ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ମାମଲା: ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ତଦନ୍ତ କମିଟି ଗଠନ କରିବେ ସୁପ୍ରିମକୋର୍ଟ | News Room Odisha

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ମାମଲା: ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ତଦନ୍ତ କମିଟି ଗଠନ କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପଞ୍ଜାବ ଗସ୍ତରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ହୋଇଥିବା ତ୍ରୁଟି ମାମଲାର ତଦନ୍ତ ବର୍ତ୍ତମାନ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଏକ କମିଟି ଦ୍ୱାରା କରାଯିବ। ଯେଉଁଥିରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଡିଜି ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ପଞ୍ଜାବ ୟୁନିଟ୍ ର ଅତିରିକ୍ତ ଡିଜି ସାମିଲ ହେବେ। ପ୍ରଧାନ ବିଚାରପତି ଏନ.ଭି ରମନ୍ନାଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ସୋମବାର ଏହି ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାରେ କେନ୍ଦ୍ର ଓ ରାଜ୍ୟର ତଦନ୍ତକୁ ରୋକିଛନ୍ତି ।

ଆଜି ଶୁଣାଣି ସମୟରେ କେନ୍ଦ୍ର ସରକାର କହିଛନ୍ତି ଯେ ବ୍ଲୁ ବୁକ୍ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା କରାଯାଇ ନଥିଲା। ରାଜ୍ୟରେ ଡିଜିପିଙ୍କ ତତ୍ତ୍ଵାବଧାନରେ ପ୍ରଧାନମନ୍ତ୍ରୀଙ୍କ ରୁଟ୍ ରେ ସୁରକ୍ଷା ବ୍ୟବସ୍ଥା କରାଯିବାର ଥିଲା, କିନ୍ତୁ ଏଥିରେ ଅଭାବ ଦେଖାଦେଇଥିଲା। ଏହି ମାମଲାରେ ପଞ୍ଜାବର ଅଧିକାରୀମାନଙ୍କୁ ନୋଟିସ ଦିଆଯାଇଥିଲା । ହେଲେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ଅନ୍ୟପକ୍ଷରେ ପଞ୍ଜାବ ସରକାର ନୋଟିସ ପଠାଇ ପଞ୍ଜାବର ଅଧିକାରୀମାନଙ୍କୁ ଧମକ ଦେଉଛନ୍ତି ବୋଲି କୋର୍ଟଙ୍କୁ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅବହେଳା ପାଇଁ ଯଦି କୌଣସି ଅଧିକାରୀ ଦାୟୀ ରହିବେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ । କିନ୍ତୁ ଏପରି ଅଭିଯୋଗ କରାଯିବା ଉଚିତ ନୁହେଁ। ପଞ୍ଜାବର ଆଡଭୋକେଟ୍ ଜେନେରାଲ୍ ଡିଏସ୍ ପଟୱାଲିଆ ସୁପ୍ରିମକୋର୍ଟରେ ଏକ ନିରପେକ୍ଷ ତଦନ୍ତ କମିଟି ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ ।

ଏହି ମାମଲାରେ ସୁପ୍ରିମକୋର୍ଟରେ ଗତ ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ପଞ୍ଜାବ/ହରିୟାଣା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତର ରେକର୍ଡ ସୁରକ୍ଷିତ ରଖିବାକୁ କହିଥିଲେ।

ଜାନୁଆରୀ ୫ରେ ପ୍ରଧାନମନ୍ତ୍ରୀ ମୋଦି ପଞ୍ଜାବରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିବାକୁ ଫିରୋଜପୁର ଯାଉଥିଲେ। କିଛି କୃଷକ ରାସ୍ତା ଅବରୋଧ କରିବାରୁ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ପ୍ୟାରେଆଣା ଗାଁର ଫ୍ଲାଏ ଓଭରରେ ୧୫ ରୁ ୨୦ ମିନିଟ ପର୍ଯ୍ୟନ୍ତ ଫସି ରହିଥିଲା । ଏହି କାରଣରୁ ପ୍ରଧାନମନ୍ତ୍ରୀ ଫିରୋଜପୁର ରାଲିକୁ ବାତିଲ କରି ଦିଲ୍ଲୀ ଫେରିଯାଇଥିଲେ।