ସୁପ୍ରିମକୋର୍ଟଙ୍କ ରାୟ: ୨୫ ବର୍ଷ ଜେଲଦଣ୍ଡ ପରେ ଅବୁ ସଲେମକୁ ମୁକ୍ତ କରିବାକୁ ସରକାର ବାଧ୍ୟ | News Room Odisha

ସୁପ୍ରିମକୋର୍ଟଙ୍କ ରାୟ: ୨୫ ବର୍ଷ ଜେଲଦଣ୍ଡ ପରେ ଅବୁ ସଲେମକୁ ମୁକ୍ତ କରିବାକୁ ସରକାର ବାଧ୍ୟ

ନୂଆଦିଲ୍ଲୀ: ୧୯୯୩ ମୁମ୍ବାଇ ବିସ୍ଫୋରଣ ଅଭିଯୁକ୍ତ ଅବୁ ସଲେମ ମାମଲାରେ ସୁପ୍ରିମକୋର୍ଟ କହିଛନ୍ତି ଯେ କେନ୍ଦ୍ର ସରକାର ପର୍ତ୍ତୁଗାଲକୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ବାଧ୍ୟ।

ଏହି ପ୍ରତିଶ୍ରୁତି ଅନୁଯାୟୀ, ୧୯୯୩ ମୁମ୍ବାଇ ବିସ୍ଫୋରଣ ମାମଲାରେ ୨୫ ବର୍ଷ କାରାଦଣ୍ଡ ପୂରଣ କରିବା ପରେ ସରକାର ଅବୁ ସଲେମକୁ ମୁକ୍ତ କରିବେ।

ସଲେମ ଏକ ପିଟିସନ ଦାଖଲ କରି ଯୁକ୍ତି କରିଥିଲେ ଯେ ୨୦୦୨ରେ ପର୍ତ୍ତୁଗାଲ ସହିତ ଭାରତର ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ତାଙ୍କ ଦଣ୍ଡ ୨୫ ବର୍ଷରୁ ଅଧିକ ହେବ ନାହିଁ।

ବିଚାରପତି ଏସକେ କୌଲ ଏବଂ ଏମଏମ ସୁନ୍ଦରେଶ କହିଛନ୍ତି ଯେ ପର୍ତ୍ତୁଗାଲ ସହିତ ହୋଇଥିବା ଚୁକ୍ତି ଅନୁଯାୟୀ କେନ୍ଦ୍ର ସରକାର ସାଲେମଙ୍କୁ ମୁକ୍ତ କରିବାକୁ ପରାମର୍ଶ ରାଷ୍ଟ୍ରପତିଙ୍କୁ ଦେବାକୁ ବାଧ୍ୟ।

ମୁମ୍ବାଇ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ନଭେମ୍ବର ୨୦୦୫ରେ ସଲେମଙ୍କୁ ଦଣ୍ଡିତ କରାଯାଇଥିଲା। ଦୀର୍ଘ ଦିନର ଉଦ୍ୟମ ପରେ ଅବୁ ସଲେମଙ୍କୁ ପର୍ତ୍ତୁଗାଲରୁ ପ୍ରତ୍ୟର୍ପଣ କରିବାରେ ଭାରତ ସରକାର ସଫଳ ହୋଇଥିଲେ।

ଅନ୍ୟପକ୍ଷରେ ମୁମ୍ବାଇ ବିଲଡର ପ୍ରଦୀପ ଜୈନଙ୍କ ହତ୍ୟା ମାମଲାରେ ମଧ୍ୟ ଫେବୃଆରୀ ୨୦୧୫ରେ ସଲେମଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

ତେବେ ସାଲେମଙ୍କ ସେହି ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି ଯେଉଁଥିରେ ସେ ୨୫ ବର୍ଷ କାରାଦଣ୍ଡରେ ପର୍ତ୍ତୁଗାଲରେ ହାଜତ ଏବଂ ଜେଲରେ ବିତାଇଥିବା ସମୟକୁ ମିଶାଇବାକୁ ଦାବି କରିଥିଲା ।

ସଲେମ କହିଛନ୍ତି ଯେ ତାଙ୍କ ଦଣ୍ଡ ଅବଧି ୨୦୦୫ ପୂର୍ବରୁ ଗଣାଯିବା ଉଚିତ। ମାତ୍ର ତାଙ୍କୁ ୨୦୩୦ ପରେ ହିଁ ମୁକ୍ତ କରାଯାଇପାରିବ ବୋଲି କୋର୍ଟ କହିଛନ୍ତି।