୨୦ ବର୍ଷରୁ କମ୍ ବିଶ୍ୱ ଆଥଲେଟିକ୍ସ: ଲଙ୍ଗ୍ ଜମ୍ପ୍‌ରେ ଶୈଳୀ ସିଂ ଜିତିଲେ ରୌପ୍ୟ | News Room Odisha

୨୦ ବର୍ଷରୁ କମ୍ ବିଶ୍ୱ ଆଥଲେଟିକ୍ସ: ଲଙ୍ଗ୍ ଜମ୍ପ୍‌ରେ ଶୈଳୀ ସିଂ ଜିତିଲେ ରୌପ୍ୟ

ନାଇରୋବି: ଏଠାରେ ଚାଲିଥିବା ୨୦ ବର୍ଷରୁ କମ୍ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପରେ ଭାରତକୁ ଆଉ ଏକ ପଦକ ମିଳିଛି । ଭାରତର ଶୈଳୀ ସିଂ ରବିବାର ମହିଳା ଲଙ୍ଗ୍ ଜମ୍ପ୍ ରେ ରୌପ୍ୟ ପଦକ ହାସଲ କରିଛନ୍ତି । ଶୈଳୀ ମାତ୍ର ୧ ସେଣ୍ଟିମିଟର ପାଇଁ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି । ଚଳିତ ଚାମ୍ପିୟନସିପରେ ଏହା ଭାରତର ତୃତୀୟ ପଦକ ।

ଫାଇନାଲରେ ଶୈଳୀ ନିଜ ତୃତୀୟ ପ୍ରୟାସରେ ୬.୫୯ ମିଟର ଦୂରତ ଡେଇଁ ରୌପ୍ୟ ନିଶ୍ଚିତ କରିଥିଲେ । ସ୍ୱିଡେନର ମାଜା ଆସ୍କାଗ୍ ୬.୬୦ ମିଟର ସହ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୟୁକ୍ରେନର ମାରିଆ ହୋରିଏଲୋଭା ୬.୫୦ ମିଟର ସହ ବ୍ରୋଞ୍ଜ ହାତେଇଥିଲେ ।

ଶୈଳୀଙ୍କ ସଫଳତା ପରେ ୨୦ ବର୍ଷରୁ କମ୍ ବିଶ୍ୱ ଆଥଲେଟିକ୍ସରେ ଭାରତ ତିନୋଟି ପଦକ ସହ ଅଭିଯାନ ଶେଷ କରିଛି । ଏହା ପୂର୍ବରୁ ଭାରତର ମିକ୍ସଡ୍ ରିଲେ ଟିମ୍ ୪ ଗୁଣା ୪୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ଜିତିଥିଲା । ଶନିବାର ୧୦ ହଜାର ମିଟର ଚାଲିରେ ଭାରତର ଅମିତ ଖତ୍ରୀ ରୌପ୍ୟ ପଦକ ହାସଲ କରିଥିଲେ । ୨୦ ବର୍ଷରୁ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପ୍ ଇତିହାସରେ ଭାରତର ଏହା ଶ୍ରେଷ୍ଠ ପ୍ରଦର୍ଶନ । ଭାରତ ପ୍ରଥମ ଥର ଏହି ଚାମ୍ପିୟନସିପରେ ଏକାଧିକ ପଦକ ଜିତିଛି ।

ଲଙ୍ଗ୍ ଜମ୍ପ୍ ଫାଇନାଲରେ ଶୈଳୀ ନିଜ ପ୍ରଥମ ଦୁଇ ଉଦ୍ୟମରେ ୬.୩୪ ମିଟର ଯାଏଁ ଲମ୍ଫ ଦେଇଥିଲେ । ତେବେ ତୃତୀୟ ଉଦ୍ୟମରେ ଆହୁରି ଉନ୍ନତ ପ୍ରଦର୍ଶନ ପୂର୍ବକ ସେ ୬.୫୯ ମିଟର ଡେଇଁଥିଲେ ଏବଂ ଶେଷ ତିନି ରାଉଣ୍ଡ ପୂର୍ବରୁ ପ୍ରଥମ ସ୍ଥାନ ବଜାୟ ରଖି ସ୍ୱର୍ଣ୍ଣ ପଦକ ଆଶା ଉଜ୍ଜୀବିତ କରିଥିଲେ । ତେବେ ସ୍ୱିଡେନର ଆସ୍କାଗ୍ ତାଙ୍କର ଚତୁର୍ଥ ରାଉଣ୍ଡରେ ୬.୬୦ ମିଟର ସ୍ପର୍ଶ କରି ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଥିଲେ । ଶୈଳୀଙ୍କ ଠାରୁ ଆସ୍କାଗ୍ ୧ ସେଣ୍ଟିମିଟର ଅଧିକ ଦୂରତା ଅତିକ୍ରମ କରିଥିଲେ । ଶୈଳୀଙ୍କ ଚତୁର୍ଥ ଓ ପଞ୍ଚମ ଉଦ୍ୟମ ଫାଉଲ୍ ହୋଇଥିଲା । ସେ ତାଙ୍କ ଶେଷ ପ୍ରୟାସରେ ନିଜ ତୃତୀୟ ଉଦ୍ୟମ ପ୍ରଦର୍ଶନକୁ ଅତିକ୍ରମ କରିପାରିନଥିଲେ । ଫଳରେ ୧ ସେଣ୍ଟିମିଟର ପାଇଁ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇ ଶୈଳୀ ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ ।

ଝାନ୍‌ସୀର ଏହି ୧୭ ବର୍ଷୀୟା ଉଦୀୟମାନ ଆଥଲେଟ୍ ସେମିଫାଇନାଲରେ ୬.୪୦ ମିଟର ସହ ନିଜ ଗ୍ରୁପ୍ ରେ ଶୀର୍ଷ ସ୍ଥାନ ହାସଲ ପୂର୍ବକ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ।