ଶାହରୁଖ ଖାନଙ୍କୁ ହତ୍ୟା ଧମକ, ବଢ଼ିଲା ସୁରକ୍ଷା | News Room Odisha

ଶାହରୁଖ ଖାନଙ୍କୁ ହତ୍ୟା ଧମକ, ବଢ଼ିଲା ସୁରକ୍ଷା

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କୁ ହତ୍ୟା ଧମକ ମିଳିଛି । ତାଙ୍କର ଦୁଇଟି ଫିଲ୍ମ ‘ପଠାନ୍ ଓ ‘ଯବାନ’ର ବକ୍ସ ଅଫିସ୍ ସଫଳତା ପରେ ତାଙ୍କୁ ଏପରି ଧମକ ମିଳୁଥିବା ସେ ଅଭିଯୋଗ କରିଛନ୍ତି। ଏହାପରେ ମୁମ୍ବାଇ ପୋଲିସ ଶାହରୁଖ ଖାନଙ୍କ ସୁରକ୍ଷା ସ୍ତର ବଢ଼ାଇ ଦେଇଛି । ତାଙ୍କୁ ଏବେ ଓ୍ବାଇ ପ୍ଲସ୍ ସୁରକ୍ଷା ଦିଆଯିବ।

ମୁମ୍ବାଇ ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଶାହାରୁଖ ଖାନ ହତ୍ୟା ଧମକ ନେଇ ଏକ ଲିଖିତ ଅଭିଯୋଗ କରିଥିଲେ । ‘ପଠାନ’ ଏବଂ ‘ଯବାନ’ ପରେ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦିଆଯାଉଛି ବୋଲି ଅଭିଯୋଗ କରିଥିଲେ ଶାହରୁଖ । ଏହା ପରେ ମହାରାଷ୍ଟ୍ର ସରକାର ଏହି ଅଭିନେତାଙ୍କ ସୁରକ୍ଷା ସ୍ତର ବଢ଼ାଇ ଓ୍ବାଇ ପ୍ଲସ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ପୂର୍ବରୁ ତାଙ୍କୁ ‘ଓ୍ବାଇ’ ସୁରକ୍ଷା ମିଳୁଥିଲା ।

ଓ୍ବାଇ ପ୍ଲସ୍ ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ଶାହରୁଖ ଖାନଙ୍କ ସୁରକ୍ଷାରେ ଏବେ ୬ ଜଣ ସଶସ୍ତ୍ର ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ମୁତୟନ ହେବେ । ଶାହରୁଖ ଖାନଙ୍କ ଜୀବନ ପ୍ରତି ବିପଦ ରହିଥିବା ନେଇ ମୁମ୍ୱାଇ ପୋଲିସ ମଧ୍ୟ ଗୁଇନ୍ଦା ସୂଚନା ପାଇଥିଲା । ନିକଟରେ ତାଙ୍କ ଚଳଚ୍ଚିତ୍ର ପଠାନ ଏବଂ ‘ଯବାନ’ର ସଫଳତା ପରେ ଶାହରୁଖ ଅଣ୍ଡରୱାର୍ଲ୍ଡ ଓ ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟରେ ରହିଥିବା କୁହାଯାଇଛି। ରାଜ୍ୟ ସରକାର ଏବେ ଶାହରୁଖ ଖାନଙ୍କୁ ଓ୍ବାଇ ପ୍ଲସ୍ ସୁରକ୍ଷା ଯୋଗାଇବେ । ଏହାର ଖର୍ଚ୍ଚ କିନ୍ତୁ ଶାହରୁଖ ନିଜେ ବହନ କରିବେ ।