ରୁଷକୁ ଝଟକା, ବ୍ଲାକ ସି'ରେ ବୁଡ଼ିଲା ଯୁଦ୍ଧ ତୋପ 'ମସ୍କଭା' | News Room Odisha

ରୁଷକୁ ଝଟକା, ବ୍ଲାକ ସି’ରେ ବୁଡ଼ିଲା ଯୁଦ୍ଧ ତୋପ ‘ମସ୍କଭା’

ମସ୍କୋ: ୟୁକ୍ରେନ ଯୁଦ୍ଧକୁ ୫୦ ଦିନ ପୂରିଛି । ଇତି ମଧ୍ୟରେ ରୁଷକୁ ଏକ ବଡ଼ ଝଟକା ଲାଗିଛି। ବ୍ଲାକ୍ ସି’ରେ ରୁଷର ଏକ ଯୁଦ୍ଧ ଜାହାଜ ବିସ୍ଫୋରଣ ପରେ ବୁଡି ଯାଇଛି। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁରୁବାର ବିଳମ୍ବିତ ରାତିରେ କହିଛି ଯେ ଏକ ବିସ୍ଫୋରଣ ପରେ ଗାଇଡେଡ୍ ମିସାଇଲ୍ କ୍ରୁଜର ‘ମସ୍କଭା’ ବ୍ଲାକ ସି’ରେ ବୁଡ଼ି ଯାଇଛି । ତେବେ ‘ମସ୍କଭା’ର କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ , ଏହି ବିସ୍ଫୋରଣରେ କ୍ଷେପଣାସ୍ତ୍ର କ୍ରୁଜର ମଧ୍ୟ ବହୁତ କ୍ଷତି ହୋଇଥିଲା । ରୁଷ ପାଇଁ ଏହା ଏକ ବଡ଼ ଝଟକା ବୋଲି କୁହାଯାଉଛି । କାରଣ ‘ମସ୍କଭା’ ରୁଷର ସାମରିକ ଶକ୍ତିର ଅନ୍ୟତମ ପ୍ରତୀକ ଥିଲା ।
‘ମସ୍କଭା’ ଉପରେ ମିସାଇଲ ମାଡ଼ କରିଥବା ନେଇ ୟୁକ୍ରେନ ଦାବି କରିଥିଲା । କିନ୍ତୁ ଏନେଇ ମସ୍କୋ ପକ୍ଷରୁ କିଛି କୁହାଯାଇନାହିଁ । ମସ୍କୋ କହିଛି ଯେ ବିସ୍ଫୋରଣ ପରେ ନିଆଁ ଲାଗି ଜାହାଜଟି ବୁଡିଯାଇଥିଲା ।