ଦହି ପ୍ୟାକେଟରେ ହିନ୍ଦୀ ଭାଷାର ବ୍ୟବହାର ନେଇ ବିବାଦ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ଆପତ୍ତି ପରେ ବଦଳିଲା ନିଷ୍ପତ୍ତି | News Room Odisha

ଦହି ପ୍ୟାକେଟରେ ହିନ୍ଦୀ ଭାଷାର ବ୍ୟବହାର ନେଇ ବିବାଦ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ଆପତ୍ତି ପରେ ବଦଳିଲା ନିଷ୍ପତ୍ତି

ଚେନ୍ନାଇ: ଦହି ପ୍ୟାକେଟରେ ହିନ୍ଦୀ ଭାଷାର ବ୍ୟବହାର ନେଇ ତାମିଲନାଡୁରେ ବିବାଦ ଦେଖାଦେଇଛି । ପ୍ୟାକେଟରେ ହିନ୍ଦୀରେ ‘ଦହି’ ଲେଖାଯିବା ନେଇ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ଏବଂ ଦୁଗ୍ଧ ଉତ୍ପାଦନକାରୀ ଆପତ୍ତି ଉଠାଇଛନ୍ତି । ତାମିଲନାଡୁ ଲୋକଙ୍କ ଉପରେ କେନ୍ଦ୍ର ଜବରଦସ୍ତି ହିନ୍ଦୀ ଲଦୁଛି ବୋଲି ଅଭିଯୋଗ କରିଛନ୍ତି ଷ୍ଟାଲିନ୍ ‌। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଓ ଦୁଗ୍ଧ ଉତ୍ପାଦନକାରୀଙ୍କ ବିରୋଧ ପରେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ) ଏହି ଆଦେଶ ପ୍ରତ୍ୟାହାର କରିଛି ।

ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ) ତାମିଲନାଡୁର ଦୁଗ୍ଧ ଉତ୍ପାଦକମାନଙ୍କୁ ଦହି ପ୍ୟାକେଟରେ ଇଂରାଜୀରେ ‘କର୍ଡ’ ଓ ତାମିଲ ‘ତୟୀର’ ବଦଳରେ ହିନ୍ଦୀରେ ‘ଦହି’ ଲେଖିବାକୁ ନିର୍ଦ୍ଦେଶ ଦେଇଥିଲା । ଲହୁଣୀ ଏବଂ ‘ପନିର’ ପାଇଁ ମଧ୍ୟ ସମାନ ନିର୍ଦ୍ଦେଶ ଦିଆଯାଇଥିଲା।

ଷ୍ଟାଲିନ୍ ଏପରି ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଥିଲେ । ତାମିଲନାଡୁ ଲୋକଙ୍କ ଉପରେ ଜୋର ଜବରଦସ୍ତ ହିନ୍ଦୀ ଭାଷା ଲଦିବାକୁ ଚେଷ୍ଟା କରାଯାଉଛି ବୋଲି ଷ୍ଟାଲିନ୍ କହିଥିଲେ । ଏପରିକି ତାମିଲନାଡୁ ବିଜେପି ଓ ରାଜ୍ୟର ଅନ୍ୟ ଦଳମାନେ ମଧ୍ୟ ଏହାକୁ ବିରୋଧ କରିଥିଲେ।

ଦହି ପ୍ୟାକେଟରେ ହିନ୍ଦୀ ଭାଷାକୁ ନେଇ ବିବାଦ ପରେ ଏଫ୍ଏସ୍ଏସ୍ଏଆଇ ଏଥିରେ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଥିଲା |

ନୂଆ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଦହି ପ୍ୟାକେଟରେ ଇଂରାଜୀରେ ‘କର୍ଡ’ ସହିତ ପାଞ୍ଚଟି ଭିନ୍ନ ଭାଷାରେ ଲେଖାଯାଇପାରିବ । ଏଥି ମଧ୍ୟରେ ହିନ୍ଦୀରେ ‘ଦହି’ ଏବଂ ତାମିଲର ‘ତୟୀର’ ମଧ୍ୟ ସାମିଲ ହୋଇଥିଲେ।