ଜାତି ବିବାଦରେ ସମୀର ୱାଙ୍ଖେଡେଙ୍କୁ ଆଶ୍ବସ୍ତି, ଅନୁସୂଚିତ ଜାତିର ହୋଇଥିବା ସ୍ପଷ୍ଟ କଲେ ଏସସି ଆୟୋଗ | News Room Odisha

ଜାତି ବିବାଦରେ ସମୀର ୱାଙ୍ଖେଡେଙ୍କୁ ଆଶ୍ବସ୍ତି, ଅନୁସୂଚିତ ଜାତିର ହୋଇଥିବା ସ୍ପଷ୍ଟ କଲେ ଏସସି ଆୟୋଗ

ନୂଆଦିଲ୍ଲୀ: ନିଜ ଜାତିକୁ ନେଇ ବିବାଦରେ ଛନ୍ଦି ହୋଇପଡିଥିବା ଏନସିବିର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କୁ ବଡ଼ ଆଶ୍ବସ୍ତି ମିଳିଛି। ସମୀର ୱାଙ୍ଖେଡେ ଅନୁସୂଚିତ ଜାତିର ବୋଲି ଜାତୀୟ ଅନୁସୂଚିତ ଆୟୋଗ ସ୍ପଷ୍ଟ କରିଛନ୍ତି । ଗତ ଶୁକ୍ରବାର ଦିନ ଏହି ମାମଲାର ଶୁଣାଣି ବେଳେ ଏସସି ଆୟୋଗ ସ୍ବୀକାର କରିଛନ୍ତି ଯେ ସମୀର ୱାଙ୍ଖେଡେ ଅନୁସୂଚିତ ଜାତିର ଅଟନ୍ତି । ଏହାସହ ସମୀର ୱାଙ୍ଖେଡେଙ୍କ ଜାତିକୁ ନେଇ ଦୀର୍ଘ ମାସ ଧରି ଲାଗି ରହିଥିବା ବିବାଦର ଅବସାନ ଘଟିଛି ।

ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ନଓ୍ବାବ ମଲିକ ପୂର୍ବତନ ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଅଧିକାରୀ ସମୀର ୱାଙ୍ଖେଡେଙ୍କ ଜାତିକୁ ନେଇ ପ୍ରଶ୍ନ ଉଠାଇଥିଲେ । ସେ ଏକ ନକଲି ଅନୂସୂଚିତ ଜାତିଗତ ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ମଲିକ ଅଭିଯୋଗ କରିଥିଲେ। ସେ କହିଥିଲେ ଯେ ୱାଙ୍ଖେଡେ ଜଣେ ମୁସଲମାନ, ସେ ଅନୁସୂଚିତ ଜାତି ମହାର ସମ୍ପ୍ରଦାୟର ନୁହଁନ୍ତି। ମଲିକ କହିଥିଲେ ଯେ ୱାଙ୍ଖେଡେ ଏକ ଜାଲ୍ ଜାତି ପ୍ରମାଣପତ୍ର ମାଧ୍ୟମରେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାଛଡ଼ା ସେ ଜଣେ ମୁସଲମାନ ବୋଲି ସେ ଅଭିଯୋଗ କରିଥିଲେ ।

କ୍ରୁଜ୍ ଜାହାଜରେ ଡ୍ରଗ୍ସ ପାର୍ଟି ଉପରେ ଚଢ଼ାଉ ଏବଂ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଗିରଫ କରିବା ନେଇ ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବ ମଲିକ ଓ ସମୀର ୱାଙ୍ଖେଡେଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଥିଲା ।