୫୦ ବର୍ଷରେ ସଚିନ: ବ୍ୟାଟିଂ କିମ୍ବଦନ୍ତୀଙ୍କ ଜୀବନର 'ଏ ଟୁ ଜେଡ୍' | News Room Odisha

୫୦ ବର୍ଷରେ ସଚିନ: ବ୍ୟାଟିଂ କିମ୍ବଦନ୍ତୀଙ୍କ ଜୀବନର ‘ଏ ଟୁ ଜେଡ୍’

ନୂଆଦିଲ୍ଲୀ: ଭାରତୀୟଙ୍କ ପାଇଁ ସଚିନ ତେନ୍ଦୁଲକର ଥିଲେ କ୍ରିକେଟର ଭଗବାନ । ଜଣେ ଏପରି ଖେଳାଳି ଯିଏକି ଯେକୌଣସି ପରିସ୍ଥିତିରେ ପ୍ରଦର୍ଶନ କରିପାରୁଥିଲେ ।

୧୦ ବର୍ଷ ତଳେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବା ଏହି ବ୍ୟାଟିଂ କିମ୍ବଦନ୍ତୀ ଆଜି (ଏପ୍ରିଲ ୨୪) ୫୦ତମ ବର୍ଷରେ ପାଦ ଥାପିଥିଲେ । ଏହି ଅବସରରେ ତାଙ୍କ ଜୀବନ ସହ ଜଡ଼ିତ କିଛି ବ୍ୟକ୍ତିବିଶେଷ, ସ୍ଥାନ ଏବଂ ଘଟଣାବଳୀକୁ ନେଇ ଏହି ବିଶେଷ ଉପସ୍ଥାପନା..

ଏ (ଅଞ୍ଜଳି, ଅର୍ଜୁନ, ଅଜିତ)

ସଚିନ ତେନ୍ଦୁଲକର କୁହନ୍ତି, ତାଙ୍କ ଅର୍ଦ୍ଧାଙ୍ଗିନୀ ଅଞ୍ଜଳି ହେଉଛନ୍ତି ତାଙ୍କ ଜୀବନର ‘ସର୍ବଶ୍ରେଷ୍ଠ ଭାଗିଦାରୀ’ | ପୁଅ ଅର୍ଜୁନ ବାପାଙ୍କ ପଥ ଅନୁସରଣ କରି କ୍ରିକେଟ୍ ଖେଳୁଛନ୍ତି ।‌‌ ଆଉ ଯଦି ଭାଇ ଅଜିତଙ୍କ ଅବଦାନ ନଥାନ୍ତା, ହୁଏତ ଆମେ ବାନ୍ଦ୍ରାର ସେହି ବ୍ୟାଟିଂ ବିସ୍ମୟଙ୍କ ମ୍ୟାଜିକ୍ ଦେଖିବାରୁ ବଞ୍ଚିତ ହୋଇଥା’ନ୍ତୁ।

ବି (ବ୍ରିଷ୍ଟଲ୍)

ଏହି ଭେନ୍ୟୁ ସହ ତେନ୍ଦୁଲକରଙ୍କ ଭାବପ୍ରବଣତା ଜଡ଼ିତ | ଏଠାରେ ସେ ୧୯୯୯ ବିଶ୍ବକପରେ କେନିଆ ବିପକ୍ଷରେ ୧୪୦ ରନ୍ କରିଥିଲେ । ତେବେ ସବୁଠାରୁ ବଡ଼ କଥା ହେଉଛି, ତାଙ୍କ ବାପା ପ୍ରଫେସର ରମେଶ ତେନ୍ଦୁଲକରଙ୍କ ଦେହାନ୍ତର ଏକ ସପ୍ତାହ ପରେ ସେ ଏହି ଇନିଂସ୍ ଖେଳିଥିଲେ ।

ସି (ସେଞ୍ଚୁରିଅନ)

