ସାକ୍ଷୀ ମଲିକଙ୍କ ଚେତାବନୀ, କହିଲେ କୁସ୍ତିଯୋଦ୍ଧାଙ୍କ ସମସ୍ୟାର ସମାଧାନ ହେଲେ ହିଁ ଏସୀୟ କ୍ରୀଡାରେ ଭାଗନେବୁ | News Room Odisha

ସାକ୍ଷୀ ମଲିକଙ୍କ ଚେତାବନୀ, କହିଲେ କୁସ୍ତିଯୋଦ୍ଧାଙ୍କ ସମସ୍ୟାର ସମାଧାନ ହେଲେ ହିଁ ଏସୀୟ କ୍ରୀଡାରେ ଭାଗନେବୁ

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଶନିବାର ହରିୟାଣାର ସୋନିପତ ଠାରେ ଏକ ମହାପଞ୍ଚାୟତ ଆୟୋଜନ କରାଯାଇଛି। ଏହି ଅବସରରେ କୁସ୍ତି ଖେଳାଳି ସାକ୍ଷୀ ମଲିକ ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ସମସ୍ୟାର ସମାଧାନ ହେଲେ ହିଁ ସେମାନେ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିବେ । ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସାକ୍ଷୀ କହିଛନ୍ତି, ଆପଣମାନେ ବୁଝିପାରୁ ନାହାଁନ୍ତି ଆମେ ପ୍ରତିଦିନ କିପରି ମାନସିକ ଯନ୍ତ୍ରଣା ସହୁଛୁ ।

ଚଳିତ ବର୍ଷ ଚାଇନାର ହାଙ୍ଗଝୁରେ ଏସୀୟ କ୍ରୀଡା ଅନୁଷ୍ଠିତ ହେବ ।

ସେପ୍ଟେମ୍ବର-ଅକ୍ଟୋବର ମାସରେ ହେବାକୁ ଥିବା ଏହି କ୍ରୀଡ଼ା ମହାକୁମ୍ଭ ଗତବର୍ଷ ଅନୁଷ୍ଠିତ ହେବାର ଥିଲା । କିନ୍ତୁ କରୋନା ମହାମାରୀ ଯୋଗୁଁ ଏସୀୟ କ୍ରୀଡ଼ାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା |

ଷ୍ଟାର କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ମଧ୍ୟ ମହାପଞ୍ଚାୟତରେ ଯୋଗ ଦେଇଥିଲେ ।

ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ବଜରଙ୍ଗ ପୁନିଆ କହିଛନ୍ତି ଯେ ସରକାରଙ୍କ ସହ ହୋଇଥିବା ଆଲୋଚନାକୁ ଆମ ସମର୍ଥନରେ ଛିଡା ହୋଇଥିବା ଲୋକଙ୍କ ଆଗରେ ରଖିବୁ | ଏହା ଖାପ ପଞ୍ଚାୟତ, କୃଷକ ସଂଗଠନ ଅବା ଅନ୍ୟ କେଉଁ ସଂଗଠନ ହେଉ ।

ଏହାପୂର୍ବରୁ ଗତ ରବିବାର ସୋନିପତ ମୁଣ୍ଡଲାନା ଠାରେ ଏକ ମହାପଞ୍ଚାୟତ ଆୟୋଜନ କରାଯାଇ କୁସ୍ତି ସଂଘର ବିଦାୟୀ ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କୁ ଗିରଫ କରିବାକୁ ଦାବି କରାଯାଇଥିଲା।

ଉକ୍ତ ମହାପଞ୍ଚାୟତରେ ଆରଏଲଡି ନେତା ଜୟନ୍ତ ଚୌଧୁରୀ ଏବଂ ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ମଧ୍ୟ ଯୋଗ ଦେଇଥିଲେ।