ଆଜି ଦ୍ୱିତୀୟ କ୍ବାଲିଫାୟର: ଫାଇନାଲରେ ସ୍ଥାନ ପାଇଁ ରାଜସ୍ଥାନ ରୟାଲ୍ସ - ସନରାଇଜର୍ସ ମଧ୍ୟରେ ଲଢ଼େଇ  | News Room Odisha

ଆଜି ଦ୍ୱିତୀୟ କ୍ବାଲିଫାୟର: ଫାଇନାଲରେ ସ୍ଥାନ ପାଇଁ ରାଜସ୍ଥାନ ରୟାଲ୍ସ – ସନରାଇଜର୍ସ ମଧ୍ୟରେ ଲଢ଼େଇ 

ଚେନ୍ନାଇ: ଆଜି ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଆଇପିଏଲ୍ ୨୦୨୪ର ଦ୍ୱିତୀୟ କ୍ବାଲିଫାୟର ମ୍ୟାଚ୍ ଚେନ୍ନାଇର ଏମ୍ ଚିଦାମ୍ବରମ୍ ଷ୍ଟାଡିୟମ୍ (ଚେପକ୍)ରେ ଖେଳାଯିବ। ଏହି ମ୍ୟାଚରେ ବିଜେତା ଦଳ ଫାଇନାଲକୁ ଉନ୍ନୀତ ହେବ।

୨୦୧୬ ଚାମ୍ପିୟନ ସନରାଇଜର୍ସ ହାଇଦ୍ରାବାଦ ସପ୍ତମ ଥର ପାଇଁ ଆଇପିଏଲ୍ ପ୍ଲେ ଅଫ୍ ରେ ପହଞ୍ଚିଛି | ଦଳ ୨୦୧୩ରେ ପ୍ରଥମ ଥର ପାଇଁ ପ୍ଲେ ଅଫ୍ ଖେଳିଥିଲା, ଯାହା ଏହାର ଡେବ୍ୟୁ ସିଜନ୍ ଥିଲା | ହାଇଦ୍ରାବାଦ ୪ ବର୍ଷ ପରେ ପ୍ଲେ ଅଫରେ ପହଞ୍ଚିଛି | ଏପର୍ଯ୍ୟନ୍ତ ହାଇଦ୍ରାବାଦ ୬ଟି ପ୍ଲେ ଅଫ୍ ଖେଳିଥିବା ବେଳେ ୨ଥର ଫାଇନାଲରେ ପ୍ରବେଶ କରିଛି | ଦଳ ୨୦୧୬ରେ ଟାଇଟଲ୍ ଜିତିଥିଲା ଏବଂ ୨୦୧୮ରେ ରନର୍ସ ଅପ୍ ହୋଇଥିଲେ |

ଅନ୍ୟପକ୍ଷରେ ଆଇପିଏଲର ପ୍ରଥମ ସିଜନର ଚାମ୍ପିୟନ ରାଜସ୍ଥାନ ରୟାଲ୍ସ ୨୦୨୨ରେ ରନର୍ଅ ଅପ୍ ହୋଇଥିଲା | ଦଳ ଷଷ୍ଠ ଥର ପାଇଁ ପ୍ଲେ ଅଫ୍ ରାଉଣ୍ଡରେ ପହଞ୍ଚିଛି। ରୟାଲ୍ସ ତୃତୀୟ ଥର ପାଇଁ କ୍ୱାଲିଫାୟର-୨ ମ୍ୟାଚ୍ ଖେଳିବ।

ଏପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ମୋଟ ୧୯ଟି ମ୍ୟାଚ୍ ଖେଳାଯାଇଛି ।‌ ସେଥିମଧ୍ୟରୁ ରାଜସ୍ଥାନ ୯ଟି ମ୍ୟାଚ୍ ଜିତିଥିବା ବେଳେ ହାଇଦ୍ରାବାଦ ୧୦ଟି ମ୍ୟାଚ୍ ଜିତିଛି । ଏଥିରୁ ଉଭୟ ଦଳ ମଧ୍ୟରେ ବିଶେଷ ଫରକ୍ ନଥିବା ସ୍ପଷ୍ଟ ହୋଇଛି।

ଏହି ସିଜନରେ ଦୁଇ ଦଳ ମଧ୍ୟରେ ଥରେ ମୁକାବିଲା ହୋଇଥିଲା | ହାଇଦ୍ରାବାଦ ନିଜ ଘରୋଇ ଗ୍ରାଉଣ୍ଡରେ ମାତ୍ର ୧ ରନରେ ଏହି ମ୍ୟାଚ୍ ଜିତିଥିଲା। ଉଭୟ ଦଳ ପ୍ରଥମ ଥର ପାଇଁ ଚେନ୍ନାଇରେ ମୁହାଁମୁହିଁ ହେବେ।