ଦକ୍ଷିଣ ଆଫ୍ରିକାର ସେହି ଭେନ୍ୟୁ ଯେଉଁଠାରେ ତେନ୍ଦୁଲକର ବୋଧହୁଏ ତାଙ୍କ ଦିନିକିଆ କ୍ୟାରିୟରର ଅନ୍ୟତମ ଶ୍ରେଷ୍ଠ ଇନିଂସ ଖେଳିଥିଲେ । ୨୦୦୩ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ସେ ଏଠାରେ ୯୮ ରନର ମ୍ୟାଚ୍ ବିଜୟୀ ପାଳି ଖେଳିଥିଲେ | ଦ୍ରୁତ ବୋଲର ଶୋଏବ ଅଖତରଙ୍କ ଓଭରରେ ପଏଣ୍ଟ ଉପରେ ସଚିନ୍ ମାରିଥିବା ଛକା କ୍ରିକେଟ୍ ପ୍ରେମୀଙ୍କ ସର୍ବଦା ସ୍ମରଣୀୟ ରହିବ।

ଡି (ଦ ଡନ୍)

ହାରାହାରି ୯୯.୯୪ ସହ ସାର୍ ଡନ୍ ବ୍ରାଡମ୍ୟାନ୍ ସର୍ବଦା ‘ସର୍ବଶ୍ରେଷ୍ଠ’ ରହିବେ । କିନ୍ତୁ ସମସାମୟିକ କ୍ରିକେଟର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଉପରେ ବିତର୍କର ସେତେବେଳେ ଅନ୍ତ ଘଟିଥିଲା ଯେତେବେଳେ ‘ଡନ୍’ କହିଥିଲେ ଯେ ତେନ୍ଦୁଲକରଙ୍କ ବ୍ୟାଟିଂ ଶୈଳୀ ତାଙ୍କ ସହିତ ସମାନ ।

ଇ (ଇଡେନ୍ ଗାର୍ଡେନ୍ସ)

ତେନ୍ଦୁଲକର ୱାଙ୍ଖେଡେରେ ତାଙ୍କର ୨୦୦ତମ ଟେଷ୍ଟ ଖେଳିଥିଲେ । ଏହି ଭେନ୍ୟୁ ତାଙ୍କ ପ୍ରାଣ ହୋଇପାରେ, କିନ୍ତୁ ଇଡେନ୍ ଗାର୍ଡେନ୍ସ ଥିଲା ତାଙ୍କର ଅନ୍ୟତମ ପ୍ରିୟ ଭେନ୍ୟୁ ଯେଉଁଠି ସେ ତାଙ୍କର ୧୯୯ତମ ଟେଷ୍ଟ ଖେଳିଥିଲେ | ଜଣେ ବୋଲର ଭାବେ ତେନ୍ଦୁଲକର ୧୯୯୩ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ହିରୋ କପ୍ ସେମିଫାଇନାଲରେ ଶେଷ ଓଭର ବୋଲିଂ କରି ‘ଷ୍ଟାରଡମ୍’ ହାସଲ କରିଥିଲେ। ଦକ୍ଷିଣ ଆଫ୍ରିକାକୁ ୧୯୩/୯ ରେ ସୀମିତ ରଖି ଭାରତ ୧୯୫ ରନର ସ୍କୋରକୁ ଡିଫେଣ୍ଡ କରିବାରେ ସଫଳ ହୋଇଥିଲା। ୫୦ତମ ଓଭରରେ ତେନ୍ଦୁଲକର ମାତ୍ର ତିନି ରନ୍ ଦେଇଥିଲେ।

ଏଫ୍ (ଫେରାରି)

ତେନ୍ଦୁଲକରଙ୍କ ପ୍ରିୟ କାର୍ ଏବଂ ତାଙ୍କର ପ୍ରିୟ ଫର୍ମୁଲା ଓ୍ବାନ୍ ଟିମ୍ ମଧ୍ୟ | ୨୦୦୨ରେ ସେ ଏକ ଲାଲ୍ ଫେରାରୀ କାରର ମାଲିକ ହୋଇଥିଲେ । ୨୦୦୨ରେ ସାର୍ ଡନ୍ ବ୍ରାଡମ୍ୟାନଙ୍କ ୨୯ ଟେଷ୍ଟ ଶତକ ରେକର୍ଡର ସମକକ୍ଷ ହେବା ପରେ ଫେରାରି ତରଫରୁ ଏହି କାର୍ ତାଙ୍କୁ ଉପହାର ଦିଆଯାଇଥିଲା ।

