ଘରୋଇ କ୍ଷେତ୍ରରେ ହରିୟାଣା ସରକାରଙ୍କ ୭୫ ପ୍ରତିଶତ ସଂରକ୍ଷଣ ନିୟମ ଉପରୁ ସ୍ଥଗିତାଦେଶ ହଟାଇଲେ ସୁପ୍ରିମକୋର୍ଟ | News Room Odisha

ଘରୋଇ କ୍ଷେତ୍ରରେ ହରିୟାଣା ସରକାରଙ୍କ ୭୫ ପ୍ରତିଶତ ସଂରକ୍ଷଣ ନିୟମ ଉପରୁ ସ୍ଥଗିତାଦେଶ ହଟାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଘରୋଇ କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କ ପାଇଁ ହରିୟାଣା ସରକାରଙ୍କ ୭୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି । ଏନେଇ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ସ୍ଥଗିତାଦେଶକୁ ସୁପ୍ରିମକୋର୍ଟ ହଟାଇ ଦେଇଛନ୍ତି। ତେବେ ମାମଲାର ଶୀଘ୍ର ସମାଧାନର ଆବଶ୍ୟକତା ଦର୍ଶାଇ ସୁପ୍ରିମକୋର୍ଟ ଚାରି ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କୁ କହିଛନ୍ତି। ହରିୟାଣାର ବାସିନ୍ଦାଙ୍କୁ ଘରୋଇ କ୍ଷେତ୍ରରେ ଚାକିରିରେ ୭୫ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ‘ହରିୟାଣା ରାଜ୍ୟ ନିଯୁକ୍ତି ଆଇନ, ୨୦୨୦’ ଆଇନ ଲାଗୁ ହୋଇଥିଲା।

ଏହି ନିୟମକୁ କ୍ଷତିକାରକ ବୋଲି କହି ବିଭିନ୍ନ ଘରୋଇ ଉଦ୍ୟୋଗ ସଂସ୍ଥା ଏହା ବିରୋଧରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଏହି ନିୟମକୁ ଲାଗୁ କରିବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ହେବ ବୋଲି ସେମାନେ କହିଥିଲେ। ଏଥିସହିତ ଏହା ମଧ୍ୟ ଯୁକ୍ତି କରାଯାଇଥିଲା ଯେ ରାଜ୍ୟର ଏପରି ଆଇନ ପ୍ରଣୟନ କରିବା ଅଧିକାର ନାହିଁ। ଫେବୃଆରୀ ୩ରେ ହାଇକୋର୍ଟ ଏହି ଆଇନର ଉପରେ ରୋକ୍ ଲଗାଇଥିଲେ ।

ହାଇକୋର୍ଟ ସ୍ଥଗିତାଦେଶକୁ ହରିୟାଣା ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହରିୟଣା ସରକାରଙ୍କ ଯୁକ୍ତି ଥିଲା ଯେ ହାଇକୋର୍ଟ ତାଙ୍କ ପକ୍ଷର ଶୁଣାଣି ନକରି ଏକପାଖିଆ ଆଦେଶ ଦେଇଛନ୍ତି। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ୯୦ ସେକେଣ୍ଡର ଶୁଣାଣି ପରେ ହାଇକୋର୍ଟ ଏହି ଆଇନକୁ ସ୍ଥଗିତ ରଖିଛନ୍ତି। ରାଜ୍ୟ ସରକାର ଏହା ମଧ୍ୟ କହିଥିଲେ ଯେ ଏହି ସଂରକ୍ଷଣ କେବଳ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ଥିବା ଚାକିରି ପାଇଁ ଉଦ୍ଦିଷ୍ଟ |

ଗତ ସପ୍ତାହରେ ଜଷ୍ଟିସ୍ ଏଲ୍ ନାଗେଶ୍ୱରା ରାଓ ଏବଂ ବିଆର ଗାଭାଇଙ୍କ ଏକ ବେଞ୍ଚ ମାମଲାର ପରିସରକୁ ବ୍ୟାପକ କରିବାକୁ ସଙ୍କେତ ଦେଇଥିଲେ। ଖଣ୍ଡପୀଠ ପଚାରିଥିଲେ ଯେ ହରିୟାଣା ବ୍ୟତୀତ ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରେ ଏଭଳି ଆଇନ ସମ୍ପର୍କିତ ମାମଲାର ଏକାସାଙ୍ଗରେ ଶୁଣାଣି ହେବା ଉଚିତ କି? କିନ୍ତୁ ଆଜି ଉଭୟ ବିଚାରପତି ଏକମତ ହୋଇଥିଲେ ଯେ ହାଇକୋର୍ଟରେ ପ୍ରଥମେ ମାମଲାର ସମାଧାନ କରିବା ଠିକ୍ ହେବ। ବିଚାରପତିମାନେ ମଧ୍ୟ ସହମତ ହୋଇଥିଲେ ଯେ ହାଇକୋର୍ଟ ହରିୟାଣା ସରକାରଙ୍କୁ ନିଜର ମତ ପ୍ରକାଶ କରିବାକୁ ପୂର୍ଣ୍ଣ ସୁଯୋଗ ଦେଇନାହାଁନ୍ତି। କିମ୍ବା ଆଇନ ଉପରେ ରୋକ୍ ଲଗାଇବା ପାଇଁ ହାଇକୋର୍ଟ କୌଣସି କାରଣ ଦର୍ଶାଇ ନାହାଁନ୍ତି। ଏହାକୁ ଆଧାର କରି ସୁପ୍ରିମକୋର୍ଟ ସ୍ଥାନୀୟ ସଂରକ୍ଷଣ ଆଇନ ଉପରେ ଥିବା ରୋକ୍ ହଟାଇଥିଲେ।