ଜୋମାଟୋର ୧୦ ମିନିଟ୍ ଫୁଡ୍ ଡେଲିଭରୀ ଅଫରକୁ ନେଇ ବିବାଦ | News Room Odisha

ଜୋମାଟୋର ୧୦ ମିନିଟ୍ ଫୁଡ୍ ଡେଲିଭରୀ ଅଫରକୁ ନେଇ ବିବାଦ

ନୂଆଦିଲ୍ଲୀ: ଆଜିର ବ୍ୟସ୍ତବହୁଳ ସମାଜରେ କାହା ପାଖରେ ସମୟ ନାହିଁ । କେହି ଅପେକ୍ଷା କରିବାକୁ ଚାହାଁନ୍ତି ନାହିଁ । ସମସ୍ତେ ଚାହାଁନ୍ତି ଯେ ସେମାନଙ୍କ କାମ ତତକ୍ଷଣାତ୍ ହେଇଯାଉ | ଏଭଳି ସ୍ଥିତିରେ ଡେଲିଭରୀ ସେବା ପ୍ରଦାନକାରୀ କମ୍ପାନୀଗୁଡିକର ବ୍ୟବସାୟ ବୃଦ୍ଧି ପାଇଛି | ମୋବାଇଲରେ ଅର୍ଡର କରନ୍ତୁ ଏବଂ ଗରମା ଗରମ ଖାଦ୍ୟ ହେଉ ଅବା ଦୈନନ୍ଦିନ ଆବଶ୍ୟକତା, ଏହା ଆପଣଙ୍କ ଘର ଦ୍ୱାରରେ ପହଞ୍ଚିଯିବ | ଏବେ ତ୍ବରିତ ବା ଇନଷ୍ଟାଣ୍ଟ ଡେଲିଭରୀର ଯୁଗ | ସ୍ବିଗି, ଜୋମାଟୋ, ଓଲା, ଉବର ପରି କମ୍ପାନୀଗୁଡିକ ବିଲିୟନ ଡଲାରର କମ୍ପାନୀ ହୋଇପାରିଛନ୍ତି | ଏବେ ଫୁଡ୍ ଡେଲିଭରୀ କମ୍ପାନୀ ଜୋମାଟୋ ମାତ୍ର ୧୦ ମିନିଟରେ ଅର୍ଡର ଡେଲିଭରୀ ପାଇଁ ଘୋଷଣା କରିଛି । ତେବେ ଜୋମାଟୋର ଏଭଳି ଅଫରକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏହାକୁ କିଛି ଲୋକ ବିରୋଧ ବି କରିଛନ୍ତି । ଏହା ଦ୍ବାରା ଡେଲିଭରୀ ବୟ ମାନଙ୍କ ଉପରେ ପ୍ରବଳ ଚାପ ରହିବ ବୋଲି ମତ ପ୍ରକାଶ ପାଇଛି । ଏପରିକି ୧୦ ମିନିଟ୍ ମଧ୍ୟରେ ଡେଲିଭରୀ ଲକ୍ଷ୍ୟରେ ଡେଲିଭରୀ ବୟଙ୍କ ଦୁର୍ଘଟଣାରେ ମୃତ୍ୟୁ ବି ହୋଇପାରେ । ଡେଲିଭରୀ ବୟଙ୍କ ସୁରକ୍ଷାକୁ ଅଣଦେଖା କରି ଜୋମାଟୋର ୧୦ ମିନିଟରେ ଡେଲିଭରୀ ନିଷ୍ପତ୍ତିକୁ ଅନେକ ଲୋକ ସମାଲୋଚନା କରିଛନ୍ତି । ଅଭିନେତା ସୁହେଲ ସେଠ୍, ସାଂସଦ ପ୍ରିୟଙ୍କା ଚତୁର୍ବେଦୀ, ସାଂସଦ କାର୍ତ୍ତି ଚିଦାମ୍ବରମଙ୍କ ପରି ଜଣାଶୁଣା ବ୍ୟକ୍ତିବିଶେଷ ତଥା ସାଧାରଣ ଲୋକ ମଧ୍ୟ ଟ୍ୱିଟରରେ ଜୋମାଟୋର ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଉଛନ୍ତି। ଏହି ପ୍ରସଙ୍ଗ ସଂସଦରେ ମଧ୍ୟ ଉଠିଛି।

ସଂସଦରେ ଡେଲିଭରି ବୟମାନଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ କହିଛନ୍ତି ଯେ ଦୁର୍ଘଟଣା ହେଲେ ବୀମା କମ୍ପାନୀମାନେ ଏହିପରି ଡେଲିଭରି ବୟଙ୍କୁ କ୍ଷତିପୂରଣ ମଧ୍ୟ ଦେଉନାହାଁନ୍ତି। ସେ କହିଛନ୍ତି ଯେ ଡେଲିଭରୀ ସମୟରେ ଜୋମାଟୋର ଜଣେ କର୍ମଚାରୀ ସଲିଲ ତ୍ରିପାଠୀଙ୍କ ମୃତ୍ୟୁ ହୋଇଥିଲା। ଏହି ଡେଲିଭରୀ କମ୍ପାନୀଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ସାଂସଦ କାର୍ତ୍ତି ଦାବି କରିଛନ୍ତି। ସେ ସ୍ପଷ୍ଟ କହିଛନ୍ତି ଯେ ବିନା କାରଣରେ ୧୦ ମିନିଟର ଡେଲିଭରି ସମୟ ରଖିବା ଦ୍ୱାରା, ଡେଲିଭରି ବୟର ଜୀବନ ସହିତ ଖେଳାଯାଉଛି |

ଅଭିନେତା ତଥା ଲେଖକ ସୁହେଲ ସଠ୍ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ଜୋମାଟୋର ୧୦ ମିନିଟ୍ ଡେଲିଭରୀ ଅଫର ବିପଜ୍ଜନକ ଏବଂ ଅନାବଶ୍ୟକ। ଏହାଦ୍ୱାରା ଉଭୟ ଡେଲିଭରୀ ବୟ ଏବଂ ରାସ୍ତାରେ ଯାଉଥିବା ଲୋକଙ୍କ ପ୍ରତି ବିପଦ ରହିଛି ।

ସେହିପରି ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ଜୋମାଟୋର ୧୦ ମିନିଟକିଆ ଖବରକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଏହାଦ୍ବାରା ଡେଲିଭରୀ ବୟର ସୁରକ୍ଷା ବିପଦରେ ପଡିବ । ଖାଦ୍ୟ ପାଇଁ ୩୦ ମିନିଟ୍ ଅପେକ୍ଷା କରିଦେଲେ କହାର କିଛି କ୍ଷତି ହୋଇଯିବ ନାହିଁ ବୋଲି ସେ କହିଛନ୍ତି ।