ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ମାମଲା: ଜଷ୍ଟିସ ଇନ୍ଦୁ ମଲହୋତ୍ରାଙ୍କ ନେତୃତ୍ବରେ କମିଟି ଗଠନ କଲେ ସୁପ୍ରିମକୋର୍ଟ | News Room Odisha

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ମାମଲା: ଜଷ୍ଟିସ ଇନ୍ଦୁ ମଲହୋତ୍ରାଙ୍କ ନେତୃତ୍ବରେ କମିଟି ଗଠନ କଲେ ସୁପ୍ରିମକୋର୍ଟ

ଚଣ୍ଡିଗଡ଼: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ହୋଇଥିବା ତ୍ରୁଟିର ଯାଞ୍ଚ ପାଇଁ ସୁପ୍ରିମକୋର୍ଟ ଏକ ପାଞ୍ଚ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟିର ନେତୃତ୍ୱ ନେବେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଇନ୍ଦୁ ମଲହୋତ୍ରା। ଏହି କମିଟିରେ ଏନ୍ଆଇଏ ଓ ରାଜ୍ୟ ପୋଲିସ ଅଧିକାରୀଙ୍କୁ ମଧ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟିର ସମସ୍ତ ଦିଗକୁ ଯାଞ୍ଚ୍ କରିବା ବ୍ୟତୀତ ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ନହେବା ପାଇଁ କମିଟି ପରାମର୍ଶ ମଧ୍ୟ ଦେବ।

ଜାନୁଆରୀ ୫ରେ ପଞ୍ଜାବର ଗସ୍ତରେ ସଡ଼କ ପଥ ଦେଇ ଭଟିଣ୍ଡା ଠାରୁ ଫିରୋଜପୁର ଅଭିମୁଖେ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ୨୦ ମିନିଟ୍ ପାଇଁ ଏକ ଫ୍ଲାଏ ଓଭରରେ ଅଟକି ରହିଥିଲା | କାରଣ ହଠାତ୍ ବହୁ ସଂଖ୍ୟାରେ ବିକ୍ଷୋଭକାରୀ ଫ୍ଲାଏ ଓଭର ଆଗକୁ ରାସ୍ତା ଅବରୋଧ କରିଥିଲେ। ରାଜ୍ୟ ଡିଜିପିଙ୍କ ସହମତି ପରେ ପ୍ରଧାନମନ୍ତ୍ରୀଙ୍କ ପଥ ନିର୍ଣ୍ଣୟ କରାଯାଉଥିବାରୁ ଏହା ସୁରକ୍ଷା କ୍ଷେତ୍ରରେ ଏକ ଗୁରୁତର ତ୍ରୁଟି ଭାବେ ଧରାଯାଇଥିଲା। ‘ଲୟର୍ସ ଭଏସ୍’ ନାମକ ଏକ ସଂସ୍ଥା ଏହି ମାମଲାରେ ନ୍ୟାୟଯୁକ୍ତ ତଦନ୍ତ ଦାବି କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲା । ଏହି ମାମଲାରେ କେନ୍ଦ୍ର ଓ ପଞ୍ଜାବ ସରକାରଙ୍କ ତଦନ୍ତ ଉପରେ ସୁପ୍ରିମକୋର୍ଟ ପୂର୍ବରୁ ରୋକ୍ ଲଗାଇଛନ୍ତି ।