ଚନ୍ଦ୍ରରେ ନିଜ କାମସାରି ରୋଭର୍ ପ୍ରଜ୍ଞା ଏବେ 'ସ୍ଲିପ୍ ମୋଡ୍'ରେ, ପୁଣି ସେପ୍ଟେମ୍ବର ୨୨ରେ ହେବ ସକ୍ରିୟ | News Room Odisha

ଚନ୍ଦ୍ରରେ ନିଜ କାମସାରି ରୋଭର୍ ପ୍ରଜ୍ଞା ଏବେ ‘ସ୍ଲିପ୍ ମୋଡ୍’ରେ, ପୁଣି ସେପ୍ଟେମ୍ବର ୨୨ରେ ହେବ ସକ୍ରିୟ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ରୋଭର୍ ‘ପ୍ରଜ୍ଞା’ ଶିବଶକ୍ତି ପଏଣ୍ଟ (ଅବତରଣ ସ୍ଥାନ) ଠାରୁ ୧୦୧.୪ ମିଟର ବାଟ ଅତିକ୍ରମ କରି ନିଜ କାମ ଶେଷ କରିଛି। ଏହାପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଆଜି ରୋଭର୍ ପ୍ରଜ୍ଞାନକୁ ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ସ୍ଥାନକୁ ନେଇ ‘ସ୍ଲିପ୍ ମୋଡ୍’ରେ ରଖିଦେଇଛି। ଏଥିରେ ଲାଗିଥିବା ଉଭୟ ପେଲୋଡ୍ ଏପିଏକ୍ସଏସ୍ ଓ ଏଲଆଇବିଏସ୍‌ ବି ବନ୍ଦ କରାଯାଇଛି । ଏହି ପେଲୋଡ୍‌ରୁ ଡାଟା ଲ୍ୟାଣ୍ଡର ଜରିଆରେ ପୃଥିବୀ ପର୍ଯ୍ୟନ୍ତ ପହଞ୍ଚା ଯାଇଛି।

ରୋଭର୍‌ରେ ରହିଥିବା ବ୍ୟାଟେରି ସମ୍ପୂର୍ଣ୍ଣ ଚାର୍ଜ ରହିଛି। ଏହାକୁ ଏଭଳି ଦିଗରେ ରଖାଯାଇଛି ସେପ୍ଟେମ୍ବର ୨୨ରେ ଯେତେବେଳେ ଚନ୍ଦ୍ରରେ ପରବର୍ତ୍ତୀ ସୂର୍ଯ୍ୟୋଦୟ ହେବ, ସେତେବେଳେ ସୂର୍ଯ୍ୟର ଆଲୋକ ଏହାର ସୌର ପ୍ୟାନେଲ୍ ଉପରେ ପଡ଼ିବ। ସେଥିପାଇଁ ଏହାର ରିସିଭର୍‌କୁ ସକ୍ରିୟ ରଖାଯାଇଛି । ଆଶା ଯେ ଏହା ସେପ୍ଟେମ୍ବର ୨୨ରେ ପୁଣି ସ୍ବାଭାବିକ ଭାବେ କାର୍ଯ୍ୟ କରିବ । ଚନ୍ଦ୍ରରେ ରାତି ହେବାକୁ ଆଉ ୨-୩ ଦିନ ବାକି ଥିବା ବେଳେ ତା’ ପୂର୍ବରୁ ରୋଭର୍‌କୁ ସ୍ଲିପ୍ ମୋଡରେ ରଖିଦିଆ ଯାଇଛି ।

ସ୍ଲିପ୍ ମୋଡ୍‌ରେ ରଖାଯିବା ପୂର୍ବରୁ ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଥିଲେ, ମୁନ୍ ମିଶନ ଚନ୍ଦ୍ରଯାନ-୩ର ରୋଭର୍ ଓ ଲ୍ୟାଣ୍ଡର୍ ଭଲ ଭାବେ କାର୍ଯ୍ୟ କରୁଛନ୍ତି । ଚନ୍ଦ୍ରରେ ଦିନ ଶେଷ ହେବାକୁ ବସିଛି। ଆଉ୨-୩ ଦିନ ପରେ ସେଠାରେ ରାତି ଆରମ୍ଭ ହୋଇଯିବ । ଏହା ୧୪ ଦିନ ଧରି ଜାରି ରହିବ। ତେଣୁ ରୋଭର୍‌କୁ ‘ସ୍ଲିପ୍’ ମୋଡ୍‌ରେ ରଖାଯିବ।

ଇସ୍ରୋ ମୁଖ୍ୟ ଆହୁରି କହିଥିଲେ ଯେ ଲ୍ୟାଣ୍ଡର୍ ଓ ରୋଭର୍ ଉପରେ ବୈଜ୍ଞାନିକ ଟିମ୍ ଅହରହ ନଜର ରଖି କାର୍ଯ୍ୟ ଜାରି ରଖିଛି। ତେବେ ଭଲ ଖବର ହେଉଛି ଏ ପର୍ଯ୍ୟନ୍ତ ଉଭୟଙ୍କର ସ୍ଥିତି ସ୍ଵାଭାବିକ ରହିଛି। ସେମାନେ ଆଗାମୀ ୧୪ ଦିନ ଧରି କେମିତି ରାତ୍ରି ସମୟ ଅତିକ୍ରମ କରିବେ ତାହା ଉପରେ ନଜର ରଖାଯିବ।