ଆଜି ଦ୍ୱିତୀୟ ଟି୨୦: କୋହଲିଙ୍କ ଉପରେ ନଜର | News Room Odisha

ଆଜି ଦ୍ୱିତୀୟ ଟି୨୦: କୋହଲିଙ୍କ ଉପରେ ନଜର

ବର୍ମିଂହାମ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟି୨୦ ଶନିବାର ଏଠାରେ ଖେଳାଯିବ । ପ୍ରଥମ ଟି୨୦ରେ ଘରୋଇ ଦଳକୁ ୫୦ ରନରେ ଧରାଶାୟୀ କରିବା ପରେ ତିନି ମ୍ୟାଚ୍ ସିରିଜରେ ୧-୦ରେ ଅଗ୍ରଣୀ ଥିବା ଭାରତ ଜୟଯାତ୍ରା ଜାରି ରଖି ସିରିଜ୍ ହାତେଇବାକୁ ଚାହିଁବ । ପ୍ରଥମ ଟି୨୦ରୁ ବିଶ୍ରାମ ପରେ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏହି ମ୍ୟାଚରେ ଖେଳିବେ । ଦୀର୍ଘ ଦିନ ଧରି ଫର୍ମ ସହ ସଂଘର୍ଷ କରୁଥିବା କୋହଲିଙ୍କ ଉପରେ ଚାପ ରହିବ । ଏକ ବଡ଼ ଇନିଂସ୍ ସହ ବିଫଳତା ଧାରା ଭାଙ୍ଗିବା ଲକ୍ଷ୍ୟରେ ରହିବେ କୋହଲି ।

କୋହଲି ଶେଷଥର ଫେବୃୟାରୀରେ ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍ ଖେଳିଥିଲେ । ଗତବର୍ଷ ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ଟି୨୦ ବିଶ୍ୱକପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରଠୁ କୋହଲି କେବଳ ଦୁଇଟି ଟି୨୦ ମ୍ୟାଚ୍ ଖେଳିଛନ୍ତି । ତା’ପରେ ସେ ଟି୨୦ କ୍ରିକେଟ୍ କେବଳ ଆଇପିଏଲରେ ଖେଳିଥିଲେ । ଆଇପିଏଲରେ ମଧ୍ୟ ତାଙ୍କ ପ୍ରଦର୍ଶନ ଖାସ୍ ନଥିଲା ।

ଭାରତୀୟ ଦଳର ରୋଟେସନ୍ ଓ ବିଶ୍ରାମ ନୀତି ଯୋଗୁଁ କୋହଲିଙ୍କ ସହ ଅନେକ ସିିନିୟର ଖେଳାଳିଙ୍କୁ ଇତିମଧ୍ୟରେ ବହୁଥର ବିଶ୍ରାମ ଦିଆଯାଇଛି । ଏହି ନୀତି ଯୋଗୁଁ ଦୀପକ ହୁଡାଙ୍କ ଭଳି ରିଜର୍ଭ ଖେଳାଳିଙ୍କୁ ସୁଯୋଗ ମିଳିଛି । ଏଯାବତ ହୁଡାଙ୍କୁ ଯେତିକି ସୁଯୋଗ ମିଳିଛି ସେ ଭଲ ପ୍ରଦର୍ଶନ କରିଛନ୍ତି । ତେଣୁ ତାଙ୍କୁ ଦଳରୁ ବାଦ୍ ଦେବା ଟିମ୍ ମ୍ୟାନେଜମେଣ୍ଟ୍ ପକ୍ଷେ କଷ୍ଟକର ହେବ । ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ରେ ହୁଡା ତୃତୀୟ ସ୍ଥାନରେ ବ୍ୟାଟିଂ କରିଥିଲେ, ଯାହା କୋହଲିଙ୍କ ନିୟମିତ ସ୍ଥାନ । ହୁଡା ଏହି ମ୍ୟାଚରେ କେବଳ ୧୭ଟି ବଲରେ ଆକ୍ରମଣାତ୍ମକ ୩୩ ରନ୍ କରିଥିଲେ ।

ଯଦି ଟିମ୍ ମ୍ୟାନେଜମେଣ୍ଟ୍ ଦ୍ୱିତୀୟ ଟି୨୦ ପାଇଁ ହୁଡାଙ୍କୁ ଦଳରେ ବଜାୟ ରଖିବାକୁ ନିଷ୍ପତ୍ତି ନିଏ, ତେବେ ଅଧିନାୟକ ରୋହିତ ଶର୍ମାଙ୍କ ସହ କୋହଲି ଇନିଂସ୍ ଓପନ୍ କରିପାରନ୍ତି । ଏଭଳି ସ୍ଥଳେ ଇଶାନ କିଶାନଙ୍କୁ ଅନ୍ୟ କ୍ରମରେ ବ୍ୟାଟିଂ କରିବାକୁ ପଡ଼ିବ ।

