ଚନ୍ଦ୍ରବାବୁ ନାଇଡୁଙ୍କ ରୋଡ୍ ସୋ'ରେ ଦଳାଚକଟା, ୭ ମୃତ | News Room Odisha

ଚନ୍ଦ୍ରବାବୁ ନାଇଡୁଙ୍କ ରୋଡ୍ ସୋ’ରେ ଦଳାଚକଟା, ୭ ମୃତ

ନେଲୋର: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁଙ୍କ ରୋଡ୍ ସୋ ସମୟରେ ଦଳାଚକଟା ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇଛି। ନେଲୋର ଜିଲ୍ଲାର କାଣ୍ଡକୁରୁ ଠାରେ ଏହି ଘଟଣା ହୋଇଛି । ବୁଧବାର ସନ୍ଧ୍ୟାରେ ନାଇଡୁଙ୍କ ମୋଟରକେଡ୍ ସେହି ଅଞ୍ଚଳ ଦେଇ ଯାଉଥିବା ବେଳେ ଅସମ୍ଭାଳ ଭିଡ଼ ଯୋଗୁଁ ଏହି ଘଟଣା ଘଟିଥିଲା। ଠେଲାପେଲା ଓ ଦଳାଚକଟା ଯୋଗୁଁ କିଛି ଲୋକ ଖୋଲ କେନାଳରେ ପଡ଼ିଯାଇଥିଲେ, ଯେଉଁଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା |

ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚନ୍ଦ୍ରବାବୁ ନାଇଡୁ ଘଟଣା ପରେ ତୁରନ୍ତ କାର୍ଯ୍ୟକ୍ରମ ବନ୍ଦ କରିଦେଇଥିଲେ । ମୃତକଙ୍କ ପରିବାର ପାଇଁ ସେ ୧୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଆହତଙ୍କ ଉତ୍ତମ ଚିକିତ୍ସା ସୁନିଶ୍ଚିତ କରିବାକୁ ସେ ଦଳର ନେତାମାନଙ୍କୁ ମଧ୍ୟ କହିଛନ୍ତି।

ଆସନ୍ତା ବର୍ଷ ଆନ୍ଧ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ନାଇଡୁ ସମଗ୍ର ରାଜ୍ୟରେ ଗତ କିଛି ଦିନ ଧରି ଲଗାତାର ରାଲି ଓ ଜନସଭା କରୁଛନ୍ତି । ଗତ ବିଧାନସଭା ନିର୍ବାଚନରେ ନାଇଡୁଙ୍କ ​​ଟିଡିପିକୁ ଜଗନ୍ ମୋହନ ରେଡ୍ଡୀଙ୍କ ଓ୍ବାଇଏସ୍ଆର୍ କଂଗ୍ରେସ ଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।

ଜାନୁଆରୀରେ ନାଇଡୁଙ୍କ ପୁଅ ନାରା ଲୋକେଶ ୪,୦୦୦ କିଲୋମିଟର ପଦ ଯାତ୍ରା କରିବେ । ଯୁବକମାନଙ୍କୁ ପାର୍ଟି ସହ ଯୋଡିବାକୁ ଏହା ଏକ ଉଦ୍ୟମ ବୋଲି ମନେ କରାଯାଉଛି । “ଜଗନ୍ ହଟାଓ, ଆନ୍ଧ୍ରପ୍ରଦେଶ ବଚାଓ” ସ୍ଲୋଗାନ ଦେଇ ଚନ୍ଦ୍ରବାବୁ ନାଇଡୁ ଘୋଷଣା କରିଛନ୍ତି ଯେ ଆଗାମୀ ବିଧାନସଭା ନିର୍ବାଚନ ତାଙ୍କ ଜୀବନର ଶେଷ ନିର୍ବାଚନ ହେବ।