ୟୁକ୍ରେନ ପ୍ରସଙ୍ଗରେ ନିରପେକ୍ଷ ଆଭିମୁଖ୍ୟ ପାଇଁ ଭାରତକୁ କୃତଜ୍ଞତା ଜଣାଇଲା ରୁଷ | News Room Odisha

ୟୁକ୍ରେନ ପ୍ରସଙ୍ଗରେ ନିରପେକ୍ଷ ଆଭିମୁଖ୍ୟ ପାଇଁ ଭାରତକୁ କୃତଜ୍ଞତା ଜଣାଇଲା ରୁଷ

ନୂଆଦିଲ୍ଲୀ: ୟୁକ୍ରେନ ସଙ୍କଟକୁ ନେଇ ନିରପେକ୍ଷ ଆଭିମୁଖ୍ୟ ପାଇଁ ଭାରତକୁ ରୁଷ କୃତଜ୍ଞତା ଜଣାଇଛି । ଭାରତରେ ରୁଷର ନୂଆ ରାଷ୍ଟ୍ରଦୂତ ଭାବେ ମନୋନୀତ ହୋଇଥିବା ଡେନିସ୍ ଆଲିପୋଭ କହିଛନ୍ତି ଯେ ୟୁକ୍ରେନ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ପରିସ୍ଥିତିର ମୂଲ୍ୟାୟନ ଉପରେ ଆଧାରିତ। ଏହା ଏଥିପାଇଁ ନୁହେଁ ଯେ ଭାରତ ରୁଷର ଅସ୍ତ୍ରଶସ୍ତ୍ର ଉପରେ ନିର୍ଭରଶୀଳ ବୋଲି ଆଲିପୋଭ କହିଛନ୍ତି।

ସେ କହିଛନ୍ତି, ଆମେ ଭାରତର ରଣନୀତିକ ସହଯୋଗୀ। ମିଳିତ ଜାତିସଂଘରେ ଭାରତ ନେଇଥିବା ସନ୍ତୁଳିତ ଆଭିମୁଖ୍ୟ ପାଇଁ ଆମେ ଭାରତ ନିକଟରେ କୃତଜ୍ଞ। ଏହି ସଙ୍କଟର ଗଭୀରତାକୁ ଭାରତ ବୁଝିପାରିଛି ।

ଡେନିସ୍ ଆଲିପୋଭ କହିଛନ୍ତି- ଖାରକିଭ୍ ଏବଂ ପୂର୍ବ ୟୁକ୍ରେନର ଅନ୍ୟାନ୍ୟ ଅଞ୍ଚଳରେ ଫସି ରହିଥିବା ଭାରତୀୟମାନଙ୍କୁ ନିରାପଦ ସ୍ଥାନାନ୍ତର ପାଇଁ ଆମେ ଭାରତୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛୁ। ରୁଷୀୟ ଅଞ୍ଚଳ ଦେଇ ଭାରତୀୟମାନଙ୍କୁ ସ୍ଥାନାନ୍ତର କରିବାକୁ ଭାରତ ଅନୁରୋଧ କରିଛି। ଏହା ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ସେ ନିଶ୍ଚିତ କରିଛନ୍ତି। ଡେନିସ୍ ଆଲିପୋଭ କହିଛନ୍ତି ଯେ ୟୁକ୍ରେନର ଦ୍ୱନ୍ଦ୍ୱରେ ଫସି ରହିଥିବା ଭାରତୀୟଙ୍କ ପାଇଁ ଏକ କରିଡର ନିର୍ମାଣ ଏବଂ ନିରାପଦ ସ୍ଥାନାନ୍ତର ପାଇଁ ଗମ୍ଭୀରତାର ସହ କାର୍ଯ୍ୟ କରାଯାଉଛି।

ମଙ୍ଗଳବାର ୟୁକ୍ରେନର ଖାରକିଭ ସହରରେ ରୁଷର ଗୁଳିମାଡ଼ରେ ଜଣେ ଭାରତୀୟ ଛାତ୍ର ନବୀନଙ୍କ ମୃତ୍ୟୁ ହୋଇଥିଲା। କର୍ଣ୍ଣାଟକର ବାସିନ୍ଦା ନବୀନଙ୍କ ମୃତ୍ୟୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଥିଲା। ପଡୋଶୀ ଦେଶ ୟୁକ୍ରେନ ମାଧ୍ୟମରେ ବହୁ ସଂଖ୍ୟାରେ ଭାରତୀୟ ନାଗରିକଙ୍କୁ ଭାରତ ସରକାର ସ୍ଥାନାନ୍ତର ଜାରି ରଖିଛନ୍ତି। ଏଥିପାଇଁ ବାୟୁସେନାର ସାହାଯ୍ୟ ମଧ୍ୟ ନିଆଯାଉଛି। କିନ୍ତୁ ଏବେ ମଧ୍ୟ ବହୁ ସଂଖ୍ୟକ ଭାରତୀୟ ନାଗରିକ ୟୁକ୍ରେନରେ ଫସି ରହିଛନ୍ତି। ନିକଟରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଥିଲେ। ସେହି ସମୟ ମଧ୍ୟରେ ସେ ଭାରତୀୟମାନଙ୍କୁ ନିରାପଦ ସ୍ଥାନାନ୍ତର ପ୍ରସଙ୍ଗ ଉଠାଇଥିଲେ।