ଜି (ଗୁଜରନୱାଲା)

ତେନ୍ଦୁଲକର ୪୯ ଶତକ ସହିତ ନିଜ ଦିନିକିଆ କ୍ୟାରିୟର ଶେଷ କରିଥିଲେ । କିନ୍ତୁ କ୍ୟାରିୟରର ୪୬୩ ଦିନିକିଆ ମ୍ୟାଚ୍ ମଧ୍ୟରୁ ପ୍ରଥମ ମ୍ୟାଚ୍ ଏହି ପାକିସ୍ତାନୀ ସହରରେ ଖେଳିଥିଲେ | ସେ ତାଙ୍କର ଡେବ୍ୟୁ ମ୍ୟାଚରେ କେତେ ରନ୍ କରିଥିଲେ? ସେ ଖାତା ଖୋଲିନପାରି ପ୍ୟାଭିଲିୟନ ଫେରିଥିଲେ ।

ଏଚ୍ (ହାରିସ୍ ଶିଲ୍ଡ)

ମୁମ୍ବାଇର ପ୍ରସିଦ୍ଧ ଆନ୍ତଃ-ସ୍କୁଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଯେଉଁଠି ବିନୋଦ କାମ୍ବଲିଙ୍କ ସହ ୬୬୪ ରନ୍ ରେକର୍ଡ ଭାଗିଦାରୀ ପରେ ବିଶ୍ୱ ପ୍ରଥମେ ସଚିନ ରମେଶ ତେନ୍ଦୁଲକରଙ୍କ ବିଷୟରେ ଜାଣିଥିଲା ।

ଆଇ (ଇଞ୍ଜାମାମ-ଉଲ୍-ହକ୍)

ପାକିସ୍ତାନର ଏହି ପୂର୍ବତନ ଅଧିନାୟକଙ୍କ ପାଖରେ ଥିଲା ଏକ ରୋଚକ କାହାଣୀ | ତାଙ୍କ ପୁଅ ଇବତିସାମ ତେନ୍ଦୁଲକରଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ। ୨୦୦୪ରେ ପାକିସ୍ତାନର ଐତିହାସିକ ଗସ୍ତ ସମୟରେ, ଇଞ୍ଜାମାମ ତାଙ୍କ ପୁଅକୁ ଭାରତୀୟ ଦଳର ଅଭ୍ୟାସ ସେସନରେ ତେନ୍ଦୁଲକରଙ୍କ ସହ ପରିଚିତ କରାଇଥିଲେ।

ଜେ (ଜନ୍ ମ୍ୟାକେନ୍ରୋ)

ତେନ୍ଦୁଲକର ଟେନିସକୁ ଭଲ ପାଆନ୍ତି ଏବଂ କିଶୋର ଅବସ୍ଥାରେ ସେ ଆମେରିକୀୟ କିମ୍ବଦନ୍ତୀ ଜନ୍ ମ୍ୟାକେନ୍ରୋଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ | ବୟୋଜ୍ୟେଷ୍ଠଙ୍କ ମୁହଁରୁ ଶୁଣିବାକୁ ମିଳେ, ୮୦ ଦଶକର ପ୍ରାରମ୍ଭରେ ମ୍ୟାକେନ୍ରୋଙ୍କ ପରି କୁଞ୍ଚିତ କେଶ ଥିବା ତେନ୍ଦୁଲକର ତାଙ୍କ ‘ହାଉସିଂ ସୋସାଇଟି’ରେ ନାଲି ରଙ୍ଗର ହେଡ୍ ବ୍ୟାଣ୍ଡ୍ ପିନ୍ଧି ବୁଲୁଥିବା ଦେଖିବାକୁ ମିଳୁଥିଲା।

