ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛି ରୁଷ, ଜଣେ ଶିଶୁ ସହ ୭ ମୃତ | News Room Odisha

ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛି ରୁଷ, ଜଣେ ଶିଶୁ ସହ ୭ ମୃତ

କିଭ :ୟୁକ୍ରେନ ଉପରେ ରୁଷର ସାମରିକ କାର୍ଯ୍ୟାନୁଷ୍ଠାନ ୧୮ ଦିନରେ ପହଞ୍ଚିଛି । ରାଜଧାନୀ କିଭ୍ ସମେତ ୟୁକ୍ରେନ ର ସବୁ ଛୋଟବଡ଼ ସହର ଉପରେ ରୁଷ ବୋମା ବର୍ଷା ଜାରି ରଖିଛି । ୟୁକ୍ରେନ ଅଭିଯୋଗ କରିଛି ଯେ ରୁଷର ସୈନ୍ୟବାହିନୀ କିଭରେ ମହିଳା ଏବଂ ଶିଶୁଙ୍କ ଉପରକୁ ଗୁଳିମାଡ଼ କରିଛନ୍ତିି। ଏହି ଆକ୍ରମଣରେ ଜଣେ ଶିଶୁ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଲୋକମାନେ ପେରେମୋହା ଗାଁ ଛାଡ଼ି ଆସିଥିଲେ | ସାଧାରଣ ଲୋକଙ୍କୁ ‘ଗ୍ରୀନ୍ କରିଡର’ ଦେଇ ସ୍ଥାନାନ୍ତର କରାଯାଉଥିବା ବେଳେ ରୁଷ ଗୁଳିମାଡ଼ କରିଥିବା ଅଭିଯୋଗ କରିଛି ୟୁକ୍ରେନ ।

ରୁଷର ୟୁକ୍ରେନ ଉପରେ ଆକ୍ରମଣ ତୃତୀୟ ସପ୍ତାହରେ ପହଞ୍ଚିଛି। ଫେବୃଆରୀ ୨୪ରେ ୟୁକ୍ରେନ ଉପରେ ଆକ୍ରମଣ ପରଠାରୁ ମସ୍କୋ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଥିବା ଅଭିଯୋଗକୁ ଅସ୍ବୀକାର କରି ଆସିଛି । ବିଭିନ୍ନ ସହରରୁ ସାଧାରଣ ନାଗରିକଙ୍କୁ ସ୍ଥାନାନ୍ତର କରିବାରେ ଅସଫଳ ପାଇଁ ୟୁକ୍ରେନକୁ ଦାୟୀ କରିଛି ରୁଷ | ୟୁକ୍ରେନ ଏବଂ ଏହାର ପାଶ୍ଚାତ୍ୟ ସହଯୋଗୀମାନେ ରୁଷର ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜର୍ମାନ ଚାନସେଲର ଓଲାଫ ସ୍କୋଲଜ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ଫୋନରେ କଥା ହୋଇଛନ୍ତି ଏବଂ ୟୁକ୍ରେନ ସୈନ୍ୟଙ୍କ ଦ୍ୱାରା ଆନ୍ତର୍ଜାତୀୟ ମାନବିକ ନିୟମର ଉଲ୍ଲଂଘନ ବିଷୟରେ କହିଥିଲେ। ୟୁକ୍ରେନ ସୁରକ୍ଷା ବାହିନୀ ଦ୍ୱାରା ଆନ୍ତର୍ଜାତୀୟ ମାନବିକ ନିୟମର ଖୋଲା ଉଲ୍ଲଂଘନର ପୁଟିନ ଅନେକ ତଥ୍ୟ ଉଲ୍ଲେଖ କରିଛନ୍ତି। ସାଧାରଣ ନାଗରିକଙ୍କୁ ୟୁକ୍ରେନ ବନ୍ଧକ ରଖିବା ଏବଂ ଢାଲ ଭାବରେ ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ।