ମାଟର ନେତୃତ୍ବ ରୋହିତ ଶର୍ମାଙ୍କ ହାତରେ ରହିବ | ଏହା ସହିତ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଏବଂ ଟେଷ୍ଟ ସିରିଜ୍ ପାଇଁ ମଧ୍ୟ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ବିରାଟ କୋହଲି ଏବଂ ରିଷଭ ପନ୍ତଙ୍କୁ ଟି-୨୦ ସିରିଜ ପାଇଁ ବିଶ୍ରାମ ଦିଆଯାଇଛି।

ଦୀର୍ଘ ଦିନ ଧରି ଫର୍ମ ପାଇଁ ସଂଘର୍ଷ କରୁଥିବା ଥିବା ଚେତେଶ୍ୱର ପୂଜାରା ଏବଂ ଅଜିଙ୍କ୍ୟ ରାହାଣେଙ୍କୁ ଟେଷ୍ଟ ଦଳରୁ ବାଦ୍ ଦିଆଯାଇଛି। ଉଭୟ ଦଳରୁ ବାଦ୍ ପଡ଼ିବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା। ପ୍ରକାଶ ଥାଉକି, ଟେଷ୍ଟ ଦଳ ଘୋଷଣା ହେବା ପୂର୍ବରୁ ରାହାଣେ ରଣଜୀ ଟ୍ରଫିରେ ସୌରାଷ୍ଟ୍ର ବିପକ୍ଷରେ ଏକ ଶତକ ହାସଲ କରିଥିବାବେଳେ ପୂଜାରା ସମାନ ମ୍ୟାଚରେ ଶୂନ ରନ୍ କରି ଆଉଟ୍ ହୋଇଥିଲେ। ଚେତନ ଶର୍ମା କହିଛନ୍ତି – ଉଭୟ ଏହି ସିରିଜ ପାଇଁ ମନୋନୀତ ହୋଇନାହାଁନ୍ତି, ସେମାନଙ୍କୁ ଘରୋଇ କ୍ରିକେଟ୍ ଖେଳିବାକୁ ଅନୁମତି ଦିଆଯାଇଛି।

ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ଫାଷ୍ଟ ବୋଲର ଇଶାନ୍ତ ଶର୍ମା ଏବଂ ୱିକେଟ୍ କିପର ରିଦ୍ଧିମାନ ଶାହାଙ୍କୁ ମଧ୍ୟ ଟେଷ୍ଟ ଦଳରୁ ବିଦା କରାଯାଇଛି। ବହୁ ସମୟ ଧରି ଇଶାନ୍ତ ଖରାପ ଫର୍ମ ଏବଂ ଫିଟନେସ୍ ସମସ୍ୟା ଦେଇ ଗତି କରୁଛନ୍ତି । ଶାହାଙ୍କ ସ୍ଥାନରେ ଯୁବ ଓ୍ବିକେଟକିପର କେ.ଏସ୍ ଭରତଙ୍କୁ ସାମିଲ କରାଯାଇଛି।

ସଞ୍ଜୁ ସାମସନ ପ୍ରାୟ 7 ମାସ ପରେ ଜାତୀୟ ଦଳକୁ ଫେରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ ପାଇଁ ତାଙ୍କୁ ଦଳରେ ସାମିଲ କରାଯାଇଛି।

ଟି-୨୦ ଦଳ: ରୋହିତ ଶର୍ମା (କ୍ୟାପଟେନ), ଋତୁରାଜ ଗାଇକୱାଡ, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର, ଭେଙ୍କଟେଶ ଆୟର, ଦୀପକ ଚହର, ଯସପ୍ରୀତ ବୁମ୍ରା (ଉପଅଧିନାୟକ), ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ମହମ୍ମଦ ସିରାଜ, ସଞ୍ଜୁ ସାମସନ୍, ୟୁଜବେନ୍ଦ୍ର ଚହଲ, ରବି ବିଷ୍ଣୋଇ, କୁଲଦୀପ ଯାଦବ, ଅବେଶ ଖାନ |

ଟେଷ୍ଟ ଦଳ: ରୋହିତ ଶର୍ମା (କ୍ୟାପଟେନ), ମୟଙ୍କ ଅଗ୍ରୱାଲ, ପ୍ରିୟଙ୍କ ପଞ୍ଚଲ, ବିରାଟ କୋହଲି, ଶ୍ରେୟାସ ଆୟର, ହନୁମା ବିହାରୀ, ଶୁବମାନ ଗିଲ, ରିଷଭ ପନ୍ତ, କେ.ଏସ୍ ଭାରତ,ଭାରତ, ଆର ଅଶ୍ୱିନ୍ (ଫିଟନେସ୍ ଉପରେ ନିର୍ଭର), ରବିନ୍ଦ୍ର ଜାଡେଜା, ଜୟନ୍ତ ଯାଦବ, କୁଲଦୀପ ଯାଦବ, ଯସପ୍ରୀତ ବୁମ୍ରା (ଉପଅଧିନାୟକ), ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ, ସୌରଭ କୁମାର |