ଖାର୍କିଭରେ ରୁଷର ମେଜର ଜେନେରାଲ ଭିଟାଲୀ ଜେରାସିମୋଭ ନିହତ; ତୃତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ବିଫଳ | News Room Odisha

ଖାର୍କିଭରେ ରୁଷର ମେଜର ଜେନେରାଲ ଭିଟାଲୀ ଜେରାସିମୋଭ ନିହତ; ତୃତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ବିଫଳ

କିଭ୍: ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ୧୩ତମ ଦିନରେ ପହଞ୍ଚିଛି | ସେପଟେ ରୁଷକୁ ଆଉ ଏକ ଶକ୍ତ ଧକ୍କା ଲାଗିଛି । ୟୁକ୍ରେନର ଖାର୍କିଭ ସହରରେ ସଂଘର୍ଷ ବେଳେ ରୁଷର ମେଜର ଜେନେରାଲ ଭିଟାଲୀ ଜେରାସିମୋଭଙ୍କୁ ନିହତ ହୋଇଥିବା ସୂଚନା ସାମ୍ନାକୁ ଆସିଛି। ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖ୍ୟ ଗୁଇନ୍ଦା ନିର୍ଦ୍ଦେଶାଳୟ ଏହି ଦାବି କରିଥିବା ‘କିଭ୍ ଇଣ୍ଡିପେଣ୍ଡେଣ୍ଟ’ ଏହାର ରିପୋର୍ଟରେ କହିଛି। ଜେରାସିମୋଭ ରୁଷର ଜଣେ ବରିଷ୍ଠ ସେନା ଅଧିକାରୀ ଦ୍ୱିତୀୟ ଚେଚେନ ଯୁଦ୍ଧରେ ଭାଗ ନେଇଥିଲେ ଏବଂ ୟୁକ୍ରେନର କ୍ରିମିୟା କବଜା ପାଇଁ ତାଙ୍କୁ ରୁଷ ସରକାର ସମ୍ମାନିତ କରିଥିଲେ ।

ଅନ୍ୟପକ୍ଷେ ସୋମବାର ବେଲାରୁଷରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ଆଲୋଚନାର ତୃତୀୟ ରାଉଣ୍ଡ ମଧ୍ୟ ବିଫଳ ହୋଇଛି । ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ସୁରକ୍ଷା ଗ୍ୟାରେଣ୍ଟି ପ୍ରସଙ୍ଗରେ ଆଲୋଚନା ଅଟକଛି ବୋଲି ୟୁକ୍ରେନ ପ୍ରତିନିଧୀ ସଦସ୍ୟ ମାଇଖାଇଲୋ ପୋଡୋଲିକ କହିଛନ୍ତି। ଅନ୍ୟପକ୍ଷେ ୟୁକ୍ରେନରେ ମାନବିକ କରିଡର ଦିଗରେ ସାମାନ୍ୟ ଅଗ୍ରଗତି ହୋଇଛି ବୋଲି କୁହାଯାଇଛି ।

ଏଥି ସହିତ ରୁଷର ରାଷ୍ଟ୍ରପତିଙ୍କ ସହକାରୀ ତଥା ରୁଷର ପ୍ରତିନିଧୀଙ୍କ ମୁଖ୍ୟ ଭ୍ଲାଡିମିର୍ ମେଡିନସ୍କି କହିଛନ୍ତି ଯେ “ରାଜନୈତିକ ଏବଂ ସାମରିକ ଦିଗ ଉପରେ ଆଲୋଚନା ଜାରି ରହିଛି। ତଥାପି ଏହା କଷ୍ଟସାଧ୍ୟ ରହିଛି। କିଛି ସକାରାତ୍ମକ କଥା କହିବା ଏତେ ଶୀଘ୍ର।” “… ଆମେ ଆଶା କରୁଛୁ ଯେ ପରବର୍ତ୍ତୀ ସମୟରେ ଆମେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ସମର୍ଥ ହେବୁ।” ରୁଷ୍-ୟୁକ୍ରେନ ଆଲୋଚନା ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା ​​|