କେ (କାମ୍ବଲି)

ତେନ୍ଦୁଲକରଙ୍କ ପିଲାଦିନର ବନ୍ଧୁ ବିନୋଦ କାମ୍ବଲି ହ୍ୟାରିସ୍ ସିଲ୍ଡ ଟୁର୍ଣ୍ଣାମେଣ୍ଟରେ ୬୬୪ ରନର ବିଶ୍ୱ ରେକର୍ଡ ଭାଗିଦାରୀରେ ତାଙ୍କର ପାର୍ଟନର ଥିଲେ | ଦୁହେଁ ଏକାଠି ଆନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିଲେ । କିନ୍ତୁ ତେନ୍ଦୁଲକର ବହୁତ ଆଗକୁ ଚାଲି ଯାଇଥିବା ବେଳେ କାମ୍ବଲି ପ୍ରାରମ୍ଭିକ ସଫଳତା ସତ୍ତ୍ୱେ ଦିଗହରା ହୋଇଯାଇଥିଲେ ।

ଏଲ୍ (ଲାରା)

ଦୁଇ ଜଣଙ୍କ ମଧ୍ୟରୁ ଶ୍ରେଷ୍ଠ କ୍ରିକେଟର କିଏ ସେନେଇ ବିତର୍କ କେବେ ବି ଶେଷ ହେବ ନାହିଁ । କିନ୍ତୁ ତେନ୍ଦୁଲକରଙ୍କ କ୍ଲାସକୁ ଉପଭୋଗ କରୁଥିବା ଲୋକେ ବ୍ରାଏନ୍ ଲାରାଙ୍କୁ ମଧ୍ୟ ପ୍ରଶଂସା କରିବାକୁ ପଡ଼ିବ | ୯୦ ଦଶକରେ କ୍ରିକେଟ୍ ପଡ଼ିଆରେ ଏହି ଯୋଡ଼ି ରାଜୁତି କରୁଥିଲେ । ପ୍ରତିଦ୍ବନ୍ଦ୍ବୀ ହେଲେ ବି ପରସ୍ପର ପ୍ରତି ଉଭୟଙ୍କ ବହୁତ ସମ୍ମାନ ଥିଲା ।

ଏମ୍ (ଗ୍ଲେନ୍ ମ୍ୟାକଗ୍ରାଥ୍)

ତେନ୍ଦୁଲକର ବନାମ ମ୍ୟାକଗ୍ରାଥ ପ୍ରତିଦ୍ୱନ୍ଦ୍ୱିତା ଟେଷ୍ଟ କ୍ରିକେଟକୁ ଜୀବନ୍ତ କରିଥିଲା। ଉଭୟ କିମ୍ବଦନ୍ତୀ ଯେତେବେଳେ କ୍ରିକେଟ୍ ପଡ଼ିଆରେ ମୁହାଁମୁହିଁ ହେଉଥିଲେ, ସେତେବେଳେ କେହି ବି ପରସ୍ପରକୁ ଇଞ୍ଚେ ଛାଡ଼ୁନଥିଲେ । ୧୯୯୦ ଓ ୨୦୦୦ ଦଶକରେ ଉଭୟଙ୍କ ପ୍ରତିଦ୍ୱନ୍ଦ୍ୱିତା ବେଶ୍ ଉପଭୋଗ୍ୟ ଥିଲା |

ଏନ୍ (ନରସିଂହ ଦେଓନାରାୟଣ)

