ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ରୁଷର ବୈଦେଶିକ ମନ୍ତ୍ରୀ ଲାଭ୍ରୋଭ, ୟୁକ୍ରେନରେ ହିଂସା ବନ୍ଦ କରିବାକୁ ପରାମର୍ଶ ଦେଲା ଭାରତ | News Room Odisha

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ରୁଷର ବୈଦେଶିକ ମନ୍ତ୍ରୀ ଲାଭ୍ରୋଭ, ୟୁକ୍ରେନରେ ହିଂସା ବନ୍ଦ କରିବାକୁ ପରାମର୍ଶ ଦେଲା ଭାରତ

ନୂଆଦିଲ୍ଲୀ: ଭାରତ ଗସ୍ତରେ ଥିବା ରୁଷର ବୈଦେଶିକ ମନ୍ତ୍ରୀ ସର୍ଗଇ ଲାଭ୍ରୋଭ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ଏହି ସାକ୍ଷାତ ଅବସରରେ ୟୁକ୍ରେନରେ ହିଂସା ଶୀଘ୍ର ବନ୍ଦ କରିବା ପାଇଁ ପରାମର୍ଶ ଦେବା ସହ ଯୁଦ୍ଧ ଶେଷ କରିବା ଦିଗରେ ସହଯୋଗ କରିବାକୁ ପ୍ରସ୍ତାବ ଦେଇଛି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ଜାରି ଏକ ବିବୃତ୍ତି ଅନୁଯାୟୀ, ଭାରତ ଗସ୍ତରେ ଆସିଥିବା ରୁଷର ବ ବୈଦେଶିକ ମନ୍ତ୍ରୀ ମୋଦୀଙ୍କୁ କିଭ୍ ସହିତ ଚାଲିଥିବା ଶାନ୍ତି ଆଲୋଚନା ସହିତ ୟୁକ୍ରେନର ପରିସ୍ଥିତି ବିଷୟରେ ଅବଗତ କରିଥିଲେ ।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ବ୍ୟାପକ ଆଲୋଚନା କରିବା ପରେ ଲାଭ୍ରୋଭ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିଲେ। ବିବୃତ୍ତିରେ କୁହାଯାଇଛି ଯେ ୟୁକ୍ରେନର ସାମ୍ପ୍ରତିକ ସ୍ଥିତି ସମେତ ଶାନ୍ତି ଆଲୋଚନା ସମ୍ପର୍କରେ ବୈଦେଶିକ ମନ୍ତ୍ରୀ ଲାଭ୍ରୋଭ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି।

ହିଂସା ଶୀଘ୍ର ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି ଏବଂ ଶାନ୍ତି ପ୍ରୟାସରେ ଯେକୌଣସି ପ୍ରକାରେ ସହଯୋଗ କରିବାକୁ ଭାରତର ଇଚ୍ଛା ପ୍ରକାଶ କରିଛନ୍ତି ବୋଲି ବିବୃତ୍ତିରେ କୁହାଯାଇଛି।

ଗତ ବର୍ଷ ଡିସେମ୍ବରରେ ଅନୁଷ୍ଠିତ ଭାରତ- ରୁଷ ଦ୍ୱିପାକ୍ଷିକ ଶିଖର ବୈଠକରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକର ଅଗ୍ରଗତି ଉପରେ ରୁଷର ବୈଦେଶିକ ମନ୍ତ୍ରୀ ମଧ୍ୟ ଅଦ୍ୟତନ ସୂଚନା ଦେଇଛନ୍ତି। ଦୁଇ ଦିନିଆ ଚୀନ୍ ଗସ୍ତ ପରେ ଲାଭ୍ରୋଭ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ ।

କୂଟନୀତି ଏବଂ କଥାବାର୍ତ୍ତା ମାଧ୍ୟମରେ ୟୁକ୍ରେନ ସଙ୍କଟର ସମାଧାନ ପାଇଁ ଭାରତ ଉଭୟ ରୁଷ ଓ ୟୁକ୍ରେନ ଉପରେ ଚାପ ପକାଇ ଆସୁଛି । ଫେବୃଆରୀ ୨୪, ମାର୍ଚ୍ଚ ୨ ଏବଂ ମାର୍ଚ୍ଚ ୭ ରେ ମୋଦି ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଦୁଇଥର କଥା ହୋଇଛନ୍ତି।