ଦ୍ୱିତୀୟ ଥର ପାକିସ୍ତାନ ପ୍ରଧାନମନ୍ତ୍ରୀ ହେଲେ ଶେହବାଜ ସରିଫ | News Room Odisha

ଦ୍ୱିତୀୟ ଥର ପାକିସ୍ତାନ ପ୍ରଧାନମନ୍ତ୍ରୀ ହେଲେ ଶେହବାଜ ସରିଫ

ଇସଲାମାବାଦ: ନିର୍ବାଚନର ତିନି ସପ୍ତାହ ପରେ ପାକିସ୍ତାନରେ ଗଠନ ହେବାକୁ ଯାଉଛି ନୂଆ ସରକାର । ପାକିସ୍ତାନୀ ମୁସଲିମ ଲିଗ୍-ନୱାଜ (ପିଏମଏଲ-ଏନ)ର ବରିଷ୍ଠ ନେତା ଶେହବାଜ ସରିଫ ଦ୍ୱିତୀୟ ଥର ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ରବିବାର ନବ ନିର୍ବାଚିତ ସଂସଦରେ ସରିଫ୍ ସହଜରେ ବହୁମତ ହାସଲ କରିଛନ୍ତିି । ସେ ପିଏମ୍ଏଲ୍-ଏନ୍ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ମେଣ୍ଟ ସରକାରର ନେତୃତ୍ୱ ନେବେ। ଶେହବାଜ ୩୩୬ ସଦସ୍ୟ ବିଶିଷ୍ଟ ସଂସଦରେ ୨୦୧ ଭୋଟ୍ ପାଇ ଆସ୍ଥା ଜିତିଛନ୍ତି । ବିରୋଧୀ ପ୍ରାର୍ଥୀ ତଥା ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ)ର ଓମାର ଆୟୁବ ଖାନଙ୍କ ସପକ୍ଷରେ କେବଳ ୯୨ ଭୋଟ୍ ପଡ଼ିଥିଲା।

ସଂସଦରେ ଆସ୍ଥା ଭୋଟ୍ପି ସମୟରେ ପିଟିଆଇ ସମର୍ଥିତ ସାଂସଦମାନେ ସ୍ଲୋଗାନବାଜି କରିଥିଲେ । ଶେହବାଜ ସରିଫ୍ ସୋମବାର ରାଷ୍ଟ୍ରପତି ବାସଭବନ ଏଓ୍ବାନ-ଏ-ସଦ୍ରରେ ଶପଥ ନେବେ। ସାଧାରଣ ନିର୍ବାଚନ କରିବା ପାଇଁ ସଂସଦ ଭଙ୍ଗ ହେବା ପୂର୍ବରୁ ଶେହବାଜ ଏପ୍ରିଲ୍ ୨୦୨୨ ରୁ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ମେଣ୍ଟ ସରକାରର ନେତୃତ୍ୱ ନେଇଥିଲେ।