ୟୁକ୍ରେନ ସହ ଆଲୋଚନା ପାଇଁ ପ୍ରସ୍ତୁତ ରୁଷ୍, କିନ୍ତୁ ରଖିଲା ଏହି ସର୍ତ୍ତ.. | News Room Odisha

ୟୁକ୍ରେନ ସହ ଆଲୋଚନା ପାଇଁ ପ୍ରସ୍ତୁତ ରୁଷ୍, କିନ୍ତୁ ରଖିଲା ଏହି ସର୍ତ୍ତ..

ମସ୍କୋ: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗି ଲାଭ୍ରୋଭ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ୟୁକ୍ରେନ ସେନା ଆତ୍ମସମର୍ପଣ କରନ୍ତି ତେବେ ଆମେ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ। ଏଥି ସହିତ ସେ କହିଛନ୍ତି ଯେ ରୁଷ ୟୁକ୍ରେନକୁ “ଅତ୍ୟାଚାରରୁ ମୁକ୍ତ କରିବାକୁ” ଚାହୁଁଛି ଯାହା ଦ୍ବାରା ୟୁକ୍ରେନର ଲୋକମାନେ ସେମାନଙ୍କର ଭବିଷ୍ୟତ ନିର୍ଣ୍ଣୟ କରିପାରିବେ। ବୈଦେଶିକ ମନ୍ତ୍ରୀ ଲାଭ୍ରୋଭ କହିଛନ୍ତି ଯେ ସାମ୍ପ୍ରତିକ ପରିସ୍ଥିତିରେ ରୁଷ ଚୁପ୍ ରହିପାରିବ ନାହିଁ। ୟୁକ୍ରେନ ସରକାରଙ୍କୁ ଗଣତାନ୍ତ୍ରିକ ସରକାର ଭାବେ ମାନ୍ୟତା ଦେବା ପାଇଁ ଆମେ ବର୍ତ୍ତମାନ କୌଣସି କାରଣ ଦେଖୁନାହୁଁ।

ସେପଟେ ଯୁଦ୍ଧର ଦ୍ୱିତୀୟ ଦିନରେ ରୁଷର ସୈନ୍ୟମାନେ ୟୁକ୍ରେନର ରାଜଧାନୀ କିଭରେ ପହଞ୍ଚିଛନ୍ତି। ରୁଷୀୟ ଯୁଦ୍ଧ ଟ୍ୟାଙ୍କ୍ ପ୍ରବେଶକୁ ରୋକିବା ପାଇଁ ଟେଟ୍ରିଭ ନଦୀ ଉପରେ ଥିବା ପୋଲକୁ ୟୁକ୍ରେନ ସୈନ୍ୟବାହିନୀ ଉଡ଼ାଇ ଦେଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରୁଷୀୟ ସେନା ଉତ୍ତର-ପୂର୍ବ ଏବଂ ପୂର୍ବ ଦେଇ ୟୁକ୍ରେନର ରାଜଧାନୀ କିଭ୍ ଆଡକୁ ମୁହାଁଉଛି । ସାମରିକ ଅପରେସନରୁ ବଞ୍ଚିବା ପାଇଁ ୟୁକ୍ରେନ ସରକାର ନିଜ ନାଗରିକଙ୍କୁ ଘରେ ରହିବାକୁ କହିଛନ୍ତି । ରୁଷ ଉପରେ ଚାପ ବଢାଇବା ପାଇଁ ୟୁକ୍ରେନ୍ର ରାଷ୍ଟ୍ରପତି ଜେଲେଂସ୍କି ୟୁରୋପୀୟ ସଂଘକୁ କଠୋର କଟକଣା ଲାଗୁ କରିବାକୁ ଅନୁରୋଧ କରିଛନ୍ତି।

ଇତିମଧ୍ୟରେ ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବଡ଼ ଦାବି କରିଛି । ମନ୍ତ୍ରଣାଳୟ କହିଛି ଯେ ଏପର୍ଯ୍ୟନ୍ତ ୨୪୩ ୟୁକ୍ରେନ ସୈନିକ ଏବଂ ଗୋଟିଏ ମେରାଇନ୍ ବ୍ରିଗେଡ୍ ଆତ୍ମସମର୍ପଣ କରିଛନ୍ତି। ଅଧିକନ୍ତୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ସେମାନେ ୟୁକ୍ରେନର ୧୧୮ ସୈନ୍ୟ ଘାଟି, ୧୧ଟି ଏୟାରଫିଲ୍ଡ, ୧୩ଟି କମାଣ୍ଡ ଏବଂ ଯୋଗାଯୋଗ କେନ୍ଦ୍ର, ୧୪ଏସ୍ ୩୦୦ ମିସାଇଲ୍ ସିଷ୍ଟମ ଏବଂ ୩୬ଟି ରାଡାର ଷ୍ଟେସନକୁ ମଧ୍ୟ ନଷ୍ଟ କରିଛି।