ଅର୍ପିତାଙ୍କ ଦ୍ବିତୀୟ ଫ୍ଲାଟରୁ ମିଳିଲା ୨୯ କୋଟି ନଗଦ, ପାଞ୍ଚ କେଜି ସୁନା | News Room Odisha

ଅର୍ପିତାଙ୍କ ଦ୍ବିତୀୟ ଫ୍ଲାଟରୁ ମିଳିଲା ୨୯ କୋଟି ନଗଦ, ପାଞ୍ଚ କେଜି ସୁନା

କୋଲକାତା: ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ ଦୁର୍ନୀତି ମାମଲାରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ ଗିରଫ ହେବା ପରେ ମମତା ସରକାରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି ।

ବୁଧବାର ରାତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଅଧିକାରୀମାନେ ବେଲଘରିଆ ଟାଉନ କ୍ଲବ୍ ସ୍ଥିତ ଅର୍ପିତା ମୁଖାର୍ଜୀଙ୍କ ଆଉ ଏକ ଫ୍ଲାଟରେ ଚଢାଉ କରି ବିପୁଳ ପରିମାଣର ନଗଦ ଟଙ୍କା ଜବତ କରିଛନ୍ତି। ଅର୍ପିତା ମୁଖାର୍ଜୀଙ୍କ ଏହି ଫ୍ଲାଟରୁ ୨୯ କୋଟି ଟଙ୍କା ନଗଦ ସହ ୫ କେଜି ସୁନା ଅଳଙ୍କାର ମିଳିଛି ।

ଏହି ଚଢ଼ାଉ ପରେ ଫ୍ଲାଟରୁ ମିଳିଥିବା ନଗଦ ଟଙ୍କା ଗଣିବା ପାଇଁ ଇଡି ବ୍ୟାଙ୍କ କର୍ମଚାରୀ ଓ ପାଞ୍ଚଟି କାଉଣ୍ଟିଂ ମେସିନର ସହାୟତା ନେବାକୁ ପଡ଼ିଥିଲା |

କିଛି ଦିନ ତଳେ ଅର୍ପିତା ମୁଖାର୍ଜୀଙ୍କ ଟଲିଗଞ୍ଜ ସ୍ଥିତ ଘରୁ ୨୧ କୋଟିରୁ ଅଧିକ ନଗଦ ଟଙ୍କା, ୭୬ ଲକ୍ଷ ମୂଲ୍ୟର ସୁନା ଅଳଙ୍କାର ଏବଂ ବିଦେଶୀ ମୁଦ୍ରା ଜବତ ହୋଇଥିଲା । ଏହାପରେ ଇଡି ଅର୍ପିତାଙ୍କ ସହ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଥିଲା। ଏଯାବତ୍ ଅର୍ପିତା ମୁଖାର୍ଜୀଙ୍କ ଦୁଇଟି ଘରୁ ୫୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ମିଳିଲାଣି ।

ଶିକ୍ଷକ ନିଯୁକ୍ତି ଦୁର୍ନୀତି ଯେତେବେଳେ ସାମ୍ନାକୁ ଆସିଥିଲା, ସେତେବେଳେ ପାର୍ଥ ଚାଟାର୍ଜୀ ପଶ୍ଚିମବଙ୍ଗର ଶିକ୍ଷା ମନ୍ତ୍ରୀ ଥିଲେ।

ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ବିପୁଳ ପରିମାଣର ଟଙ୍କା ଜବତ ହେବା ପରେ ପଶ୍ଚିମବଙ୍ଗ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି । ମମତା ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରୀ ପଦରୁ କାହିଁକି ହଟାଇ ନାହାଁନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଯଦି ପାର୍ଥ ଚାଟାର୍ଜୀ ଦୋଷୀ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କିଛି ଦିନ ତଳେ ତୃଣମୂଳ କଂଗ୍ରେସ ତରଫରୁ କୁହାଯାଇଥିଲା ।