ବିଗିଡ଼ିଲା ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟ, ଆଇସିୟୁରେ ଭର୍ତ୍ତି | News Room Odisha

ବିଗିଡ଼ିଲା ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟ, ଆଇସିୟୁରେ ଭର୍ତ୍ତି

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ତାଙ୍କୁ ଦୀନ୍ ଦୟାଲ ଉପାଧ୍ୟାୟ ହସ୍ପିଟାଲରୁ ଏଲ୍ଏନଜେପି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଜୈନଙ୍କୁ ଆଇସିୟୁରେ ଅକ୍ସିଜେନ ସପୋର୍ଟରେ ରଖାଯାଇଛି।

ସତ୍ୟେନ୍ଦ୍ର ଜୈନ ବୁଧବାର ସକାଳ ପ୍ରାୟ ୭:୩୦ଟାରେ ତିହାର ଜେଲ୍ ବାଥରୁମରେ ପଡ଼ିଯାଇଥିଲେ । ତାଙ୍କ ପିଠି, ବାମ ଗୋଡ ଏବଂ କାନ୍ଧରେ ଯନ୍ତ୍ରଣା ନେଇ ଅଭିଯୋଗ ହେବା ପରେ ତାଙ୍କୁ ଦୀନ୍ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ନିଃଶ୍ବାସ ନେବାରେ କଷ୍ଟ ହେବାରୁ ତାଙ୍କୁ ଏଲ୍ଏନଜେପି ହସ୍ପିଟାଲର ଆଇସିୟୁରେ ସ୍ଥାନାନ୍ତର କରାଯାଇଥିଲା ।

ମନି ଲଣ୍ଡରିଂ ଅଭିଯୋଗରେ ଗତବର୍ଷ ମେ’ରେ ଗିରଫ ହେବା ପରଠୁ ସତ୍ୟେନ୍ଦ୍ର ଜୈନ ତିହାର ଜେଲରେ ଅଛନ୍ତି ।

ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଲେଖିଛନ୍ତି, ଜନସାଧାରଣଙ୍କୁ ଭଲ ଚିକିତ୍ସା ତଥା ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଦିନରାତି କାମ କରୁଥିବା ଜଣେ ଭଲ ଲୋକଙ୍କୁ ଆଜି ଜଣେ ଏକଛତ୍ରବାଦୀ ଶାସକ ହତ୍ୟା କରିବାକୁ ଅଡ଼ି ବସିଛି । ସେହି ଏକଛତ୍ରବାଦୀ ଶାସକର କେବଳ ଗୋଟିଏ ଚିନ୍ତା – ସମସ୍ତଙ୍କୁ ଶେଷ କରିଦେବା, ସେ କେବଳ ‘ମୁଁ’ରେ ବଞ୍ଚନ୍ତି । ଭଗବାନ ସବୁ ଦେଖୁଛନ୍ତି, ସେ ସମସ୍ତଙ୍କୁ ନ୍ୟାୟ ଦେବେ ‌। ସତ୍ୟେନ୍ଦ୍ର ଜୈନ ଶୀଘ୍ର ଆରୋଗ୍ୟ ହେବା ପାଇଁ ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି | ଏହି ପ୍ରତିକୂଳ ପରିସ୍ଥିତି ବିରୁଦ୍ଧରେ ଲଢିବାକୁ ଭଗବାନ ତାଙ୍କୁ ଶକ୍ତି ଦିଅନ୍ତୁ |