ବୁମରା ଓ ଆଫ୍ରିଦିଙ୍କୁ ପଛରେ ପକାଇ ରୁଟ୍ ଜିତିଲେ ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ୍ ପୁରସ୍କାର | News Room Odisha

ବୁମରା ଓ ଆଫ୍ରିଦିଙ୍କୁ ପଛରେ ପକାଇ ରୁଟ୍ ଜିତିଲେ ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ୍ ପୁରସ୍କାର

ଦୁବାଇ: ଆଇସିସି ସୋମବାର ଅଗଷ୍ଟ ମାସର ଶ୍ରେଷ୍ଠ ଖେଳାଳି ଘୋଷଣା କରିଛି। ଇଂଲଣ୍ଡର ଅଧିନାୟକ ଜୋ ରୁଟଙ୍କୁ ମାସର ଶ୍ରେଷ୍ଠ ଖେଳାଳି ଭାବେ ମନୋନୀତ କରାଯାଇଛି। ଭାରତ ବିପକ୍ଷ ଟେଷ୍ଟ ସିରିଜରେ ରୁଟ୍ ରନ୍ ବର୍ଷା କରିଥିଲେ। ସେ ଏହି ସିରିଜରେ ତିନୋଟି ଶତକ ହାସଲ କରିଥିଲେ।

ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଏବଂ ପାକିସ୍ତାନର ବୋଲର ଶାହିନ୍ ଆଫ୍ରିଦିଙ୍କୁ ପଛରେ ପକାଇ ରୁଟ୍ ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ ପୁରସ୍କାର ପାଇଛନ୍ତି। ରୁଟ୍ ଭାରତ ବିପକ୍ଷ ୪ଟି ଟେଷ୍ଟ ମ୍ୟାଚର ୭ଟି ଇନିଂସରେ ୯୪.୦୦ ଆଭରେଜରେ ୫୬୪ ରନ୍ କରିଥିଲେ। ଏହି ସିରିଜରେ ବୁମରା ମଧ୍ୟ ବୋଲିଂରେ କମାଲ୍ କରି ୧୮ଟି ୱିକେଟ୍ ନେଇଥିଲେ ।

ଲର୍ଡ ଟେଷ୍ଟରେ ଟିମ୍ ଇଣ୍ଡିଆ ବିପକ୍ଷରେ ରୁଟ୍ ୧୮୦ ରନର ଚମତ୍କାର ଇନିଂସ ଖେଳି ଅପରାଜିତ ରହିଥିଲେ। ଏଥି ସହିତ ଟ୍ରେଣ୍ଟ ବ୍ରିଜ ଏବଂ ଲିଡ୍ସରେ ମଧ୍ୟ ଇଂଲଣ୍ଡ ଅଧିନାୟକ ଶତକ ହାସଲ କରିଥିଲେ।

ରୁଟ୍ ଓ ବୁମରାଙ୍କ ବ୍ୟତୀତ ଏଥର ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ ଦୌଡ଼ରେ ପାକିସ୍ତାନର ଉଦୀୟମାନ ପେସର୍ ଶାହୀନ ଶାହା ଆଫ୍ରିଦି ମଧ୍ୟ ଥିଲେ । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚରେ ଆଫ୍ରିଦି ୧୮ଟି ୱିକେଟ୍ ନେଇଥିଲେ। ଦ୍ୱିତୀୟ ଟେଷ୍ଟରେ ସେ ଦଶଟି ୱିକେଟ୍ ନେଇଥିଲେ ଏବଂ ଏଭଳି ସଫଳତା ହାସଲ କରିବାରେ ସେ ପାକିସ୍ତାନର ଚତୁର୍ଥ କନିଷ୍ଠ ବୋଲର ହୋଇଥିଲେ |

ଅନ୍ୟପକ୍ଷେ ମହିଳା ବର୍ଗରେ ଆୟର୍ଲାଣ୍ଡର ଷ୍ଟାର ଖେଳାଳି ଏମିୟର ରିଚାର୍ଡସନ ପ୍ଲେୟାର ଅଫ୍ ଦି ମନ୍ଥ ଭାବେ ମନୋନୀତ ହୋଇଛନ୍ତି। ଗତ ମାସରେ ଆଇସିସି ମହିଳା ଟି-୨୦ ବିଶ୍ୱକପ ୟୁରୋପ କ୍ୱାଲିଫାୟରରେ ରିଚାର୍ଡସନ ଚମତ୍କାର ପ୍ରଦର୍ଶନ କରିଥିଲେ।