ନୂଆଦିଲ୍ଲୀ: ମନି ଲଣ୍ଡରିଂ ଆଇନ (ପିଏମ୍ଏଲ୍ଏ) ଅଧୀନରେ ଇଡି ଦ୍ୱାରା ଗିରଫ, ଜବତ ଏବଂ ତଦନ୍ତ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ରାୟ ପ୍ରକାଶ କରିଛନ୍ତି । ପିଏମ୍ଏଲ୍ଏ ମାମଲାରେ ଗିରଫ କରିବା ଅଧିକାର ସହ ଇଡିକୁ ଯେଉଁ ସବୁ କ୍ଷମତା ଦିଆଯାଇଛି ତାହାକୁ ସୁପ୍ରିମକୋର୍ଟ ବଜାୟ ରଖିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ପିଏମ୍ଏଲ୍ଏ ଅଧୀନରେ ଗିରଫ ପ୍ରକ୍ରିୟା ମନମୁଖୀ ନୁହେଁ । ଅପରାଧୀର ଆୟ, ତଦନ୍ତ ଏବଂ ଜବତ, ଗିରଫଦାରୀ, ସମ୍ପତ୍ତି ବାଜ୍ୟାପ୍ତି ଏବଂ ଜାମିନ ସର୍ତ୍ତାବଳୀ ଆଦି ପିଏମ୍ଏଲ୍ଏ ର କଠୋର ପ୍ରାବଧାନକୁ ସୁପ୍ରିମକୋର୍ଟ ବଜାୟ ରଖିଛନ୍ତି ।
ପିଏମ୍ଏଲ୍ଏକୁ ଚ୍ୟାଲେଞ୍ଜ କରି କାର୍ତ୍ତି ଚିଦାମ୍ବରମ, ଅନିଲ ଦେଶମୁଖଙ୍କ ସମେତ ମୋଟ ୨୪୨ ଟି ପିଟିସନ ଉପରେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି। କୋର୍ଟ କହିଛନ୍ତି ଯେ ପିଏମ୍ଏଲ୍ଏ ଅଧୀନରେ ଗିରଫ କରିବା ଇଡିର ଅଧିକାର କାଏମ ରହିବ। ଗିରଫ ପ୍ରକ୍ରିୟା ମନମୁଖୀ ନୁହେଁ। ଜଷ୍ଟିସ ଏମ ଖାନୱିଲକର, ଜଷ୍ଟିସ ଦୀନେଶ ମହେଶ୍ୱରୀ ଏବଂ ସିଟି ରବି କୁମାରଙ୍କ ଏକ ସ୍ୱତନ୍ତ୍ର ବେଞ୍ଚ ଏହି ରାୟ ଦେଇଛନ୍ତି।
ଜଷ୍ଟିସ ଖାନୱିଲକର ଏହି ରାୟ ଘୋଷଣା କରିବାବେଳେ କହିଛନ୍ତି ଯେ ପିଏମ୍ଏଲ୍ଏ ଆଇନରେ କିଛି ସଂଶୋଧନ କରାଯାଇଥିଲା, ଯାହାର ଯଥାର୍ଥତା ନେଇ ପ୍ରଶ୍ନ ଉଠିଥିଲା । ସଂସଦ ଦ୍ୱାରା ସଂଶୋଧନ ହୋଇଥାଇ ପାରେ କି ନାହିଁ ଆମେ ତାହା ଉପରେ ନିଷ୍ପତ୍ତି ୭-ଜଜ୍ ବେଞ୍ଚ ଉପରେ ଛାଡ଼ି ଦେଇଛୁ ।
ସୁପ୍ରିମକୋର୍ଟ କହିଛନ୍ତି ଯେ ଧାରା ୩ ଅନୁଯାୟୀ ହୋଇଥିବା ଅପରାଧ ବେଆଇନ ଭାବେ ଲାଭ ହାସଲ ଉପରେ ଆଧାରିତ। ୨୦୦୨ ଆଇନ ଅନୁଯାୟୀ, ଯଦି କୌଣସି ପ୍ରାଧିକୃତ ଫୋରମ୍ ପୂର୍ବରୁ ଏପରି ଅଭିଯୋଗ ଉପସ୍ଥାପିତ ନହୁଏ ତେବେ କର୍ତ୍ତୃପକ୍ଷ କାହା ବିରୋଧରେ ମକଦ୍ଦମା କରିପାରିବେ ନାହିଁ। ଧାରା ୫ ସାମ୍ବିଧାନିକ ଭାବରେ ବୈଧ | ଏହି ଧାରା ଏକ ସନ୍ତୁଳିତ କାର୍ଯ୍ୟ କରେ ଏବଂ ଅପରାଧର ଆୟ କିପରି ଯାଞ୍ଚ୍ କରାଯାଇପାରିବ ତାହା ଦର୍ଶାଏ |
ସୁପ୍ରିମକୋର୍ଟ କହିଛନ୍ତି ଯେ ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତକୁ ଗିରଫ କରିବା ସମୟରେ ଗିରଫ ହେବାର କାରଣ ପ୍ରକାଶ କରିବା ଇଡି ଅଧିକାରୀଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ।