ଚୀନ୍, ଜାପାନ, ଦକ୍ଷିଣ କୋରିଆ, ହଂକଂ, ଥାଇଲ୍ୟାଣ୍ଡରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆରଟି-ପିସିଆର୍ ଟେଷ୍ଟ ବାଧ୍ୟତାମୂଳକ | News Room Odisha

ଚୀନ୍, ଜାପାନ, ଦକ୍ଷିଣ କୋରିଆ, ହଂକଂ, ଥାଇଲ୍ୟାଣ୍ଡରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆରଟି-ପିସିଆର୍ ଟେଷ୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ:ଚୀନ୍, ଜାପାନ, ଦକ୍ଷିଣ କୋରିଆ, ହଂକଂ ଏବଂ ଥାଇଲ୍ୟାଣ୍ଡରୁ ଭାରତ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯିବ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବୀୟ ଶନିବାର ଏହି ସୂଚନା ଦେଇଛନ୍ତି ।

ମାଣ୍ଡବୀୟ କହିଛନ୍ତି ଯେ ଯଦି ଏହି ଦେଶଗୁଡିକରୁ ଆସୁଥିବା କୌଣସି ଯାତ୍ରୀଙ୍କଠାରେ କରୋନା ସଂକ୍ରମଣର ଲକ୍ଷଣ ଦେଖାଯାଏ କିମ୍ବା ଟେଷ୍ଟିଂରେ ଏହି ସଂକ୍ରମଣ ନିଶ୍ଚିତ ହୁଏ, ତେବେ ସେମାନଙ୍କୁ ଅଲଗା ରଖାଯିବ।

ସେ କହିଛନ୍ତି, ଏହି ଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ ଏକ ଫର୍ମ ପୂରଣ କରିବାକୁ ପଡ଼ିବ । ଏଥିରେ ସେମାନେ ନିଜ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦେବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦେଶର କୋଭିଡ୍ ସ୍ଥିତି ସମୀକ୍ଷା କରିବା ସହ ଲୋକଙ୍କୁ ମାସ୍କ ପିନ୍ଧିବା ସହ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ ।

ବିଶେଷକରି ଆନ୍ତର୍ଜାତୀୟ ବିମାନବନ୍ଦରରେ ସର୍ଭିଲାନ୍ସ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

କୋଭିଡର କୌଣସି ନୂଆ ଭାରିଆଣ୍ଟ ବିପଦକୁ ଏଡ଼ାଇବା ପାଇଁ ଶନିବାର ଠାରୁ ଅନ୍ତର୍ଜାତୀୟ ଫ୍ଲାଇଟରେ ଭାରତରେ ପହଞ୍ଚୁଥିବା ଦୁଇ ପ୍ରତିଶତ ଯାତ୍ରୀଙ୍କ ବିମାନ ବନ୍ଦରରେ ସ୍କ୍ରିନିଂ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପୂର୍ବରୁ ନାଗରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ କହିଥିଲା ।