ସୁପ୍ରିମକୋର୍ଟରେ ପହଞ୍ଚିଲା ୟୁକ୍ରେନରେ ଫସିଥିବା ଛାତ୍ରଙ୍କ ପ୍ରସଙ୍ଗ, ଆଟର୍ଣ୍ଣି ଜେନେରାଲଙ୍କୁ ସହଯୋଗ କରିବାକୁ କହିଲେ କୋର୍ଟ | News Room Odisha

ସୁପ୍ରିମକୋର୍ଟରେ ପହଞ୍ଚିଲା ୟୁକ୍ରେନରେ ଫସିଥିବା ଛାତ୍ରଙ୍କ ପ୍ରସଙ୍ଗ, ଆଟର୍ଣ୍ଣି ଜେନେରାଲଙ୍କୁ ସହଯୋଗ କରିବାକୁ କହିଲେ କୋର୍ଟ

ନୂଆଦିଲ୍ଲୀ: ରୁଷୋ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଫସି ରହିଥିବା ଭାରତୀୟ ଛାତ୍ରଙ୍କ ପ୍ରସଙ୍ଗ ଆଜି ସୁପ୍ରିମକୋର୍ଟରେ ମଧ୍ୟ ଉଠିଛି। ଶୁଣାଣି ଆରମ୍ଭରେ କୋର୍ଟ ଏହି ମାମଲାରେ କିଛି କରିବାକୁ ଅକ୍ଷମତା ପ୍ରକାଶ କରିଥିଲେ। ପ୍ରଧାନ ବିଚାରପତି କହିଛନ୍ତି ଯେ ସେ ପୁଟିନଙ୍କୁ ଯୁଦ୍ଧ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇ ପାରିବେ ନାହିଁ। ତେବେ କୋର୍ଟ ଯେଉଁ ଛାତ୍ରମାନଙ୍କ ତରଫରୁ ପିଟିସନ ଦାୟର ହୋଇଥିଲା ତାକୁ ଆଟର୍ଣ୍ଣି ଜେନେରାଲଙ୍କ ନିକଟକୁ ପଠାଇଥିଲେ। ସରକାରଙ୍କ ସହ କଥା ହେବା ଏବଂ ଏହି ଛାତ୍ରମାନଙ୍କୁ ସାହାଯ୍ୟ କରିବାକୁ କୋର୍ଟ ଆଟର୍ଣ୍ଣି ଜେନେରାଲଙ୍କୁ କହିଛନ୍ତି।

ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଳ କୋର୍ଟଙ୍କୁ କହିଛନ୍ତି ଯେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ସରକାର ସବୁକିଛି କରୁଛନ୍ତି। ପ୍ରଧାନମନ୍ତ୍ରୀ ନିଜେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି। ଏହାର ଜବାବରେ ଛାତ୍ର ମାନଙ୍କ ତରଫରୁ ପ୍ରତିନିଧିତ୍ଵ କରୁଥିବା ଓକିଲ ଏମ୍. ଦାର୍ କହିଛନ୍ତି ଯେ ୟୁକ୍ରେନର ଓଡେସା ମେଡିକାଲ ୟୁନିଭରସିଟିରେ ପଢୁଥିବା ୩୦ ଜଣ ଛାତ୍ର ୟୁକ୍ରେନ ଏବଂ ରୋମାନିଆ ସୀମାରେ କିଛି ଦିନ ଧରି ଅଟକି ରହିଛନ୍ତି। ୟୁକ୍ରେନ ସେନା ସେମାନଙ୍କୁ ସୀମା ପାର କରିବାକୁ ଅନୁମତି ଦେଉନାହିଁ | ସେହି ଛାତ୍ରମାନେ ମାଇନସ୍ 7 ଡିଗ୍ରୀ ସେଲସିୟସରେ ଖାଦ୍ୟ ଏବଂ ପାଣି ବିନା ସମୟ ବିତାଉଛନ୍ତି।

ଏହା ଉପରେ ଆଟର୍ଣ୍ଣି ଜେନେରାଲ କହିଛନ୍ତି ଯେ ଏହି ପ୍ରସଙ୍ଗରେ ତାଙ୍କର କୌଣସି ପୃଥକ ସୂଚନା ନାହିଁ। ସାଧାରଣତଃ, ୟୁକ୍ରେନ ସୈନିକମାନେ ସୀମାରେ ପହଞ୍ଚୁଥିବା ଲୋକଙ୍କୁ ଅନ୍ୟ ଦେଶକୁ ଯିବାକୁ ଅଟକାଉ ନାହାଁନ୍ତି | ଏହାପରେ ପ୍ରଧାନ ବିଚାରପତି କହିଥିଲେ ଯେ ଦାର୍ ତାଙ୍କ ଆବେଦନକୁ ଆଟର୍ଣ୍ଣି ଜେନେରାଲଙ୍କ ନିକଟରେ ଦାଖଲ କରିବା ଉଚିତ୍। ଆଟର୍ଣ୍ଣି ଜେନେରାଲ ସରକାରଙ୍କ ସହ ଆଲୋଚନା କରିନ୍ତୁ। ଏହି ପ୍ରସଙ୍ଗରେ ଯଥାସମ୍ଭବ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତୁ |