'କାର୍ଯ୍ୟାନୁଷ୍ଠାନ ନିଅ ନଚେତ୍ ଅବମାନନା ମାମଲା ପାଇଁ ପ୍ରସ୍ତୁତ ରୁହ', ହେଟ୍ ସ୍ପିଚ୍ ନେଇ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀ | News Room Odisha

‘କାର୍ଯ୍ୟାନୁଷ୍ଠାନ ନିଅ ନଚେତ୍ ଅବମାନନା ମାମଲା ପାଇଁ ପ୍ରସ୍ତୁତ ରୁହ’, ହେଟ୍ ସ୍ପିଚ୍ ନେଇ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀ

ନୂଆଦିଲ୍ଲୀ: ହେଟ୍ ସ୍ପିଚ୍ ଉପରେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ ହସ୍ତକ୍ଷେପ କରିବା କୋର୍ଟର ଦାୟିତ୍ବ ବୋଲି କହିବା ସହ ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟର ନିଷ୍କ୍ରିୟତା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଉଭୟ କେନ୍ଦ୍ର ଓ ସବୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇ କୋର୍ଟ କହିଛନ୍ତି ଯେ ହେଟ୍ ସ୍ପିଚ୍ ଉପରେ ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ, ତେବେ ଅଦାଲତ ଅବମାନନା ମାମଲା ରୁଜୁ କରାଯିବ । ଏହାଛଡ଼ା ସୁପ୍ରିମକୋର୍ଟ ଦିଲ୍ଲୀ, ୟୁପି ଏବଂ ଉତ୍ତରାଖଣ୍ଡ ପୋଲିସକୁ ନୋଟିସ ଜାରି କରି ହେଟ୍ ସ୍ପିଚ୍ ରେ ଜଡିତ ଥିବା ଲୋକଙ୍କ ବିରୋଧରେ କ’ଣ ପଦକ୍ଷେପ ନିଆଯାଇଛି ତାର ଜବାବ ମାଗିଛନ୍ତି ।

ଆଜି ସୁପ୍ରିମକୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ ହେଟ୍ ସ୍ପିଚ୍ ସମ୍ବନ୍ଧୀୟ ଅଭିଯୋଗ ଅତ୍ୟନ୍ତ ଗମ୍ଭୀର। ଭାରତ ଏକ ଧର୍ମନିରପେକ୍ଷ ଦେଶ ଭାବେ ବିବେଚିତ ହେଉଥିଲେ ମଧ୍ୟ ଏଭଳି ଘଟଣା ଦୁର୍ଭାଗ୍ୟଜନକ । ଦେଶରେ ହେଟ୍ ସ୍ପିଚ୍ ସମ୍ପର୍କରେ ଭାରତୀୟ ଦଣ୍ଡ ସଂହିତାରେ ଉପଯୁକ୍ତ ବ୍ୟବସ୍ଥା ସତ୍ତ୍ୱେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ | ହେଟ୍ ସ୍ପିଚ୍ ଉପରେ କୌଣସି ଅଭିଯୋଗ ରୁଜୁ ନ ହେଲେ ମଧ୍ୟ ପୋଲିସ ନିଜ ଆଡୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍। ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ହେଟ୍ ସ୍ପିଚ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଅବହେଳା ହୁଏ ତେବେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଅବମାନନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି ।

ଯେଉଁମାନେ ଘୃଣା ଭାଷଣ ଦେଉଛନ୍ତି ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ଘୃଣା ଭାଷଣରେ ଯେକୌଣସି ଧର୍ମର ଲୋକ ଜଡ଼ିତ ଥାଆନ୍ତୁ ନା କାହିଁକି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ଦେଶରେ ଘୃଣାର ବାତାବରଣ ପ୍ରାଧାନ୍ୟ ବିସ୍ତାର କରିବାରେ ଲାଗିଛି । ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ସମସ୍ତଙ୍କୁ ବିଚଳିତ କରୁଛି। ଏହିପରି ମନ୍ତବ୍ୟକୁ ବରଦାସ୍ତ କରାଯାଇପାରିବ ନାହିଁ |

ଦେଶରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ହେଟ୍ ସ୍ପିଚ୍ ନେଇ ଏକ ଆବେଦନର ଶୁଣାଣି ସମୟରେ ସୁପ୍ରିମକୋର୍ଟର ଜଷ୍ଟିସ କେ.ଏମ ଜୋସେଫଙ୍କ ଖଣ୍ଡପୀଠ ଏଭଳି କଡ଼ା ଟିପ୍ପଣୀ କରିଛନ୍ତି । ଏକବିଂଶ ଶତାବ୍ଦୀରେ ବି ଧର୍ମ ନାମରେ ଆମେ କେଉଁଠାରେ ପହଞ୍ଚି ଯାଇଛୁ ବୋଲି ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ଜଷ୍ଟିସ କେ.ଏମ ଜୋସେଫ କହିଛନ୍ତି ଆମେ ଭଗବାନଙ୍କୁ କେତେ ଛୋଟ କରିଦେଇଛୁ ।