ନରସିଂହ ଦେଓନାରାୟଣଙ୍କ ଅନ୍ତର୍ଜାତୀୟ କ୍ୟାରିୟର ବିଷୟରେ ଅଧିକ କିଛି ଲେଖିବାକୁ ନାହିଁ । କିନ୍ତୁ ଏହି ୱେଷ୍ଟଇଣ୍ଡିଜ୍ ବୋଲର ଅନ୍ତର୍ଜାତୀୟ କ୍ରିକେଟରେ ତେନ୍ଦୁଲକରଙ୍କୁ ଆଉଟ୍ କରିଥିବା ଶେଷ ବୋଲର ଥିଲେ । ୨୦୧୩ରେ ୱାଙ୍ଖେଡେ ଷ୍ଟାଡିୟମରେ ଦ୍ୱିତୀୟ ଟେଷ୍ଟରେ ୭୪ ରନ୍ କରିବା ପରେ ତେନ୍ଦୁଲକରଙ୍କୁ ୱେଷ୍ଟଇଣ୍ଡିଜର ଏହି ଅଫ୍ ସ୍ପିନର ଆଉଟ୍ କରିଥିଲେ। ତେନ୍ଦୁଲକରଙ୍କ ଏହି ବିଦାୟକାଳୀନ ଟେଷ୍ଟରେ ଭାରତ ଏକ ଇନିଂସ୍ ଓ ୧୨୬ ରନରେ ଜିତିଥିଲା।

ଓ (ଓଲ୍ଡ ଟ୍ରାଫର୍ଡ)

ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ହେଉଛି ସେହି ଗ୍ରାଉଣ୍ଡ ଯେଉଁଠାରେ ସେ ତାଙ୍କର ୧୦୦ ଅନ୍ତର୍ଜାତୀୟ ଶତକ ମଧ୍ୟରୁ ପ୍ରଥମ ଶତକ ମାରିଥିଲେ | ତାଙ୍କର ଅପରାଜିତ ୧୧୯ ରନର ଇନିଂସ୍ ବଳରେ ଇଂଲଣ୍ଡ ବିପକ୍ଷ ୧୯୯୦ ସିରିଜର ଦ୍ୱିତୀୟ ଟେଷ୍ଟକୁ ଭାରତ ଡ୍ର କରିବାରେ ସଫଳ ହୋଇଥିଲା।

ପି (ପେଶାୱାର)

ଏଠାରେ ହିଁ ଏହି ଭାରତୀୟ ଟିନ୍ଏଜ୍ ବ୍ୟାଟ୍ସମ୍ୟାନଙ୍କ ପ୍ରଚଣ୍ଡ ପ୍ରତିଭାର ଆଭାସ ପାଇଥିଲା କ୍ରିକେଟ୍ ଜଗତ । ତେନ୍ଦୁଲକର ମାତ୍ର ୧୮ ବଲରୁ ୫୩ ରନ୍ କରିଥିଲେ। ଏହା ଏକ ପ୍ରଦର୍ଶନୀ ମ୍ଯାଚ୍ ଥିଲା ଯାହା ବର୍ଷା ଦ୍ବାରା ପ୍ରଭାବିତ ହୋଇଥିଲା । ହେଲେ ଦର୍ଶକଙ୍କ ମନୋରଞ୍ଜନ କରିବା ଏବଂ ସେମାନଙ୍କ ଉପରେ ଏକ ଚିରସ୍ଥାୟୀ ଛାପ ଛାଡିବା ଲକ୍ଷ୍ୟରେ ତେନ୍ଦୁଲକର ଏକ ଟି-୨୦ ଷ୍ଟାଇଲର ଇନିଂସ ଖେଳିଥିଲେ |

କ୍ୟୁ (ଅବଦୁଲ କାଦିର)

ଯେତେବେଳେ ସେହି ପେଶାୱାର ମ୍ୟାଚ୍ ବିଷୟରେ କଥା ପଡ଼େ, ଅବଦୁଲ କାଦିର କିପରି ଅବା ପଛରେ ରହିପାରିବେ ? ତେନ୍ଦୁଲକର ଅନେକ ଥର ସେହି ଘଟଣାକୁ ମନେ ପକାଇଛନ୍ତି ଯେତେବେଳେ ମୁସ୍ତାକ ଅହମ୍ମଦଙ୍କ ବଲରେ ବଡ଼ ସଟ୍ ଖେଳିବା ପରେ କାଦିର ତାଙ୍କୁ ସ୍ଲେଜିଂ କରିଥିଲେ। କାଦିର ସଚିନଙ୍କୁ କହିଥିଲେ, “ବଚେ କୋ କ୍ୟା ମାରତେ ହୋ, ହମେ ମାର୍ କେ ଦିଖାଓ।” ଆଉ ଏହାପରେ ଯାହା ଘଟିଥିଲା ତାହା ଇତିହାସ ଥିଲା । କାରଣ ତେନ୍ଦୁଲକର କାଦିରଙ୍କ ଗୋଟିଏ ଓଭରରେ ୨୮ ରନ୍ ସଂଗ୍ରହ କରିଥିଲେ।