ଓପନର ଭୂମିକା କୋହଲିଙ୍କ ପାଇଁ ନୂଆ ନୁହେଁ । ଅନ୍ତର୍ଜାତୀୟ ଟି୨୦ରେ ସେ ତାଙ୍କ ଶେଷ ଅର୍ଦ୍ଧଶତକ ମଧ୍ୟ ଓପନର ଭାବେ କରିଥିଲେ । ଆଗାମୀ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜରୁ ମଧ୍ୟ କୋହଲି ବିଶ୍ରାମ ନେବାକୁ ଥିବାବେଳେ, ଇଂଲଣ୍ଡ ବିପକ୍ଷ ଚଳିତ ସିରିଜର ଅବଶିଷ୍ଟ ଦୁଇଟି ମ୍ୟାଚ୍ ଏହି ଷ୍ଟାର ବ୍ୟାଟ୍ସମ୍ୟାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ଦୁଇଟି ମ୍ୟାଚ୍ ଉପରେ ତାଙ୍କ ଟି୨୦ ଭବିଷ୍ୟତ ନିର୍ଭର କରିବ । କୋହଲି ଆଗରୁ ମଧ୍ୟ ଏଭଳି ଉଦାସୀନ ଫର୍ମରୁ ଜରଦଦସ୍ତ ପ୍ରତ୍ୟାବର୍ତ୍ତନ କରିଛନ୍ତି । ହେଲେ ବର୍ତ୍ତମାନ ହୁଡାଙ୍କ ଭଳି ଅନେକ ଯୁବ ଖେଳାଳି ନିର୍ଭୀକ ପ୍ରଦର୍ଶନ କରୁଥିବାରୁ, କୋହଲିଙ୍କ ଉପରେ ଚାପ ବଢିଯାଇଛି । ତାଙ୍କୁ ଟି୨୦ ଦଳରେ ସ୍ଥାନ ବଜାୟ ରଖିବାକୁ ହେଲେ ନିଜ ଶ୍ରେଷ୍ଠ ଫର୍ମକୁ ଫେରିବାକୁ ପଡ଼ିବ ।
କୋଭିଡ୍ ସଂକ୍ରମିତ ହେବା ପରେ ପ୍ରଥମ ଟି୨୦ରୁ ଅଧିନାୟକ ରୋହିତ ଫେରିଥିଲେ ଏବଂ ତାଙ୍କ ନେତୃତ୍ୱରେ ଦଳ ଅଲରାଉଣ୍ଡ ପ୍ରଦର୍ଶନ ସହ ଚମତ୍କାର ବିଜୟ ହାସଲ କରିଥିଲା । ବ୍ୟାଟ୍ସମ୍ୟାନ୍ ଆଶାନୁରୂପ ପ୍ରଦର୍ଶନ କରିଥିବା ବେଳେ ଦ୍ରୁତ ବୋଲର ମଧ୍ୟ ଇଂଲଣ୍ଡର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ ଅପକୁ ରୋକିବାରେ ସଫଳ ହୋଇଥିଲେ । ଗତ ବିଶ୍ୱକପରେ ଯେଉଁ ରକ୍ଷଣାତ୍ମକ ରଣନୀତି ପାଇଁ ଗ୍ରୁପ୍ ପର୍ଯ୍ୟାୟରୁ ବିଦା ହେବାକୁ ପଡ଼ିଥିଲା, ତାହା ବଦଳରେ ପ୍ରଥମ ଟି୨୦ରେ ଭାରତୀୟ ବ୍ୟାଟ୍ସମ୍ୟାନ ଆରମ୍ଭରୁ ଆକ୍ରମଣାତ୍ମକ ମନୋଭାବ ଦେଖାଇଥିଲେ । ଯାହା ଫଳରେ ଭାରତ ପାୱାର ପ୍ଲେ’ରେ ହିଁ ୬୬ ରନ୍ ସଂଗ୍ରହ କରିଥିଲା । ୱିକେଟ୍ ପତନ ସତ୍ତ୍ୱେ ଭାରତ ବ୍ୟାକଫୁଟକୁ ଯାଇନଥିଲା । ତେବେ ଭାରତକୁ ଫିନିଶିଂ ଦକ୍ଷତାକୁ ଆହୁରି ଉନ୍ନତ କରିବାକୁ ପଡ଼ିବ । ପ୍ରଥମ ମ୍ୟାଚରେ ବିସ୍ଫୋରକ ଷ୍ଟାର୍ଟ ସତ୍ତ୍ୱେ ଭାରତର ରନ୍ ଗତି ଶେଷ ଆଡ଼କୁ ଧିମେଇ ଯାଇଥିଲା ।