ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ତଥ୍ୟ ଦାଖଲ କଲା ଏସବିଆଇ | News Room Odisha

ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ତଥ୍ୟ ଦାଖଲ କଲା ଏସବିଆଇ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ତଥ୍ୟ ମଙ୍ଗଳବାର ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଛି। ଏହାଛଡ଼ା କୋର୍ଟଙ୍କ ଆଦେଶ ଅନୁପାଳନ ପୂର୍ବକ ଏ ବାବଦରେ ଏସବିଆଇ ମହାପ୍ରବନ୍ଧକଙ୍କ ତରଫରୁ ଏକ ସତ୍ୟପାଠ ମଧ୍ୟ ଦାଖଲ କରାଯାଇଛି ।

ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ତଥ୍ୟ ଦାଖଲ ପାଇଁ ଜୁନ୍ ୩୦ ପର୍ଯ୍ୟନ୍ତ ମହଲତ ଦେବାକୁ ଏସବିଆଇର ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଥିଲେ। କୋର୍ଟ ଏସବିଆଇକୁ ମାର୍ଚ୍ଚ ୧୨ ତଥା ମଙ୍ଗଳବାର ସୁଦ୍ଧା ବଣ୍ଡ୍ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ଖିଲାପ କଲେ ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସବିଆଇକୁ ଚେତାବନୀ ଦେଇଥିଲେ ସୁପ୍ରିମକୋର୍ଟ ।

ଏହାଛଡା ଉଚ୍ଚତମ ନ୍ୟାୟାଳୟ ମାର୍ଚ୍ଚ ୧୫ ତାରିଖ ଅପରାହ୍ନ ୫ଟା ସୁଦ୍ଧା ନିଜ ୱେବସାଇଟରେ ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ତଥ୍ୟ ସାର୍ବଜନୀନ କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏସବିଆଇ ବଣ୍ଡ୍ ତଥ୍ୟ ଦାଖଲ କରିବା ପରେ ଏବେ ନିର୍ବାଚନ କମିଶନଙ୍କ ଉପରେ ସମସ୍ତଙ୍କ ନଜର ରହିଛି ।

ଉଲ୍ଲେଖଯୋଗ୍ୟ, ଫେବୃୟାରୀ ୧୫ରେ ଏକ ଐତିହାସିକ ରାୟରେ ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡ୍ ଯୋଜନାକୁ ଅସାମ୍ବିଧାନିକ କହି ଏହାକୁ ରଦ୍ଦ କରିଥିଲେ । ଏହି ଯୋଜନା ବାକ୍ ସ୍ବାଧୀନତା ଓ ସୂଚନା ଅଧିକାରର‌ ଉଲ୍ଲଙ୍ଘନ ବୋଲି କହିଥିଲେ ସୁପ୍ରିମକୋର୍ଟ । ନିର୍ବାଚନୀ ବଣ୍ଡ୍ ଜରିଆରେ ରାଜନୈତିକ ଦଳଙ୍କୁ ମିଳିଥିବା ଚାନ୍ଦା ଓ ଦାତାଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ମାର୍ଚ୍ଚ ୬ ସୁଦ୍ଧା ନିର୍ବାଚନ କମିଶନଙ୍କୁ ଦେବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।