ଆର୍ (ରାହୁଲ ଦ୍ରାବିଡ)

ଭାରତର ଅନ୍ୟତମ ମହାନ ବ୍ୟାଟ୍ସମ୍ୟାନ ରାହୁଲ ଦ୍ରାବିଡ ଓ ସଚିନ ତେନ୍ଦୁଲକର ହେଉଛନ୍ତି ସବୁଠୁ ସଫଳ ଟେଷ୍ଟ ବ୍ୟାଟିଂ ଯୋଡି । ଉଭୟଙ୍କ ମଧ୍ୟରେ ୨୦ ଶତକୀୟ ଭାଗିଦାରୀ ଓ ୬,୯୨୦ ରନର ରେକର୍ଡ ରହିଛି |

ଏସ୍ (ଶିବାଜୀ ପାର୍କ ଜିମଖାନା)

ଏହା ହେଉଛି ସେହି ସ୍ଥାନ ଯେଉଁଠାରୁ ସଚିନଙ୍କ କ୍ରିକେଟ୍ ଯାତ୍ରା ଆରମ୍ଭ ହୋଇଥିଲା | ଗୁରୁ ରମାକାନ୍ତ ଆଚରେକରଙ୍କ କଡ଼ା ନିରୀକ୍ଷଣରେ ତେନ୍ଦୁଲକର ମୁମ୍ବାଇ କ୍ରିକେଟର ଏନ୍ତୁଡ଼ିଶାଳ କୁହାଯାଉଥିବା ଏହି ଗ୍ରାଉଣ୍ଡରେ ଖେଳର କୌଶଳ ଶିଖିଥିଲେ।

ଟି (ଟରୋଣ୍ଟୋ)

ଟରୋଣ୍ଟୋରେ ଥିବା ସ୍କେଟିଂ ଏବଂ କର୍ଲିଂ କ୍ଲବ ପଡିଆ ସବୁବେଳେ ତେନ୍ଦୁଲକରଙ୍କ ପାଇଁ ସ୍ୱତନ୍ତ୍ର ରହିବ | ଏଠାରେ ସେ ପାକିସ୍ତାନ ବିପକ୍ଷ ବିଜୟରେ 89 ବଲରୁ ଅପରାଜିତ 89 ସ୍କୋର କରି ଅଧିନାୟକ ଭାବରେ ତାଙ୍କର ପ୍ରଥମ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ପୁରସ୍କାର ପାଇଥିଲେ।

ୟୁ (ୟୁ-୨)

ତେନ୍ଦୁଲକର ଲତା ମଙ୍ଗେଶକରଙ୍କ ବଡ଼ ଫ୍ୟାନ୍ । କିନ୍ତୁ ଯେତେବେଳେ ଇଂରାଜୀ ଗୀତ କଥା ପଡ଼େ, ସେ ବିଶ୍ୱ ପ୍ରସିଦ୍ଧ ରକ୍ ବ୍ୟାଣ୍ଡ ‘ୟୁ-୨’ ର ଜଣେ ବଡ଼ ପ୍ରଶଂସକ ଅଟନ୍ତି | ‘ୟୁ-୨’ର ତାଙ୍କର ପ୍ରିୟ ଗୀତ ହେଉଛି ‘ହ୍ବେୟାର ଷ୍ଟ୍ରିଟ୍ସ ହାଭ୍ ନୋ ନେମ୍’ |

ଭି (ବିରାଟ କୋହଲି)

