ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ସୁରକ୍ଷା, ଅଗଷ୍ଟ ୧୦ ଯାଏଁ ଗିରଫ ଉପରେ ରୋକ୍ | News Room Odisha

ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ସୁରକ୍ଷା, ଅଗଷ୍ଟ ୧୦ ଯାଏଁ ଗିରଫ ଉପରେ ରୋକ୍

ନୂଆଦିଲ୍ଲୀ: ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ମାମଲାରେ ବିଜେପିର ନିଲମ୍ବିତ ନେତ୍ରୀ ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟ ମଙ୍ଗଳବାର ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତାଙ୍କୁ ଗିରଫ ନକରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ମାମଲାରେ ବିଭିନ୍ନ ରାଜ୍ୟରେ ନୂପୁର ଶର୍ମାଙ୍କ ବିରୋଧରେ ଡଜେନରୁ ଊର୍ଦ୍ଧ୍ବ ମାମଲା ରୁଜୁ ହୋଇଛି। ତାଙ୍କ ବିରୋଧରେ ସବୁ ମାମଲା ଏକାଠି କରି ଶୁଣାଣି ପାଇଁ ନୂପୁର ଶର୍ମା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୦ରେ କରିବାକୁ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଏହା ସହ ତାଙ୍କ ବିରୋଧରେ ସବୁ ମାମଲା ଏକାଠି କରିବା ପାଇଁ ନୂପୁର ଶର୍ମାଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ବିଭିନ୍ନ ରାଜ୍ୟକୁ ଜବାବ ଦାଖଲ କରିବାକୁ କହିଛନ୍ତି ।

ନୂପୁର ଶର୍ମା ତାଙ୍କ ଆବେଦନରେ କହିଥିଲେ ଯେ କିଛି ଦୃର୍ବୃତ୍ତ ତାଙ୍କୁ ପୁଣି ଥରେ ହତ୍ୟା ଓ ବଳାତ୍କାର ଧମକ ଦେଉଛନ୍ତି । ଏହା ସହିତ ତାଙ୍କ ବିରୋଧରେ ସମସ୍ତ ଏଫ୍ଆଇଆର୍ ଦିଲ୍ଲୀର ଏଫ୍ଆଇଆର୍ ସହିତ ଯୋଡ଼ି ଶୁଣାଣି କରିବାକୁ ନିବେଦନ କରିଥିଲେ।

ସୁପ୍ରିମକୋର୍ଟର ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ଜେ.ବି ପାରଦୀୱାଲାଙ୍କ ଖଣ୍ଡପୀଠ ଆଜି ଏହି ପିଟିସନର ଶୁଣାଣି କରି ନୂପୁର ଶର୍ମାଙ୍କୁ ସୁରକ୍ଷା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏହି ଖଣ୍ଡପୀଠ ହିଁ ଜୁଲାଇ ୧ରେ ନୂପୁର ଶର୍ମାଙ୍କ ପିଟିସନ ଶୁଣିବାକୁ ମନା କରିଦେଇଥିଲେ। କୋର୍ଟ ନୂପୁର ଶର୍ମାଙ୍କୁ ଭର୍ତ୍ସନା କରି ତାଙ୍କୁ ଉଦୟପୁର ଘଟଣା ପାଇଁ ଦାୟୀ କରିଥିଲେ । ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ସେ ଦେଶବାସୀଙ୍କୁ ଟିଭିରେ କ୍ଷମା ମାଗିବା ଉଚିତ ବୋଲି କୋର୍ଟ କହିଥିଲେ । ଶୁଣାଣି ପାଇଁ କୋର୍ଟ ମନା କରିବା ପରେ ନୂପୁର ଶର୍ମା ତାଙ୍କ ପିଟିସନ ପ୍ରତ୍ୟାହାର କରିଥିଲେ ।

ନୂପୁର ଶର୍ମାଙ୍କୁ ଭର୍ତ୍ସନା ପାଇଁ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ଜେ.ବି ପାରଦୀୱାଲା ସମାଲୋଚନାର ଶିକାର ହୋଇଥିଲେ। ବିଶେଷକରି ସୋସିଆଲ ମିଡ଼ିଆରେ ଉଭୟଙ୍କୁ ନୂପୁର ସମର୍ଥକମାନେ ଧମକ ଦେଇଥିଲେ ।

ଉଲ୍ଲେଖଯୋଗ୍ୟ ମେ ମାସରେ ଏକ ଟିଭି ବିତର୍କ ସମୟରେ ନୂପୁର ଶର୍ମା ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ, ଯାହାକୁ ବିରୋଧ କରି ଦେଶର ଅନେକ ରାଜ୍ୟରେ ତାଙ୍କ ବିରୋଧରେ ପ୍ରାୟ ଏକ ଡଜନ୍ ଏଫ୍ଆଇଆର୍ ରୁଜୁ କରାଯାଇଥିଲା। ତାଙ୍କ ମନ୍ତବ୍ୟକୁ ନେଇ ଆରବ ରାଷ୍ଟ୍ର ଗୁଡ଼ିକ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ । ଏହାପରେ ବାଧ୍ୟ ହୋଇ ବିଜେପି ନୂପୁର ଶର୍ମାଙ୍କୁ ଦଳରୁ ନିଲମ୍ବିତ କରିଥିଲା ।