ଚନ୍ଦ୍ରଯାନ-୩: ଲ୍ୟାଣ୍ଡର ବିକ୍ରମରୁ ବାହାରିଲା ରୋଭର 'ପ୍ରଜ୍ଞା', ଚନ୍ଦ୍ରରେ କରୁଛି ବୁଲାଚଲା | News Room Odisha

ଚନ୍ଦ୍ରଯାନ-୩: ଲ୍ୟାଣ୍ଡର ବିକ୍ରମରୁ ବାହାରିଲା ରୋଭର ‘ପ୍ରଜ୍ଞା’, ଚନ୍ଦ୍ରରେ କରୁଛି ବୁଲାଚଲା

ନୂଆଦିଲ୍ଲୀ: ଚନ୍ଦ୍ରରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ବିକ୍ରମର ସଫଳ ଅବତରଣ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଆଉ ଏକ ଖୁସି ଖବର ଦେଇଛି । ରୋଭର ‘ପ୍ରଜ୍ଞା’ ବିକ୍ରମ ଲ୍ୟାଣ୍ଡରରୁ ବାହାରିଛି ଏବଂ ଚନ୍ଦ୍ରପୃଷ୍ଠରେ ଓହ୍ଲାଇ ବୁଲୁଛି । ଇସ୍ରୋ ଆଜି ସକାଳେ ଟୁଇଟ୍ କରି ଏହି ସୂଚନା ଦେଇଛି ।‌ ‘ବିକ୍ରମ’ ଲ୍ୟାଣ୍ଡରରୁ ରୋଭର ”ପ୍ରଜ୍ଞା’ର ସଫଳ ବହିର୍ଗମନ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇସ୍ରୋ ଟିମକୁ ଅଭିନନ୍ଦନ ଜଣାଇଛନ୍ତି।

ରୋଭର ହେଉଛି ଏକ ୬ ଚକିଆ ରୋବୋଟିକ୍ ଯାନ, ଯାହା ଚନ୍ଦ୍ର ପୃଷ୍ଠରେ ବୁଲି ଏହି ପ୍ରାକୃତିକ ଉପଗ୍ରହର ତଥ୍ୟ ସମ୍ବଳିତ ଫଟୋ ପୃଥିବୀକୁ ପଠାଇବ । ରୋଭର ”ପ୍ରଜ୍ଞା’ରେ ଇସ୍ରୋର ଲୋଗୋ ଏବଂ ଭାରତର ତ୍ରିରଙ୍ଗା ଚିହ୍ନ ରହିଛି ।

ଚନ୍ଦ୍ରରେ ଅବତରଣ କରିବାର ଚାରି ଘଣ୍ଟା ପରେ ରୋଭର ”ପ୍ରଜ୍ଞା’ର ବାହାରକୁ ଆସିଥିଲା | ‘ପ୍ରଜ୍ଞା’ର ଗତି ସେକେଣ୍ଡ ପିଛା ଏକ ସେଣ୍ଟିମିଟର | ରୋଭର ‘ପ୍ରଜ୍ଞା’ର ମୁଖ୍ୟ କାମ ହେଉଛି ଚନ୍ଦ୍ର ପୃଷ୍ଠରୁ ତଥ୍ୟ ସଂଗ୍ରହ କରି ଇସ୍ରୋକୁ ପଠାଇବା | ‘ପ୍ରଜ୍ଞା’ ରୋଭର ମଧ୍ୟ ଚନ୍ଦ୍ର ପୃଷ୍ଠରେ ଜଳର ସନ୍ଧାନ କରିବ | ଏହାଛଡ଼ା ଏଥିରେ ଥିବା ଚାରି ପେଲୋଡ୍ ଚନ୍ଦ୍ରର ମ୍ୟାପିଂ ବ୍ୟତୀତ ଅନ୍ୟ ମହତ୍ତ୍ୱପୂର୍ଣ୍ଣ ପରୀକ୍ଷଣ ମଧ୍ୟ କରିବେ | ‘ପ୍ରଜ୍ଞା’ ରୋଭରର ଓଜନ ପ୍ରାୟ ୨୬ କିଲୋଗ୍ରାମ |

ଭାରତ ବୁଧବାର ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ସଫ୍ଟ ଲ୍ୟାଣ୍ଡିଂ କରି ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ଇତିହାସ ରଚିଥିଲା । ବିଶ୍ବର ପ୍ରଥମ ଦେଶ ଭାବେ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପାଦ ଥାପିଥିଲା । ଏହାଛଡ଼ା ଚନ୍ଦ୍ରରେ ପହଞ୍ଚିବାରେ ଆମେରିକା, ସୋଭିଏତ୍ ସଂଘ (ରୁଷ) ଓ ଚୀନ୍ ପରେ ଚତୁର୍ଥ ଦେଶ ପାଲଟିଥିଲା ।

ଇସ୍ରୋ ଅନୁଯାୟୀ, ଚନ୍ଦ୍ର ପୃଷ୍ଠ ଏବଂ ଏହାର ଆଖପାଖ ବାତାବରଣ ଅଧ୍ୟୟନ କରିବା ପାଇଁ ଲ୍ୟାଣ୍ଡର୍ ଏବଂ ରୋଭରକୁ ଗୋଟିଏ ଚନ୍ଦ୍ର ଦିବସ (ପ୍ରାୟ ୧୪ ପୃଥିବୀ ଦିବସ ସହ ସମାନ) ସମୟ ମିଳିବ | ଏହାପରେ ଏହି ଦୁଇ ଯନ୍ତ୍ର ଅକାମି ହୋଇଯିବେ । ତେବେ ଲ୍ୟାଣ୍ଡର୍ ଏବଂ ରୋଭର ଆଉ ଏକ ଚନ୍ଦ୍ର ଦିବସ ପର୍ଯ୍ୟନ୍ତ ସକ୍ରିୟ ରହିବା ସମ୍ଭାବନାକୁ ବୈଜ୍ଞାନିକମାନେ ଏଡ଼ାଇ ଦେଇନାହାଁନ୍ତି।