ସମ୍ବଲପୁର ଲୋକ ମହୋତ୍ସବ ଉଦଘାଟିତ | News Room Odisha

ସମ୍ବଲପୁର ଲୋକ ମହୋତ୍ସବ ଉଦଘାଟିତ

ସମ୍ବଲପୁର : ସମ୍ବଲପୁର ଲୋକ ମହୋତ୍ସବ ଆଜି ଉଦଘାଟିତ ହୋଇଯାଇଛି। ବୀର୍ସା ମଇଦାନରେ ଆୟୋଜିତ ଏହି ଉତ୍ସବ ଚଳିତବର୍ଷ ସବୁଠୁ ଅଧିକ ଆକର୍ଷଣୀୟ ହୋଇଛି। ବିଶାଳ ଏଲ୍ଇଡି ଖଞ୍ଜିତ ମଞ୍ଚରେ ଏଥର କଳାକାରଙ୍କୁ ଅପୂର୍ବ ଅନୁଭୂତି ମିଳିଛି। ମୁଖ୍ୟ ଅତିଥି ଭାବେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି।

ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷା ତଥା ଜିଲ୍ଲାପାଳ ଅନନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ପଣ୍ଡା ଯୋଗଦେଇ ଉତ୍ସବକୁ ଉଦଘାଟନ କରିବା ସହ ଏ ମାଟିର ସଂସ୍କୃତିର ମହାନତା ବଖାଣିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଏଠିକାର ଐତିହ୍ୟର ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ମଧ୍ୟ ସମ୍ବଲପୁର ଜିଲ୍ଲାର ବିକାଶରେ ତଥା ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ପାଇଁ ସାଧୁବାଦ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ବିଧାୟକ ନାଉରୀ ନାଏକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାଏକ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ। ପ୍ରାରମ୍ଭରୁ ସଂଯୋଜକ ରଞ୍ଜନ ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ସ୍ମରଣିକା ଉନ୍ମୋଚନ କରାଯାଇଥିଲା।

ସେହିପରି ବିଶିଷ୍ଟ ନାଟ୍ୟକାର ଶୈଳେଶ ଚନ୍ଦ୍ର ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାଛଡା ୧୯୯୭ ମସିହାର ପ୍ରଥମ ଲୋକ ମହୋତ୍ସବରୁ ବର୍ତ୍ତମାନ ଯାଏ ସଂଯୋଜକ ଦାୟିତ୍ବ ତୁଳାଇଥିବା ସମସ୍ତ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବର ନୋଡାଲ ଅଫିସର ତଥା ଏସ୍ଏମସି କମିଶନର ପ୍ରଦୀପ କୁମାର ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
ଆଜିର ପ୍ରଥମ ସନ୍ଧ୍ୟାରେ ସମ୍ବଲପୁର କଳା କେନ୍ଦ୍ର, ଯୁଯୁମୁରା ବ୍ଲକ ଟିମ୍ ପକ୍ଷରୁ କରମା ନାଚ, ଧନକଉଡା ବ୍ଲକ ଚିପିଲିମାର ବୀଣାପାଣି କଳାକେନ୍ଦ୍ରର କଳାକାରଙ୍କ ସମ୍ବଲପୁରୀ ନୃତ୍ୟ, ଭାରତୀ କଳା ବିକାଶ କେନ୍ଦ୍ର ବୁର୍ଲାର କଳାକାରଙ୍କ ସମ୍ବଲପୁରୀ ନୃତ୍ୟ, ବାମରା ବ୍ଲକ ଟିମ୍ ପକ୍ଷରୁ ନାଡୁ କିସାନ ନୃତ୍ୟ, କଟକର ଲୋକ ଶାସ୍ତ୍ର କଳାପରିଷଦ, ଯବାନ କ୍ଲବ ସମ୍ବଲପୁର, ଜିଗଜାଗ୍ କ୍ଲବ ହୀରାକୁଦ ଆଦି ନୃତ୍ୟ ବେଶ୍ ମନଛୁଆଁ ହୋଇଥିଲା। ସେହିପରି ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକ ଡୁମେରଢିପାର ମାଁ ବନଦୁର୍ଗ। ଦଣ୍ଡ ନାଚ, ସମ୍ବଲପୁର ଲହରୀ ଲୋକନୃତ୍ୟ ଅନୁଷ୍ଠାନର ସମ୍ବଲପୁରୀ ନୃତ୍ୟ ଏବଂ ରେଙ୍ଗାଲି ବ୍ଲକ ଟିମ୍ ର ପାଲା ଆଦି ଲୋକଙ୍କୁ ବାନ୍ଧି ରଖିଥିଲା। ଆଜି ସକାଳେ ବିଭିନ୍ନ ସାଂସ୍କୃତିକ ଦଳର କଳାକାରଙ୍କୁ ନେଇ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।