ସରବଜିତ ସିଂହଙ୍କ ହତ୍ୟାକାରୀ ଆମୀର ସରଫରାଜକୁ ଲାହୋରରେ ଗୁଳିକରି ହତ୍ୟା | News Room Odisha

ସରବଜିତ ସିଂହଙ୍କ ହତ୍ୟାକାରୀ ଆମୀର ସରଫରାଜକୁ ଲାହୋରରେ ଗୁଳିକରି ହତ୍ୟା

ନୂଆଦିଲ୍ଲୀ: ଭାରତୀୟ ନାଗରିକ ସରବଜିତ ସିଂହଙ୍କ ହତ୍ୟାକାରୀ ଆମୀର ସରଫରାଜକୁ ଲାହୋରରେ କିଛି ଅଜଣା ଲୋକ ଗୁଳିକରି ହତ୍ୟା କରିଛନ୍ତି । ଆମୀର ସରଫରାଜ ଓ ତାର ସହଯୋଗୀ ୨୦୧୩ ମସିହାରେ ଲାହୋର ଜେଲରେ ଭାରତୀୟ ନାଗରିକ ସରବଜିତଙ୍କୁ ପିଟିପିଟି ହତ୍ୟା କରିଥିଲେ। ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇର ନିର୍ଦ୍ଦେଶରେ ସରବଜିତଙ୍କୁ ହତ୍ୟା କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା।

ସରବଜିତଙ୍କ ହତ୍ୟା ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଡିସେମ୍ବର ୨୦୧୮ରେ ପାକିସ୍ତାନର ଏକ କୋର୍ଟ ପ୍ରମାଣ ଅଭାବରୁ ମୁକ୍ତ କରିଥିଲେ। ଆମୀର ସରଫରାଜ ବ୍ୟତୀତ ଏହି ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ଥିଲା ମୁଦାସର । ଏହି ଦୁଇଜଣଙ୍କ ବିରୋଧରେ କେହି ସାକ୍ଷ୍ୟ ଦେଇନଥିଲେ। ଭାରତୀୟ ନାଗରିକ ସରବଜିତ୍ ୧୯୯୦ରେ ଭୁଲ୍ ବଶତଃ ସୀମା ପାର କରି ପାକିସ୍ତାନ ପଳାଇଥିଲେ। ପାକିସ୍ତାନୀ ସେନା ତାଙ୍କୁ ଭାରତୀୟ ଗୁପ୍ତଚର ଭାବି ଅଟକ ରଖିଥିଲେ।

ପାକିସ୍ତାନରେ ସରବଜିତଙ୍କ ହତ୍ୟାକାରୀଙ୍କ ନିହତ ଖବର ଏପରି ଏକ ସମୟରେ ଆସିଛି ଯେତେବେଳେ ପାକିସ୍ତାନ ଭାରତ ବିରୋଧରେ ଟାର୍ଗେଟ କିଲିଂ ଅଭିଯୋଗ ଆଣିଛି। ବ୍ରିଟେନର ଖବରକାଗଜ ‘ଦି ଗାର୍ଡିଆନ’ର ଏକ ରିପୋର୍ଟ ଆଧାରରେ ପାକିସ୍ତାନ ଦାବି କରିଥିଲା ଯେ ଭାରତ ପାକିସ୍ତାନରେ ଏହାର ନାଗରିକଙ୍କୁ ବେଆଇନ ଭାବେ ହତ୍ୟା କରୁଛି।

ନିକଟରେ ‘ଦି ଗାର୍ଡିଆନ’ରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ ବିଦେଶରେ ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ରଣନୀତି ଅଧୀନରେ ଭାରତୀୟ ଗୁଇନ୍ଦା ଅପରେଟିଭ୍ ପାକିସ୍ତାନରେ ପଶି ଅନେକ ଲୋକଙ୍କ ହତ୍ୟା କରିଛନ୍ତି।