କିଭ୍ ଉପରେ ରୁଷର ବୋମା ବର୍ଷା, ଖେରସନ ସହରର ନିୟନ୍ତ୍ରଣ ହରାଇଲା ୟୁକ୍ରେନ | News Room Odisha

କିଭ୍ ଉପରେ ରୁଷର ବୋମା ବର୍ଷା, ଖେରସନ ସହରର ନିୟନ୍ତ୍ରଣ ହରାଇଲା ୟୁକ୍ରେନ

କିଭ୍: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଅଷ୍ଟମ ଦିନରେ ପହଞ୍ଚିଛି। ଗୁରୁବାର କିଭ୍ ରେ ଅତି କମରେ ଚାରିଟି ବଡ଼ ବିସ୍ଫୋରଣ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିସ୍ଫୋରଣ ପରେ ରାଜଧାନୀରେ ଏୟାର ରେଡ୍ ସାଇରନ୍ ଶୁଣିବାକୁ ମିଳିଛି। ଦୁଇଟି ବିସ୍ଫୋରଣ ସହରର କେନ୍ଦ୍ରରେ ଏବଂ ଅନ୍ୟ ଦୁଇଟି ମେଟ୍ରୋ ଷ୍ଟେସନ ନିକଟରେ ଘଟିଥିବା ଜଣାଯାଇଛି। ଭୋର୍ ପ୍ରାୟ ୩ଟାରେ ସୋସିଆଲ ମିଡିଆରେ ହୋଇଥିବା ବିସ୍ଫୋରଣର ଫୁଟେଜରେ ରାଜଧାନୀରେ ରାତିର ଆକାଶରେ ଏକ ବଡ଼ ଅଗ୍ନି ପିଣ୍ଡୁଳା ଦେଖିବାକୁ ମିଳୁଛି | ଯଦିଓ ବିସ୍ଫୋରଣର ଟାର୍ଗେଟ ଜଣାପଡ଼ି ନାହିଁ, ତଥାପି କେହି ମୃତାହତ ହୋଇଥିବା ସୂଚନା ନାହିଁ। କିଭ୍ ବ୍ୟତୀତ ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାର୍କିଭରେ ମଧ୍ୟ ପ୍ରବଳ ଗୁଳି ବିନିମୟ ହୋଇଛି।

ରିପୋର୍ଟ ଅନୁଯାୟୀ, ଡେପୁଟି ମେୟର ଭୋଲୋଡିମିର ମ୍ୟାଟସୋକିନ୍ କହିଛନ୍ତି ଯେ ସହରର କେନ୍ଦ୍ରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହାପୂର୍ବରୁ ମ୍ୟାଟସୋକିନ୍ ତାଙ୍କ ଫେସବୁକ୍ ପୃଷ୍ଠାରେ ଲେଖିଥିଲେ ଯେ ତାଙ୍କ ଆପାର୍ଟମେଣ୍ଟ କୋଠାକୁ ଏକ ବୋମା ପଡ଼ିବା ପରେ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁବାର ପୂର୍ବାହ୍ନରେ, ଦକ୍ଷିଣ ୟୁକ୍ରେନର ଏକ ପ୍ରମୁଖ ବନ୍ଦର ସହର ଖେରସନର ମେୟର ଇଗୋର କୋଲିଚେଭ ଦାବି କରିଛନ୍ତି ଯେ ରୁଷର ସୈନ୍ୟମାନେ ଏହି ସହରକୁ କବଜା କରିନେଇଛନ୍ତି। । ସେ କହିଛନ୍ତି ଯେ ସହରରେ କୌଣସି ୟୁକ୍ରେନ ସୈନ୍ୟ ନାହାଁନ୍ତି । ଖେରସନ ଏକ ବନ୍ଦର ନଗରୀ ଓ ଏହା ନିପର ନଦୀ କୂଳରେ ଅବସ୍ଥିତ ଏବଂ ଏହାର ଜନସଂଖ୍ୟା ୨୮୦,୦୦୦ରୁ ଅଧିକ।