ଯେଉଁ ଦିନ ତେନ୍ଦୁଲକର ଅବସର ନେଇଥିଲେ, ବିରାଟ କୋହଲି ତାଙ୍କ ବାପା ଦେଇଥିବା ଏକ ଚେନ୍ ତେନ୍ଦୁଲକରଙ୍କୁ ଉପହାର ଦେଇଥିଲେ ଓ ଓ୍ବାଙ୍ଖେଡେ ଡ୍ରେସିଂ ରୁମ୍ ଭିତରେ ‘ତୁଝ୍ ମେଁ ରବ୍ ଦିଖତା ହୈ..’ ଗୀତ ଗାଇଥିଲେ।

ଡବ୍ଲୁ (ୱିମ୍ବଲଡନ୍)

ଟେନିସ ଟୁର୍ନାମେଣ୍ଟ ଯେଉଁଠିକି ଯିବାକୁ କ୍ୱଚିତ୍ ମିସ୍ କରନ୍ତି ତେନ୍ଦୁଲକର | ଏହି କିମ୍ବଦନ୍ତୀ ପ୍ରତିବର୍ଷ ୱିମ୍ବଲଡନରେ ଭିଭିଆଇପି ଷ୍ଟାଣ୍ଡରେ ବସି ସେଣ୍ଟର କୋର୍ଟରେ ମ୍ୟାଚ୍ ଦେଖୁଥିବା ଦେଖିବାକୁ ମିଳିଛି |

ଏକ୍ସ (ସେଣ୍ଟ୍ ଜାଭିଅର୍ ସ୍କୁଲ୍)

ଏହି ସ୍କୁଲ୍ ବିପକ୍ଷରେ ତେନ୍ଦୁଲକର ଏବଂ କାମ୍ବଲି ଶ୍ରଦ୍ଧାଶ୍ରମ ବିଦ୍ୟାମନ୍ଦିର ପାଇଁ ଖେଳିବାବେଳେ ହ୍ୟାରିସ୍ ସିଲ୍ଡରେ ୬୬୪ ରନର ବିଶ୍ୱ ରେକର୍ଡ ଭାଗିଦାରୀ କରିଥିଲେ।

ୱାଇ (ୟର୍କଶାୟର୍)

ବର୍ଣ୍ଣ ବୈଷମ୍ୟ ନେଇ ଅନେକ ଅଭିଯୋଗ ମୁଣ୍ଡାଇଥିବା ଇଂଲିଶ୍ କାଉଣ୍ଟି ଦଳ ୟର୍କଶାୟର ୧୯୯୦ ଦଶକରେ ତେନ୍ଦୁଲକରଙ୍କୁ ଖୋଲା ହୃଦୟରେ ସ୍ୱାଗତ କରିଥିଲା । ଏହି କ୍ଲବ୍ ପାଇଁ ଖେଳିବାରେ ଭାରତୀୟ କିମ୍ବଦନ୍ତୀ ଥିଲେ ପ୍ରଥମ ବିଦେଶୀ ଖେଳାଳି ।

ଜେଡ୍ (ଜିମ୍ବାୱେ)

ଜିମ୍ବାୱେ ବୋଲର ହେନେରୀ ଓଲୋଙ୍ଗା ଶାରଜାଠାରେ ୧୯୯୮ ଚାମ୍ପିଅନ୍ସ ଟ୍ରଫିର ଏକ ଲିଗ୍ ମ୍ୟାଚରେ ତେନ୍ଦୁଲକରଙ୍କୁ ବାଉନ୍ସର ଦ୍ବାରା ଆଉଟ୍ କରିଥିଲେ। ତେବେ ଫାଇନାଲରେ ମାଷ୍ଟର ବ୍ଲାଷ୍ଟର ଓଲୋଙ୍ଗାଙ୍କୁ ନିର୍ଧୁମ ପ୍ରହାର କରିଥିଲେ । ସଚିନ ୧୨୪ ରନର ଅପରାଜିତ ଇନିଂସ୍ ଖେଳିଥିବା ବେଳେ ଭାରତ ୧୨୦ ବଲ୍ ବାକି ଥାଇ ୧୦ ୱିକେଟରେ ଜିତିଥିଲା।