ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଲେ ସାମି, ଦିନିକିଆ ସିରିଜରୁ ଓହରିଲେ ଚହର | News Room Odisha

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଲେ ସାମି, ଦିନିକିଆ ସିରିଜରୁ ଓହରିଲେ ଚହର

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ପ୍ରଥମ ଟେଷ୍ଟ ସିରିଜ୍ ବିଜୟ ଲକ୍ଷ୍ୟରେ ରହିଥିବା ଭାରତକୁ ମହମ୍ମଦ ସାମିଙ୍କ ସେବା ମିଳିବନି । କାରଣ ସାମିଙ୍କୁ ଏହି ଦୁଇ ଟେଷ୍ଟ ସିରିଜରେ ଖେଳିବାକୁ ବିସିସିଆଇ ମେଡିକାଲ ଟିମ୍ ସବୁଜ ସଙ୍କେତ ଦେଇ ନାହିଁ । ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ଶନିବାର ଏହି ସୂଚନା ଦେଇଛି।

ଦିନିକିଆ ବିଶ୍ୱକପ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ସାମିଙ୍କୁ ଗୋଡ଼ରେ ଆଘାତ ଲାଗିଥିବା ସତ୍ତ୍ୱେ ସାମିଙ୍କୁ ଟେଷ୍ଟ ଦଳରେ ସାମିଲ କରାଯାଇଥିଲା । କିନ୍ତୁ ସେ ପୂରା ଫିଟ୍‌ ହେଲେ ହିଁ ଟେଷ୍ଟ ସିରିଜ୍ ଖେଳିବେ ବୋଲି ସ୍ପଷ୍ଟ କରାଯାଇଥିଲା। ହେଲେ ବିସିସିଆଇ ମେଡିକାଲ ଟିମ୍ ତାଙ୍କୁ ଏହି ସିରିଜରେ ଖେଳିବାକୁ ସବୁଜ ସଙ୍କେତ ଦେଇନାହିଁ।

ବିସିସିଆଇ ଏପର୍ଯ୍ୟନ୍ତ ସାମିଙ୍କ ସ୍ଥାନରେ କୌଣସି ଖେଳାଳିଙ୍କୁ ଚୟନ କରିନାହିଁ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଡିସେମ୍ବର ୨୬ରୁ ସେଞ୍ଚୁରିଅନରେ ଖେଳାଯିବ |

ଟେଷ୍ଟ ସିରିଜ୍ ପୂର୍ବରୁ ଭାରତୀୟ ଟେଷ୍ଟ ଦଳର ଖେଳାଳୀମାନେ ଡିସେମ୍ବର ୨୦ରୁ ନିଜ ମଧ୍ୟରେ ତିନି ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳିବେ |

ଘରେ ରହି ସାମି ତାଙ୍କ ଆଘାତରୁ ମୁକୁଳିବା ପାଇଁ ଉଦ୍ୟମ ଜାରି ରଖିବେ । ଜାନୁଆରୀ ୨୫ରୁ ଆରମ୍ଭ ହେଉଥିବା ହାଇଦ୍ରାବାଦରେ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ସେ ପ୍ରତ୍ୟାବର୍ତ୍ତନ କରିପାରନ୍ତି |

ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଜାନୁଆରୀ ୩ରୁ କେପଟାଉନରେ ଖେଳାଯିବ |

ଏହି ସମୟରେ ଦ୍ରୁତ ବୋଲର ଦୀପକ ଚହର୍ ମଧ୍ୟ ବ୍ୟକ୍ତିଗତ କାରଣରୁ ଦିନିକିଆ ଦଳରୁ ଓହରି ଯାଇଛନ୍ତି। ତାଙ୍କ ସ୍ଥାନରେ ଦ୍ରୁତ ବୋଲର ଆକାଶଦୀପଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି।

ବିସିସିଆଇ ବିବୃତ୍ତିରେ କୁହାଯାଇଛି ଯେ ପାରିବାରିକ କାରଣରୁ ସେ ଆଗାମୀ ଦିନିକିଆ ସିରିଜରେ ଖେଳିବା ପାଇଁ ଉପଲବ୍ଧ ହେବେ ନାହିଁ। ଚୟନ କମିଟି ତାଙ୍କ ସ୍ଥାନରେ ଦ୍ରୁତ ବୋଲର ଆକାଶଦୀପଙ୍କୁ ଦଳରେ ସାମିଲ କରିଛନ୍ତି।ବିବୃତ୍ତିରେ କହିଛି, ରବିବାର ଜୋହାନ୍ସବର୍ଗରେ ପ୍ରଥମ ଦିନିକିଆ ଖେଳିବା ପରେ ଶ୍ରେୟାସ ଆୟର ଟେଷ୍ଟ ସିରିଜରେ ଯୋଗଦେବା ପାଇଁ ଟେଷ୍ଟ ଦଳରେ ଯୋଗଦେବେ। ସେ (ଆୟର) ଦ୍ୱିତୀୟ ଏବଂ ତୃତୀୟ ଦିନିକିଆ ପାଇଁ ଉପଲବ୍ଧ ହେବେ ନାହିଁ । ଏହା ବଦଳରେ ସେ ଟେଷ୍ଟ ଦଳର ସମ୍ପୃକ୍ତ ମ୍ୟାଚ୍ ଖେଳିବେ।

ବିସିସିଆଇ ଆହୁରି କହିଛି ଯେ ଦିନିକିଆ ସିରିଜରେ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ଉପଲବ୍ଧ ହେବେ ନାହିଁ । କାରଣ ସେମାନେ ଟେଷ୍ଟ ଦଳ ପ୍ରସ୍ତୁତି ଉପରେ ଧ୍ୟାନ ଦେବେ।

ଏହି ସମୟ ମଧ୍ୟରେ କେ.ଏଲ୍ ରାହୁଲଙ୍କ ନେତୃତ୍ୱରେ ଦିନିକିଆ ଦଳର କୋଚ୍ ଦାୟିତ୍ୱ ଭାରତ ଏ’ର କୋଚିଂ ଷ୍ଟାଫ୍ ତୁଲାଇବେ । ଏହି କୋଚିଂ ଷ୍ଟାଫରେ ବ୍ୟାଟିଂ ପ୍ରଶିକ୍ଷକ ସୀତାଂଶୁ କୋଟାକ୍, ବୋଲିଂ କୋଚ୍ ରାଜୀବ ଦତ୍ତ ଏବଂ ଫିଲ୍ଡିଂ କୋଚ୍ ଅଜୟ ରାତ୍ରା ରହିଛନ୍ତି।

ଭାରତର ଦିନିକିଆ ଦଳ : କେ.ଏଲ୍ ରାହୁଲ (ଅଧିନାୟକ), ଋତୁରାଜ ଗାଏକୱାଡ, ସାଇ ସୁଦର୍ଶନ, ତିଳକ ବର୍ମା, ରଜତ ପାଟିଦାର, ରିଙ୍କୁ ସିଂ, ଶ୍ରେୟସ୍ ଆୟର, ସଞ୍ଜୁ ସାମସନ୍ (ଓ୍ବିକେଟକିପର), ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ , ମୁକେଶ କୁମାର, ଆବେଶ ଖାନ, ଅର୍ଶଦୀପ ସିଂ, ଆକାଶ ଦୀପ |