ସାମିଙ୍କ ବିଶ୍ୱକପ୍ କୀର୍ତ୍ତିମାନ, ଭାଙ୍ଗିଲେ ଜାହିର ଖାନ୍ ଓ ଶ୍ରୀନାଥଙ୍କ ରେକର୍ଡ | News Room Odisha

ସାମିଙ୍କ ବିଶ୍ୱକପ୍ କୀର୍ତ୍ତିମାନ, ଭାଙ୍ଗିଲେ ଜାହିର ଖାନ୍ ଓ ଶ୍ରୀନାଥଙ୍କ ରେକର୍ଡ

ମୁମ୍ବାଇ: ଭାରତୀୟ ପେସର ମହମ୍ମଦ ସାମି ଚଳିତ ଦିନିକିଆ ବିଶ୍ୱକପରେ ଘାତକ ପ୍ରଦର୍ଶନ ଜାରି ରଖିଛନ୍ତି । ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ବି ୫ ୱିକେଟ୍ ସଫଳତା ସହ ସାମି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ସେ ଏହି ମ୍ୟାଚ୍‌ରେ ୧୮ ରନ୍ ଦେଇ ୫ ୱିକେଟ୍ ଅକ୍ତିଆର କରିଥିବା ବେଳେ ଶ୍ରୀଲଙ୍କାକୁ ୩୦୨ ରନ୍‌ରେ ଧରାଶାୟୀ କରି ଭାରତ ସେମିଫାଇନାଲ୍‌ରେ ପ୍ରବେଶ କରିଛି । ଚଳିତ ବିଶ୍ୱକପରେ ସାମିଙ୍କ ଏହା ଦ୍ୱିତୀୟ ୫ ୱିକେଟ୍ ସଫଳତା । ଏଥିସହ ସେ ବିଶ୍ୱକପ ଇତିହାସରେ ଭାରତର ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର ହୋଇଛନ୍ତି । ସେ ବିଶ୍ୱକପରେ ୪୫ ୱିକେଟ୍ ନେଇ ପୂର୍ବତନ ପେସର ଜାହିର ଖାନ୍ ଓ ଜଭଗଲ ଶ୍ରୀନାଥଙ୍କ ରେକର୍ଡ ଭାଙ୍ଗିଛନ୍ତି ।

ବିଶ୍ୱକପରେ ଉଭୟ ଜାହିର ଓ ଶ୍ରୀନାଥଙ୍କ ନାଁରେ ୪୪ ୱିକେଟ୍ ଥିଲା । ଜାହିର ୨୩ଟି ମ୍ୟାଚ୍ ଓ ଶ୍ରୀନାଥ ୩୪ଟି ମ୍ୟାଚ୍‌ରେ ସମାନ ସଂଖ୍ୟକ ୱିକେଟ୍ ନେଇଥିଲେ । କିନ୍ତୁ ସାମି ମାତ୍ର ୧୪ଟି ବିଶ୍ୱକପ ମ୍ୟାଚରେ ଉଭୟଙ୍କ ରେକର୍ଡକୁ ଟପିଛନ୍ତି । ଚଳିତ ବିଶ୍ୱକପରେ ସେ ୩ଟି ମ୍ୟାଚ୍‌ରୁ ଏଯାବତ୍ ୧୪ ୱିକେଟ୍ ନେଲେଣି ।
ପ୍ରଥମ ୪ଟି ମ୍ୟାଚ୍‌ରୁ ବଞ୍ଚିତ ହେବା ପରେ ସାମି ଧର୍ମଶାଳାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସୁଯୋଗ ପାଇଥିଲେ । ଚଳିତ ଟୁର୍ଣ୍ଣାମେଣ୍ଟର ତାଙ୍କର ଏହି ପ୍ରଥମ ମ୍ୟାଚ୍‌ରେ ସେ ୫୪ ରନ୍ ବିନିମୟରେ ୫ଟି ୱିକେଟ୍ ନେଇଥିଲେ ଓ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ବି ପାଇଥିଲେ । ଏହାପରେ ଲକ୍ଷ୍ନୌରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ବି ଚମତ୍କାର ପ୍ରଦର୍ଶନ ପୂର୍ବକ ୨୨ ରନ୍‌ରେ ୪ଟି ୱିକେଟ୍ ହାତେଇଥିଲେ ସାମି । ଆଜି ପୁଣି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷରେ ସେ ପୁରି ପାଞ୍ଚ ୱିକେଟ୍ ନେଇ ପୁଣି ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଥିଲେ । ଚଳିତ ବିଶ୍ୱକପରେ ଏହା ତାଙ୍କ ଦ୍ୱିତୀୟ ପାଞ୍ଚ ୱିକେଟ୍ ସଫଳତା । ଏଥିସହ ସାମି ବିଶ୍ୱକପ୍ ଇତିହାସରେ ସର୍ବାଧିକ ଥର ୫ ୱିକେଟ୍ ନେବାରେ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କଙ୍କ ସମକକ୍ଷ ହୋଇଛନ୍ତି । ଉଭୟ ସାମି ଓ ଷ୍ଟାର୍କ ବିଶ୍ୱକପରେ ୩ ଥର ପାଞ୍ଚ ୱିକେଟ୍ ସଫଳତା ହାସଲ କରିଛନ୍ତି ।