ସମାଲୋଚନା ପରେ ସୋସିଆଲ ମିଡ଼ିଆ ଡିପି ବଦଳାଇଲା ଆରଏସ୍ଏସ୍, ଗେରୁଆ ଝଣ୍ଡା କାଢ଼ି ଲଗାଇଲା ତ୍ରିରଙ୍ଗା | News Room Odisha

ସମାଲୋଚନା ପରେ ସୋସିଆଲ ମିଡ଼ିଆ ଡିପି ବଦଳାଇଲା ଆରଏସ୍ଏସ୍, ଗେରୁଆ ଝଣ୍ଡା କାଢ଼ି ଲଗାଇଲା ତ୍ରିରଙ୍ଗା

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ (ଆରଏସ୍ଏସ୍) ଏବଂ ଏହାର ମୁଖ୍ୟ ମୋହନ ଭାଗଓ୍ବତ ନିଜ ସୋସିଆଲ ମିଡ଼ିଆ ଡିପି (ଡିସପ୍ଲେ ପିକଚର୍) ବଦଳାଇଛନ୍ତି । ଗେରୁଆ ପତାକା ବଦଳରେ ଉଭୟ ଆରଏସ୍ଏସ୍ ଓ ଭାଗଓ୍ବତଙ୍କ ଡିପିରେ ଏବେ ତ୍ରିରଙ୍ଗା ଲାଗିଥିବା ଦେଖିବାକୁ ମିଳୁଛି।

ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସୋସିଆଲ ମିଡ଼ିଆ ଡିପିରେ ତ୍ରିରଙ୍ଗା ଲଗାଇବାକୁ ଲୋକଙ୍କୁ ଅପିଲ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବହୁ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବିରୋଧୀଦଳ ନେତା ତଥା ସାଧାରଣ ଲୋକ ଅଗଷ୍ଟ ୨ ପରେ ତ୍ରିରଙ୍ଗାକୁ ନିଜ ସୋସିଆଲ ମିଡ଼ିଆ ଫଟୋ ଭାବେ ରଖିଥିଲେ ।

ତେବେ ଆରଏସଏସ ତଥା ସଂଘ ମୁଖ୍ୟ ମୋହନ ଭାଗଓ୍ବତ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟର ଫଟୋ ବଦଳାଇ ନଥିଲେ । ଯେଉଁ କାରଣରୁ ବିରୋଧୀ ଆରଏସଏସ ଏବଂ ବିଜେପିକୁ ଟାର୍ଗେଟ କରିଥିଲେ।

ଆରଏସ୍ଏସ୍ ଡିପି ନ ବଦଳାଇବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କଟାକ୍ଷ କରିଥିଲେ । ରାହୁଲ କହିଛନ୍ତି ଯେଉଁମାନେ ‘ହର ଘର ତ୍ରିରଙ୍ଗା” ସ୍ଲୋଗାନ ଦେଉଛନ୍ତି ସେମାନେ ଏକ ‘ଦେଶଦ୍ରୋହୀ’ ସଂଗଠନର ଅଟନ୍ତି ଯାହାକି ୫୨ ବର୍ଷ ଧରି ତ୍ରିରଙ୍ଗା ଉତ୍ତୋଳନ କରିବାକୁ ମନା କରିଦେଇଥିଲେ।

ଆରଏସ୍ଏସ୍ ସୋସିଆଲ ମିଡିଆ ଆକାଉଣ୍ଟରେ ଡିପି ବଦଳାଇବା ପରେ କଂଗ୍ରେସ ନେତା ପୱନ ଖେରା ଟ୍ୱିଟ କରି କହିଛନ୍ତି ଯେ ସପ୍ତାହେ ଧରି ପ୍ରବଳ ଚାପ ପରେ ଆରଏସଏସ ଶେଷରେ ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗା ଲଗାଇଲେ ।